News18 Odia Digital
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ (CAA)କୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଆଇନକୁ ନେଇ ଲୋକଙ୍କ ଭିତରେ ଭୁଲ ଧାରଣା ସୃଷ୍ଟି କରାଯାଉଛି ବୋଲି ଭୁବନେଶ୍ବରର ଜନତା ମଇଦାନରେ ସିଏଏ ସମର୍ଥନରେ ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧନ କରି ପୁଣି ଦୋହରାଇଛନ୍ତି ସେ ।
‘‘CAA କାହାରି ନାଗରିକତା ନେବ ନାହିଁ, ବରଂ ଦେବ । ନାଗରିକତା ସଂଶୋଧନ ଆଇନକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରାଯାଉଛି । CAA ଯୋଗୁଁ କୌଣସି ସୁସଲମାନଙ୍କର ବା ଅନ୍ୟ ସଂଖ୍ୟାଲଘୁଙ୍କ ନାଗରିକତା ଯିବ ନାହିଁ । ଏହି ଆଇନ୍ ଦେଶର ସଂହିତା ଓ ସାର୍ବଭୌମତ୍ୟ ରକ୍ଷା କରିବାରେ ବେଶ୍ ସହାୟକ ହେବ,’’ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଏବଂ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ନିଜ ମତ ରଖି ଶାହ କହିଛନ୍ତି ଯେ ରାମଙ୍କ ଜନ୍ମଭୂମିରେ ହିଁ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ । କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ସ୍ବାଧୀନତା ଓ ବିକାଶ ବଢ଼ିଛି ବୋଲି ସେ କହିଛନ୍ତି । ଏହି ସମାବେଶରେ ଓଡ଼ିଶାରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଜନତା ମଇଦାନ୍ରେ ରାଲି ସ୍ଥଳର ଏକ ଦୃଶ୍ୟ
ସମାବେଶରେ କଂଗ୍ରେସର ରାଜନୀତିକୁ ଜୋରଦାର ବିରୋଧ କରି ଶାହ କହିଛନ୍ତି ଯେ ବିଜେପିର ପାଞ୍ଚ ବର୍ଷ ଆଗରେ ଫିକା ପଡ଼ିବ କଂଗ୍ରେସର ୫୫ ବର୍ଷର ଶାସନ । ‘‘କେନ୍ଦ୍ରୀୟ ଅନୁଦାନରେ କଂଗ୍ରେସ ଓଡ଼ିଶାକୁ ୧୦ ବର୍ଷରେ ଦେଇଥିଲା ୮୦ ହଜାର କୋଟି ଟଙ୍କା । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ୫ ବର୍ଷରେ ଦେଇଛି ୨.୧୧ ଲକ୍ଷ କୋଟି ଟଙ୍କା । ତା’ଛଡ଼ା ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ୯୧ ଲକ୍ଷ ଓ ବିଜେଡିକୁ ୧.୧ କୋଟି ଭୋଟ୍ ମିଳିଛି… ଗୋଟିଏ ଲମ୍ଫରେ ବିଜେପି ଶୀର୍ଷ ସ୍ଥାନକୁ ଯିବ,’’ କହିଛନ୍ତି ଶାହ ।
‘‘ଓଡ଼ିଶାବାସୀ ବିଜେପିକୁ ୩୮.୪% ଭୋଟ ଦେଇଛନ୍ତି । ରାଜ୍ୟରେ ୧୪ ହଜାର ବୁଥ୍ରେ ବିଜେପି ଆଗରେ ଓ ୫୫ ହଜାର ବୁଥ୍ରେ ଦ୍ବିତୀୟ ସ୍ଥାନରେ ଅଛି । ବିଜେପି ଓଡ଼ିଶାର ବିକାଶ ପ୍ରତି ଅଙ୍ଗୀକାରବଦ୍ଧ । ୨୦୨୪ ସୁଦ୍ଧା ଓଡ଼ିଶାର ସବୁ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯିବ,’’ କହିଛନ୍ତି ଶାହ । ସମାବେଶରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସିଏଏର ଯଥାର୍ଥତା ଓ ଆବଶ୍ୟକତାକୁ ସ୍ପଷ୍ଟ କରିଥିଲେ ।

ରାଲିର ମଞ୍ଚରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ
ସମାବେଶରେ ଅଭିଭାଷଣ ପୂର୍ବରୁ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡ଼ିଶା ତାଙ୍କର ଦ୍ବିତୀୟ ଘର ବୋଲି ସେ କହିଥିଲେ ।

ରାଲିରେ ଉପସ୍ଥିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର
ପ୍ରତାପ ଷଢ଼ଙ୍ଗୀ ତାଙ୍କ ଭାଷଣରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ‘‘ଭାରତର ଦୁଇ ଜଣ ବିରାଟ ପୁରୁଷ’’ ବୋଲି ଅଭିହିତ କରିଥିଲେ ଓ ସେମାନେ ଦେଶର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେଶବାସୀଙ୍କୁ ଉପହାର ଦେଇଛନ୍ତି ।