News18 Odia Digital
ନାଗପୁର: କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ନାଗପୁରରେ ରାଷ୍ଟ୍ରୀୟ ଅଗ୍ନିଶମ ସେବା ମହାବିଦ୍ୟାଳୟ (NFSC)ର ଏକ ନୂଆ କ୍ୟାମ୍ପସ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ ଶାହା ଅଗ୍ନିଶମ ସେବାରେ ନିଜର ଦକ୍ଷତା ଓ ବୀରତା ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ପଦକ ସହ ପୁରସ୍କୃତ କରିଛନ୍ତି ।
ଏଥିସହ ନାଗପୁରରେ ମଧ୍ୟ ଏନ୍ଡିଆରଏଫର ନୂଆ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ଏନଡିଆରଏଫ ପରିଚାଳନା ପାଇଁ ସୁଭାଷ ଚନ୍ଦ୍ର ବୋଷ ପୁରସ୍କାର ଘୋଷଣା କରିଛନ୍ତି ଶାହା ।

ଏନଏଫଏସସି କ୍ୟାମ୍ପସ ପରିସରରେ ନିଜ ଅଭିଭାଷଣ ରଖୁଛନ୍ତି ଅମିତ୍ ଶାହା ।
ତାଙ୍କ ଅଭିଭାଷଣରେ ଅମିତ୍ ଶାହା କହିଛନ୍ତି, ୨୦୧୬ରୁ ମୋଦି ସରକାରଙ୍କ ନିରନ୍ତର ଚେଷ୍ଟା ପାଇଁ ଏନଡିଆରଏଫ ଆଜି ବିଶ୍ବ ସ୍ତରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ଉଭା ହୋଇଛି । ସେନ୍ଦାଇ ଫ୍ରେମୱାର୍କ ଅଧିନରେ ଏହା ସମସ୍ତ ବେଞ୍ଚ ମାର୍କରେ ସଫଳତା ହାସଲ କରିଛି । ବିଗତ ଦୁଇ ଦଶକ ଧରି ଦେଶ ଆପାତ୍ତକାଳୀନ ସେବାରେ ଯଥେଷ୍ଟ ସୁଧାର ଆଣିଛି ।
୧୯୯୯ରେ ଓଡ଼ିଶାକୁ ଆସିଥିବା ମହାବାତ୍ୟା ଓ ଗତ ମେ’ ମାସରେ ବାତ୍ୟା ‘ଫୋନି’ ରେ ଏନଡିଆରଏଫ ତାର ପାରଦର୍ଶିତା ଦେଖାଇଛି । ଫୋନି ତୁଳନାରେ ମହାବାତ୍ୟାରେ ପ୍ରାୟ ୧୦ହଜାର ଲୋକଙ୍କ ଜୀବନ ହାନି ଘଟିଥିଲା । ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଏନଡିଆରଏଫର ୬୪ଜଣ ଯବାନ ନିଜର ପ୍ରାଣବଳି ଦେଇଥିଲେ । ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସେ ଓଡ଼ିଶା ସରକାରଙ୍କ ଦକ୍ଷତା ଓ ପଦକ୍ଷେପକୁ ପ୍ରଶଂସା କରିବାକୁ ଭୁଲିନଥିଲେ ।
ବିଗତ ଏକ ଦଶକରେ ଲୋକଙ୍କ ଜୀବନ ହାନି ହାରକୁ ଅତିତ ତୁଳନାରେ ୧%ରୁ ମଧ୍ୟ କମ୍ କରିବାରେ ସଫଳ ହୋଇଛି ଭାରତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।