News18 Odia Digital
ଭୁବନେଶ୍ବର: ଓଡ଼ିଶାରେ ହକି ଫିଭର। ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ଵକପ ଆୟୋଜନ ହେଉଥିବାରୁ ସାରା ବିଶ୍ବରେ ଓଡ଼ିଶା ଓ ହକିକୁ ନେଇ ଚର୍ଚ୍ଚା। ହକିର ଗ୍ରାଣ୍ଡ ଆୟୋଜନକୁ ନେଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଉରକେଲାରେ ସବୁଠୁ ବଡ଼ ହକି ଷ୍ଟାଡିୟମ୍, କ୍ରୀଡାର ସୁଦୃଢ଼ ଭିତ୍ତିଭୂମୀ, ହକିକୁ ପ୍ରୋତ୍ସାହନ ଓ ବ୍ୟାପକ ଆୟୋଜନ ନେଇ ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଛି। କେବଳ ଖେଳ, ଖେଳାଳି କି କ୍ରୀଡାବିତ୍ ନୁହେଁ ହକିକୁ ଅଧିକ ପ୍ରଚାର ପ୍ରସାର ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ। ସର୍ବଦଳୀୟ ବୈଠକ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ।
ଦଳମତ ନିର୍ବିଶେଷରେ ମ୍ୟାଚ୍ ଦେଖିବାକୁ ସବୁ ଦଳର ନେତା ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ଓଡ଼ିଶା ଇତିହାସର ପ୍ରଥମ। କେବଳ ହକି ଆୟୋଜନ ନୁହେଁ ବିଶ୍ୱସ୍ତରରେ ଏଭଳି ଆୟୋଜନ କରି ଓଡ଼ିଶାର ପ୍ରଚାର ପ୍ରସାର, ପର୍ଯ୍ୟଟନ ବିକାଶ ଓ ଶିଳ୍ପାୟନର ସ୍ବପ୍ନ ଦେଖିଛନ୍ତି ରାଜ୍ୟ ସରକାର। ବରିଷ୍ଠ ସାମ୍ବାଦିକ କେ.ରବି କହିଛନ୍ତି, "ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ବେଳେ ଓଡ଼ିଶାକୁ ସମସ୍ତଙ୍କୁ ଡାକି ଭିନ୍ନ ବାର୍ତ୍ତା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଓଡ଼ିଶାର ଭାବମୂର୍ତ୍ତି ବଢ଼ାଇବାରେ ସହାୟକ ହେବ। ଏଭଳି ଆୟୋଜନ ଦେଖି ଅନ୍ୟ ରାଜ୍ୟ ବି କ୍ରୀଡା ଆୟୋଜନ ପ୍ରତି ଆଗ୍ରହ ପ୍ରକାଶ କରିବେ। ହକି ବିଶ୍ଵକପରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ନେଇ ବିଭିନ୍ନ ରାଜ୍ୟ ଗସ୍ତ କରିଛନ୍ତି ଓଡ଼ିଶାର ମନ୍ତ୍ରୀ।

ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି
ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି। ନବୀନଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଆସିବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି ଶିବରାଜ ସିଂ ଚୌହାନ। ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାମିଲନାଡୁ, କେରଳ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ଭେଟିବେ ମନ୍ତ୍ରୀ ଅଶୋକ ପଣ୍ଡା।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ଭେଟିବେ ମନ୍ତ୍ରୀ ଅଶୋକ ପଣ୍ଡା
ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନ୍ୟ ମନ୍ତ୍ରୀଙ୍କୁ ବି ଦାୟିତ୍ବ ଦିଆଯାଇଛି। ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି ଯେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି। ସମସ୍ତେ ଓଡ଼ିଶା ଆସିଲେ ବହୁତ୍ ଭଲ କଥା। ସେମାନେ ଓଡ଼ିଶା ଆସିବା ଦ୍ବାରା ଓଡ଼ିଶା ବାବଦରେ ଅବଗତ ହୋଇପାରିବେ। ଓଡ଼ିଶାର ଭାବମୂର୍ତ୍ତି ବି ଜାତୀୟ ସ୍ତରରେ ଅଧିକ ବଢ଼ିବ ବୋଲି ସେ କହିଛନ୍ତି। ହକି ଇଣ୍ଡିଆକୁ ଓଡ଼ିଶା ସ୍ପନସର କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ବିଶ୍ଵକପ ଆୟୋଜନ କରୁଛି ଓଡ଼ିଶା। ତେବେ ରାଜନୀତିରେ ସମଦୁରତା ରଖି ଆସୁଥିବା ନବୀନ ହକି କ୍ଷେତ୍ରରେ ବିପରୀତ କାର୍ଡ ଖେଳିଛନ୍ତି। ସବୁ ନେତାଙ୍କୁ ଏକଜୁଟ କରି ଭିନ୍ନତା ଭିତରେ ଏକତାର ବାର୍ତ୍ତା ଦେଇଛନ୍ତି ନବୀନ। ଯାହାର ପ୍ଲାଟଫର୍ମ ସାଜିଛି ହକି ଆୟୋଜନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।