News 18 Odia Digital
ବ୍ରହ୍ମପୁର; ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ୍ ପୂର୍ବରୁ ଏହାର ଟ୍ରଫିକୁ ରାଜ୍ୟରେ ପରିକ୍ରମା କରାଯାଉଛି । ଏହି ଟ୍ରଫି ଗତକାଲି ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଦେଇ ଜିଲ୍ଲା ସଦର ମହକୁମା ଛତ୍ରପୁର ଓ ପରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ପହଞ୍ଚିଥିଲା।

ଟ୍ରଫିକୁ ସ୍ୱାଗତ କରିବା ଲାଗି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ଆଜି ଟ୍ରଫି ବ୍ରହ୍ମପୁର ସହରର ଖଲ୍ଲିକୋଟ ଷ୍ଟାଡିୟମ, ରାମଲିଙ୍ଗେଶ୍ୱର ପାର୍କ ଆଦି ପରିକ୍ରମା କରିବା ପରେ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠରେ ପହଞ୍ଚିଥିଲା । ତାରାତାରିଣୀ ପୀଠରେ ହକି ବିଶ୍ୱକପ୍ ଟ୍ରଫି ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଟ୍ରଫିକୁ ମାଆଙ୍କ ନିକଟରେ ରଖାଯାଇ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ବିଶ୍ଵକପ ହକି ଓଡ଼ିଶା ଆୟୋଜନ କରାଯାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ସମସ୍ତ ଉପସ୍ଥିତ ଅତିଥି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ , କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ, ଉପ ଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ସମେତ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ଓ ଏନଏସି ଅଧ୍ୟକ୍ଷା ଯୋଗ ଦେଇଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।