Holy Tragedy: ଯାଜପୁରର ଏହି ଗାଁରେ ହୋଲି ପାଲଟିଛି ରଙ୍ଗହୀନ

Holy tragedy: ଗତ ବର୍ଷ ଠିକ୍ ଆଜି ଦିନରେ ଗାଁ ପାଖ ମଙ୍ଗଳା ଘାଟରେ ବୁଡିଯାଇ ଏକ ଯୌଥ ପରିବାରର ୬ ଭାଇଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିପାଇଁ ଆଜି ଗାଁରେ ରଙ୍ଗହୀନ ପାଲଟିଛି ହୋଲି।

ଯାଜପୁରର ଏହି ଗାଁରେ ହୋଲି ପାଲଟିଛି ରଙ୍ଗହୀନ

ଯାଜପୁରର ଏହି ଗାଁରେ ହୋଲି ପାଲଟିଛି ରଙ୍ଗହୀନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଯାଜପୁର: ଆସିଛି ଏବେ ରଙ୍ଗର ପର୍ବ ହୋଲି। କିନ୍ତୁ ଗତ ବର୍ଷର ଅଘଟଣ ପାଇଁ ସାରା ଗାଁରେ ଏ ବର୍ଷର ହୋଲି ପାଲଟିଛି ରଙ୍ଗହୀନ। ଅଘଟଣକୁ ଠିକ୍ ବର୍ଷେ ବିତିଯାଇଛି। ସମୟ ଚକ୍ରରେ ପୁଣି ଆସିଯାଇଛି ଆଉ ଏକ ହୋଲି। ତେବେ ସେ ଦିନର ଅଘଟଣକୁ କେମିତି ବା ଭୁଲିବେ ପରିବାର, ପ୍ରିୟଜନ ଓ ଗ୍ରାମବାସୀ। ଆମେ କହୁଛୁ ଯାଜପୁର ସଦର ବ୍ଲକ ବନ୍ଧମୁଣ୍ଡା ଗାଁର ସେହି କୋହଭରା ଘଟଣା କଥା।

ଗତ ବର୍ଷ ଠିକ୍ ଆଜି ଦିନରେ ଗାଁ ପାଖ ମଙ୍ଗଳା ଘାଟରେ ବୁଡିଯାଇ ଏକ ଯୌଥ ପରିବାରର ୬ ଭାଇଙ୍କ ମୃତ୍ୟୁ ଘଟିଥିଲା। ସେଥିପାଇଁ ଚଳିତ ବର୍ଷ ଗାଁରେ ନାଁ କାହା ମୁହଁରେ ହୋଲିର ରଙ୍ଗ ଅଛି ନା ଅଛି ମନରେ ଖୁସି।

ସେହି ୬ ଭାଇଙ୍କ ସ୍ମୃତିରେ ଗାଁରେ ନିର୍ମାଣ ହୋଇଛି ସ୍ମୃତିମଣ୍ଡପ। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ। ଆଉ ସାରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ।

ଦିନେ ଯେଉଁ ହୋଲିରେ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେଉଥିଲା ପୁରା ଗାଁ, ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ। କାହାରି ମୁହଁରେ କିଛି କହିବାକୁ ଭାଷା ନାହିଁ, ସମସ୍ତଙ୍କ ଆଖିରୁ ଝରୁଛି ଲୁହ ଆଉ ମନରେ ଭରିଛି କୋହ। କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ। ଗାଁ ସାରା ସବୁଠି ଗୋଟିଏ ଚର୍ଚ୍ଚା, ସତେ ଯେମିତି ଗୋଟିଏ ଦିନରେ ୬ ଭାଇ କଥାବାର୍ତ୍ତା ହୋଇ ଆରପାରିକୁ ଚାଲିଗଲେ? ଏଭଳି ଛାତିଥରା ଘଟଣା ଘଟିଥିଲା ସଦର ବ୍ଲକର ବନ୍ଧମୁଣ୍ଡା ଗାଁରେ।

ଯାଜପୁରର ଏହି ଗାଁରେ ହୋଲି ପାଲଟିଛି ରଙ୍ଗହୀନ


ଯେଉଁଠି ଗତ ବର୍ଷ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ବଡ ଅଘଟଣ। ନଦୀଘାଟରେ ବୁଡିଯାଇଥିଲେ ଏକ ଯୌଥ ପରିବାରର ୬ ଭାଇ। ଆଉ ଅଳ୍ପକେ ରକ୍ଷା ପାଇଯାଇଥିଲେ ଅନ୍ୟ ଦୁଇଭାଇ। ସେଥିପାଇଁ ଆଜି ଗାଁରେ ନାଁ ରଙ୍ଗ ଖେଳ ହେଉଛି ନାଁ ମନରେ କାହାରି ଖୁସି ଅଛି। କାରଣ ଗତ ବର୍ଷ ଏହି ରଙ୍ଗ ଖେଳରେ ହିଁ କିଏ ହରାଇଥିଲା ତାର ପୁଅକୁ ତ ଆଉ କିଏ ହରାଇଥିଲା ତାର ଭାଇକୁ।

ସେଦିନର ସେହି କଳା ମୁହୁର୍ତ୍ତକୁ ଭାବିଲା ବେଳକୁ କୋହକୁ ଅଟକାଇ ପାରୁନାହାଁନ୍ତି ପରିବାର ଓ ଆତ୍ମୀୟ ସ୍ୱଜନ। ସେଦିନର ସେହି ଦୁଃଖଦ ଘଟଣାକୁ ଆଖିରେ ଦେଖିଥିବା ଜଣେ ବ୍ୟକ୍ତି ହେଉଛନ୍ତି ଅର୍ଜୁନ ଜେନା। ସେ କହିଲେ ଏଭଳି ଦୁଃଖ ଗାଁରେ କେବେ ଘଟିନଥିଲା। ଘଟଣା ବଖାଣୁଥିବା ବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଅର୍ଜୁନ।

ପ୍ରତିବର୍ଷ ଭଳି ଗତବର୍ଷ ବନ୍ଧମୁଣ୍ଡା ଗାଁରେ ସଂକିର୍ତ୍ତନ ପରଦିନ ଅର୍ଥାତ୍ ଆଜିର ଦିନରେ ଦୋଳପୂର୍ଣ୍ଣିମା ଦିନ ହୋଲି ପାଳନ କରାଯାଏ। ସେଥିପାଇଁ ହୋଲି ଖେଳି ସାରି ଗାଁର ଯୁବକମାନେ ଗାଧୋଇବାକୁ ପାଖ ଖରସ୍ରୋତା ନଦୀର ମଙ୍ଗଳା ଘାଟକୁ ଯାଇଥିଲେ। ସେଠି ଜଣକ ପରେ ଜଣେ ନଦୀର ପ୍ରଖର ସ୍ରୋତରେ ୬ ଭାଇ ଭାସିଯାଇଥିଲେ। ସେହି ହୃଦୟ ବିଦାରକ ଦୃଶ୍ୟ ସମଗ୍ର ରାଜ୍ୟକୁ ଚହଲାଇ ଦେଇଥିଲା। ସେହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏବର୍ଷ ଗାଁ ମୁଣ୍ଡରେ ନିର୍ମାଣ କରାଯାଇଛି ଏକ ସ୍ମୃତିମଣ୍ଡପ। ଯେଉଁଠି ୬ ଭାଇଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଆଉ ଗ୍ରାମବାସୀଙ୍କ ରିଷ୍ଟଖଣ୍ଡନ ପାଇଁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା।

ପ୍ରତିମୂର୍ତିକୁ ପୂଜାର୍ଚ୍ଚନା କଲାବେଳେ ପରିବାର ବର୍ଗଙ୍କ ବୁକୁଫଟା କାନ୍ଦରେ ଫାଟିପଡୁଥିଲା ପୁରା ପରିବେଶ। ଗତବର୍ଷ ଏହି ଗାଁକୁ ଯେଉଁଭଳି ଦୁଃଖ ଆସିଥିଲା, ସେହି ଭଳି ଦୁଃଖ ଆଉ କାହାକୁ ନ ଆସୁ ବୋଲି କାମନା କରିଛନ୍ତି ଗ୍ରାମବାସୀ ଗୌରାଙ୍ଗ ଜେନା ଓ ସରପଞ୍ଚ ପ୍ରତିନିଧି ମନରଞ୍ଜନ।

ଏହି ୬ ଭାଇଙ୍କ ଅକାଳ ବିୟୋଗ ପାଇଁ ଚଳିତ ବର୍ଷ ଗାଁରେ ଭଜନ ସଂକିର୍ତ୍ତନକୁ ମଧ୍ୟ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।

ଯାଜପୁରରୁ ସୁଜିତ ମଲିକଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: