News18 Odia Digital
ପୁରୀ: ଶ୍ରୀ ଗୌର ବିହାର ବା ମାତା ମଠରେ ୨୦୧୬ ମସିହାରେ ୫୫୫ ପ୍ରକାରର ବ୍ୟଞ୍ଜନ ,୨୦୧୭ରେ ୬୧୧ ପ୍ରକାର ,୨୦୧୮ରେ ୬୩୫ ପ୍ରକାର ଓ ୨୦୧୯ରେ ୬୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ କରି ରେକର୍ଡ କରାଯାଇଥିଲା । ହେଲେ ୨୦୨୦ରେ ବ୍ୟଞ୍ଜନ ଦ୍ୱାଦଶୀରେ ୧୫୧ ପ୍ରକାର ବ୍ୟଞ୍ଜନ କରି ମାତା ମଠ ପକ୍ଷରୁ କୋଭିଡ କଟକଣାରେ ମହୋତ୍ସବ କରିବା ବେଶ କଷ୍ଟସାଧ୍ୟ ହୋଇଥିଲା।
ମାତା ମଠର ମଠାଧିଶ ତଥା ଶ୍ରୀ ଗୌର ବିହାର ଆଧ୍ୟାତ୍ମିକ ଟ୍ରଷ୍ଟ ଅଧ୍ୟକ୍ଷ ୫୨ ବର୍ଷୀୟ ମହନ୍ତ ସୁବଳ ଦାସ ମହାରାଜଙ୍କ କହିବା ଅନୁଯାୟୀ, "ପୌରାଣିକ ତଥ୍ୟ ଅନୁଯାୟୀ ବ୍ୟଞ୍ଜନ ଦ୍ୱାଦଶୀରେ ଯଶୋଦା ମା' ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହାକୁ କେନ୍ଦ୍ର କରି ବୁଧବାର ଦିନରେ ପୁରୀର ଗୌର ବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ପାଳନ କରାଯାଇଥିଲା। ଗତ ବର୍ଷ କରୋନା କଟକଣା ପାଇଁ ନିଡାମ୍ବର ଭାବେ ପାଳନ କରାଯାଇ ୧୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ ୧୦୦ ଜଣ ପାଚିକାଙ୍କ ଦ୍ଵାରା ମାତ୍ର ୭୦୧ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରମ୍ପରା ପାଳନ ନିମନ୍ତେ ସୀମିତ ରୋଷେୟା, ପୂଜକ, ସାଧୁସନ୍ଥ ଓ ଭକ୍ତଙ୍କ ସହ ଉତ୍ସବକୁ ପାଳନ କରାଯାଇଥିଲା।’’

ଚଳିତ ବର୍ଷ ୧୦୦ ଜଣ ପାଚିକାଙ୍କ ଦ୍ଵାରା ମାତ୍ର ୭୦୧ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହରିହରାନନ୍ଦ ଗୁରୁକୂଳ ଆଶ୍ରମର ୫୨ ବର୍ଷୀୟ ମୁଖ୍ୟ ଗୁରୁ ପ୍ରଜ୍ଞାନାନନ୍ଦ ମହାରାଜଙ୍କ କହିଥିଲେ," ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କ ବିଶେଷ ନୀତି ଥିବାବେଳେ ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି। ଦ୍ୱାପର ଯୁଗରେ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି। ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଶ୍ରୀକୃଷ୍ଣ ଭକ୍ତମାନେ ଏହି ଅବସରରେ ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି।’’
ଆଶ୍ରମର ୬୦ ବର୍ଷୀୟ ଅନ୍ତେବାସୀ ଶ୍ୟାମ ପ୍ରକାଶ କହିଥିଲେ," ପୁରୀରେ ଥିବା ଗୌର ବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପ୍ରାୟ ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ୱାବଧାନରେ ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବିଭିନ୍ନ ପ୍ରକାରର ଚଟଣି, ସାଦା ଅନ୍ନ, କାନିକା, ମିଠା ଅନ୍ନ, ଖେଚେଡ଼ି, ବିଭିନ୍ନ ରକମର ଡାଲି, ବିଭିନ୍ନ ପରିବାର ଅଲଗା ଅଲଗା ଭଜା, ପୋଟଳ ଆଳୁ ତରକାରି, ମୂଳା, ସଜନା ଆଦି ୧୦ ପ୍ରକାରର ଶାଗ,୧୦ ପ୍ରକାର ପିଠା, ୫ ପ୍ରକାର ଖିରି ଆଦି ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଭୋଗ ପରେ ଶତାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଅର୍ପଣ କରାଯାଇଥିଲା । ହେଲେ ଗତ ବର୍ଷ କୋଭିଡ ସକାଶେ ଏହା ୧୫୧ରେ ସୀମିତ କରିବାକୁ ବାଧ୍ୟ ହେଇଥିଲୁ।’’

କୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ୭୦୧ ପ୍ରକାର ବ୍ୟଞ୍ଜନ
ଚଳିତ ବର୍ଷ ସବୁ ପର୍ବପର୍ବାଣି ଓ ଯାନିଯାତ୍ରା କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ବ୍ୟଞ୍ଜନ ଦ୍ଵାଦଶୀରେ ଏହି ପରମ୍ପରାକୁ କଟକଣା ଭିତ୍ତିରେ ପାଳନ ହୋଇଥିବା ବେଶ ପ୍ରଶଂସନୀୟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।