News18 Odia Digital
ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଜମା ଥିବା ୫୪୫ କୋଟି ଟଙ୍କା ଫେରିବା ନେଇ ଅନିଶ୍ଚିତତା ଲାଗି ରହିଛି । ଚର୍ଚ୍ଚା ହେଉଛି ଯଦି ଜମା ଟଙ୍କା ଫେରିବ ତେବେ କେବେ ସୁଦ୍ଧା ? ପୂରା ଜମା ରାଶି ଫେରିବ ନା ଆଂଶିକ? ଏହି ରାଶି ଫେରିପାଇବା ନେଇ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ଥିବା ବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରିବା ନେଇ ସେଭଳି କିଛି ଠୋସ୍ ପ୍ରତିଶୃତି ଏ ଯାଏଁ ମିଳି ପାରିନାହିଁ ।
ଏତେ ମାତ୍ରାର ଏହି ଟଙ୍କା ଫେରସ୍ତ ପ୍ରସଙ୍ଗକୁ ନେଇ ଏବେ ବି ଚ଼ାଲିଛି ବିତର୍କ । ପୂର୍ବତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ ତଥା ନାବାର୍ଡର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର କେ.ସି. ପାଣିଗ୍ରାହୀଙ୍କ କହିବା ଅନୁସାରେ ଟଙ୍କା ଫେରି ପାଇବା ପାଇଁ ସରକାର ଆହୁରି ଦୃଢ଼ ପଦକ୍ଷେପ ନେବା ଉଚ଼ିତ ।

ନାବାର୍ଡର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର କେ.ସି. ପାଣିଗ୍ରାହୀ
‘‘ଶ୍ରୀମନ୍ଦିରର ଜମା ଟଙ୍କା ଫେରିବ କି ନାହିଁ ଓ ଯଦି ଫେରିବ କେତେ ପରିମାଣରେ ଫେରିବ ଓ କେବେ ଫେରିବ ସେ ନେଇ କୌଣସି ନିଶ୍ଚିତତା ନାହିଁ । ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ନେଇଥିବା ଏସବିଆଇ ଏବେ ସୁଦ୍ଧା ଜମା ଓ ଦେୟ ପରିମାଣ ଆକଳନ କରିନାହିଁ । ଯଦି ସଞ୍ଚୟ ଓ ଅନ୍ୟ ସୂତ୍ରରୁ ମିଳିବାକୁ ଥିବା ଅର୍ଥ ଦେୟ ତୁଳନାରେ କମ ହୁଏ ତେବେ ଗ୍ରାହକ କେମିତି ଫେରିପାଇବେ ଟଙ୍କା?’’ ପ୍ରଶ୍ନ କରିଛନ୍ତି ପାଣିଗ୍ରାହୀ ।

ବରିଷ୍ଠ ଅର୍ଥନୀତିଜ୍ଞ ବିଭୁ ପଦାରବିନ୍ଦ ତ୍ରିପାଠୀ
ବରିଷ୍ଠ ଅର୍ଥନୀତିଜ୍ଞ ବିଭୁ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି ଯେ ୟେସ ବ୍ୟାଙ୍କ ସଙ୍କଟ ଘଟଣାରେ ଗ୍ରାହକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ରିଜର୍ଭ ବ୍ୟାଙ୍କ ଦାୟିତ୍ବ ନେଇଥିବାରୁ ପ୍ରତିଟି ଟଙ୍କା ଫେରିବାର ସମ୍ଭାବନା ଅଧିକ ଅଛି । ‘‘ଗ୍ରାହକଙ୍କ ଜମା ରାଶି କିଭଳି ଫେରିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିପାଇଁ ଏସବିଆଇକୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ଏସବିଆଇ ହେଉଛି ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ଅଦ୍ବିତୀୟ ଅନୁଷ୍ଠାନ । ତେଣୁ ହୁଏତ ସାମାନ୍ୟ ବିଳମ୍ବ ହୋଇପାରେ, ହେଲେ ଜମା ଟଙ୍କା ଫେରିବା ସମ୍ଭାବନା ଉଜ୍ଜ୍ବଳ । ତେଣୁ ଘରୋଇ ୟେସ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ଅର୍ଥ ସୁରକ୍ଷିତ ଅଛି । ଅତୀତରେ ଏଭଳି ଘଟଣାର ଅନେକ ନଜିର୍ ଅଛି,’’ କହିଛନ୍ତି ତ୍ରିପାଠୀ ।
ଏହି ଆଶା ଓ ଆଶଙ୍କା ଭିତରେ କେଉଁ ଶ୍ରୀମନ୍ଦିର ପ୍ରଶାସକଙ୍କ ଅମଳରେ ଘରୋଇ ବ୍ୟାଙ୍କରେ ଜମା ହୋଇଥିଲା ଅର୍ଥ ଓ ଏଥି ପାଇଁ କିଏ ଉତ୍ତରଦାୟୀ ସେ ଚର୍ଚ୍ଚା ମଧ୍ୟ ଜୋର ହେବାରେ ଲାଗିଛି । ଅଭିଯୋଗ ହେଉଛି ଯେ ଶ୍ରୀମନ୍ଦିରର ଆଇନକୁ ଖିଲାପ କରି ଘରୋଇ ବ୍ୟାଙ୍କରେ ରଖାଯାଇଥିଲା କୋଟି କୋଟି ଟଙ୍କା । ପରିଚାଳନା କମିଟିକୁ ନ ଜଣାଇ ତତ୍କାଳୀନ ମୁଖ୍ୟ ପ୍ରଶାସକ ୟେସ୍ ବ୍ୟାଙ୍କରେ ଜମା ରଖିଥିଲେ ଏହି ଟଙ୍କା । ଯଦି ଏହି ଅଭିଯୋଗ ସତ ତେବେ ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।