କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟାକ୍ସ; ଡଟ ମି ଆପରେ ଲୋକେ ଜମା କରିବେ ଟଙ୍କା

ଏଣିକି ଅଫଲାଇନ ପରିବର୍ତ୍ତେ କେବଳ ଅନଲାଇନରେ ଆଦାୟ କରାଯିବ ହୋଲ୍ଡିଂ ଟାକ୍ସ । ବିଏମ୍ସିର ଭୁବନେଶ୍ବର ଡଟ୍ ମି ସ୍ବତନ୍ତ୍ର ଆପ୍ ଜରିଆରେ ଏହି ଟାକ୍ସ ପଇଠ କରାଯିବ । ଏହା ଦ୍ବାରା ଲୋକେ ଘରେ ବସି ସହଜରେ ଟାକ୍ସ ଦାଖଲ କରିପାରିବେ ।

କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟାକ୍ସ (ପ୍ରତୀକାତ୍ମକ ଛବି)

କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟାକ୍ସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅଫଲାଇନ ପରିବର୍ତ୍ତେ ଅନଲାଇନ ସେବା ପ୍ରତି ଲୋକଙ୍କ ଭିତରେ ବୃଦ୍ଧି ପାଉଛି ଆଗ୍ରହ। ଅନଲାଇନ ସେବା ଯୋଗାଇ ବିଏମ୍ସି ଆଦାୟ କରିପାରିଛି ରେକର୍ଡ ପରିମାଣର ରାଜସ୍ବ । ଏଣିକି ଅଫଲାଇନ ପରିବର୍ତ୍ତେ କେବଳ ଅନଲାଇନରେ ଆଦାୟ କରାଯିବ ହୋଲ୍ଡିଂ ଟାକ୍ସ । ପରେ ଅନ୍ୟ ସମସ୍ତ ସେବାଗୁଡ଼ିକୁ ମଧ୍ୟ ଅନଲାଇନରେ ଯୋଗାଇବାକୁ ଲକ୍ଷ୍ୟ ରଖିଛି ବିଏମ୍ସି ।

୨୦୨୧-୨୨ ଆର୍ଥିକ ବର୍ଷରେ ବିଏମ୍ସି କରିଛି ରେକର୍ଡ଼ ପରିମାଣର ରାଜସ୍ବ ଆଦାୟ । ୧୫୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ସେଥିରୁ ଶତକଡ଼ା ୫୦ ପ୍ରତିଶତ ଅନଲାଇନ ମାଧ୍ୟମରେ ସଂଗୃହିତ ହୋଇଛି । ଲୋକଙ୍କ ମଧ୍ୟରେ ଅଫଲାଇନ୍ ପରିବର୍ତ୍ତେ ଅନଲାଇନ ପ୍ରତି ଆଗ୍ରହ ବଢ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଟାକ୍ସ ଆଦାୟ ପାଇଁ ନେଇଛି ବଡ ନିଷ୍ପତ୍ତି । ହୋଲ୍ଡିଂ ଟାକ୍ସ ଏଣିକି ଅଫଲାଇନରେ ନୁହଁ କେବଳ ଅନଲାଇନରେ ଆଦାୟ କରାଯିବ । ବିଏମ୍ସିର ଭୁବନେଶ୍ବର ଡଟ୍ ମି ସ୍ବତନ୍ତ୍ର ଆପ୍ ଜରିଆରେ ଏହି ଟାକ୍ସ ପଇଠ କରାଯିବ । ଏହା ଦ୍ବାରା ଲୋକେ ଘରେ ବସି ସହଜରେ ଟାକ୍ସ ଦାଖଲ କରିପାରିବେ । ଚଳିତ ଆର୍ଥିକ ବର୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହାକୁ ବ୍ୟବସ୍ଥିତ କରିବା ପାଇଁ ଟାକ୍ସ ଆଦାୟ କ୍ଷେତ୍ରରେ ନିୟୋଜିତ ଥିବା ସମସ୍ତ ଓ୍ବାର୍ଡ ଅଫିସର ଓ ଟାକ୍ସ କଲେକ୍ଟରମାନଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ୍ ଦିଆଯାଇଛି । ବିଏମ୍ସିର ଏହି ନିଷ୍ପତ୍ତି ଉଭୟ ବିଏମ୍ସି ଓ ରାଜଧାନୀବାସୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି କହିଛନ୍ତି କମିଶନର ।

"ଆମେ ଅନଲାଇନ ମାଧ୍ୟମରେ ଟାକ୍ସ କଲେକ୍ସନରେ ସଫଳ ହେଇଛୁ ଅଫଳାଇନ ଅପେକ୍ଷା। ଲୋକଙ୍କୁ ବି ସୁବିଧା ହେଉଛି, ବିଏମ୍ସିକୁ ବି ସୁବିଧା ହେଉଛି। ଲୋକଙ୍କ ପାଇଁ ଜାଗା ଜାଗା ରେ ଇ କିଅସ୍କର ସୁବିଧା ହେଇଛି ଯେଉଁଠି ସେମାନେ ଟଙ୍କା ପଇଠ କରି ପାରିବେ। ଏଣୁ ଏଇ ଆର୍ଥିକ ବର୍ଷରୁ ଅନଲାଇନ ରେ ହୋଲ୍ଡିଂ ଟାକ୍ସ ଆଦାୟ ହେବ ଏହା ପରେ ସମସ୍ତ କାର୍ଯ୍ୟକୁ ଅନଲାଇନ କରିବାକୁ ଯୋଜନା କରୁଛୁ," ବିଏମସି କମିଶନର ସଂଜୟ କୁମାର ସିଂ।

ଟାକ୍ସ ଆଦାୟରେ ନିୟୋଜିତ ଥିବା ସମସ୍ତ ଓ୍ବାର୍ଡ ଅଫିସର ଓ ଟାକ୍ସ କଲେକ୍ଟରଙ୍କୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ୍ । ୩ଟି ଜୋନରେ କର୍ମଚାରୀଙ୍କୁ ପୃଥକ୍ ପୃଥକ୍ ଭାବେ ଟ୍ରେନିଂ ଦିଆଯିବା ପରେ ସେମାନଙ୍କର କରାଯାଇଛି ପରୀକ୍ଷା । ଅନଲାଇନ୍ ମାଧ୍ୟମରେ ଟାକ୍ସ ଆଦାୟ ଉଭୟ ରାଜଧାନୀବାସୀ ଓ ଟାକ୍ସ ଆଦାୟକାରୀଙ୍କ ପାଇଁ ସହଜ ଓ ସୁରକ୍ଷିତ ହେବ ବୋଲି କହିଛନ୍ତି ଓ୍ବାର୍ଡ଼ ଅଫିସର । ତତ୍କାଳ ରସିଦ ପାଇବା ସହିତ ଘରେ ବସି ଜଣେ ନିଜ ହୋଲ୍ଡିଂ ଟାକ୍ସ ପଇଠ କରିପାରିବେ । ସେପଟେ ପୂର୍ବରୁ ଚେକ୍ ମାଧ୍ୟମରେ ଟାକ୍ସ ଆଦାୟରେ ରହିଥିଲା ଅନେକ ସମସ୍ୟା । ବହୁ ଚେକ୍ ବାଉନ୍ସ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଥିଲା । ଅନଲାଇନ ରେ ଟାକ୍ସ ପଇଠ ହେଲେ ଚେକ୍ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ଟାକ୍ସ ଆଦାୟରେ ନିୟୋଜିତ କିନ୍ନର ଗୋଷ୍ଠୀ ।

"ଅନଲାଇନରେ ହୋଲ୍ଡିଂ ଟାକ୍ସ ଆଦାୟ ହେଲେ ଆମର ଅନେକ ବୋଝ ହାଲୁକା ହେବ। ଲୋକଙ୍କୁ ବି ଘରେ ବସି ଫି ଜମା କରିବାକି ସୁବିଧା ହେବ। ଅନେକ ସମୟରେ ଲୋକମାନେ ଦେଉଥିବା ଚେକ ବାଉଁଶ ମଧ୍ୟ ହଉଥିଲା। ଏଣୁ ସେ ସବୁ ଅଡ଼ୁଆ ବି ରହିବନି। ଏଣୁ ଏହା ଏକ ଭଲ ପଦକ୍ଷେପ,"ବିଏମସି ଓ୍ବାର୍ଡ଼ ଅଫିସର ରବୀନ୍ଦ୍ର ନାଥ ମିଶ୍ର।
Published by:Soumya Das
First published: