News18 Odia Digital
ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ 'କିସ'କୁ ମିଳିଥିବା ୟୁନେସ୍କୋ ଇଣ୍ଟର ନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨ ର ଶ୍ରେୟ ସବୁ ଓଡ଼ିଆଙ୍କର। ଏହା କେବଳ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନୁହେଁ, ବରଂ ସାରା ଦେଶ ପାଇଁ ଏହା ଏକ ଗର୍ବର ବିଷୟ। ଗତ ୪୦ ବର୍ଷର ଇତିହାସ ଭିତରେ ଭାରତକୁ ମୋଟ ୪ ଥର ଏହି ପୁରସ୍କାର ମିଳିଥିବା ବେଳେ ଏହା ହେଉଛି ଦେଶର ପଞ୍ଚମ ସଫଳତା। ତେବେ ଓଡ଼ିଶା ପାଇଁ ଏହା ପ୍ରଥମ ସଫଳତା। ଜାତିସଂଘ ପକ୍ଷରୁ କିସ୍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିବା ଅବସରରେ ପ୍ରେସ ଗେଟ-ଟୁ-ଗେଦରରେ ଏପରି କହିଛନ୍ତି କିସ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ।
ଶୁକ୍ରବାର କିସ୍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ଅବସରରେ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ଏହି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସି ପୁରସ୍କାର- ୨୦୨୨। ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ କିସ୍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍ ସହିତ ପ୍ରଶସ୍ତିପତ୍ର ମଧ୍ୟ ପ୍ରଦାନ କରଯାଇଥିଲା ।

ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍ଜିଓ । ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ।ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍ ହେଉଛି ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ । କିସରେ ଅଧ୍ୟୟନରତ ୩୦ ହଜାର ଜନଜାତି ଛାତ୍ରଛାତ୍ରୀ ଓ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦେଉଛି ।
୧୯୯୩ ମସିହାରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନରେ ପରଣିତ ହୋଇଛି । ୨୦୧୫ ମସିହାରୁ କିସ୍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେସିଆଲ୍ କନ୍ସଲଟେଟିଭର ମାନ୍ୟତା ପାଇଛି । ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍ର ସହବନ୍ଧନ ରହିଆସିଛି। ଆଗକୁ ଏହି ଅନୁଷ୍ଠାନ ଜନଜାତିଙ୍କ ଉନ୍ନତି ପାଇଁ ଅଧିକରୁ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବ ବୋଲି କହିଛନ୍ତି କିସ ଓ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ଏହି ପୁରସ୍କାର ପାଇବା ଅବସରରେ ଗୁରୁବାର ସନ୍ଧ୍ୟାରେ କିସ ଷ୍ଟାଡିୟମରେ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଥିଲା ବିଶାଳ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ନାଚ ଗୀତ ଓ ମନୋରଞ୍ଜନ ଜରିଆରେ ବିଶ୍ବର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ସଫଳତାକୁ ସ୍ୱାଗତ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।