‘ଏବେ ଅଲିମ୍ପିଆନ୍‌ ଖୋଜିବା ସମୟ ନୁହେଁ ବରଂ ପଦକ ବିଜେତାଙ୍କୁ ଖୋଜିବା ଦରକାର’: ଦୀପକ ଠାକୁର

ଭାରତୀୟ ହକି ଦଳ ଆସନ୍ତା ଅଲିମ୍ପିକ୍ସରେ ପଦକ ଜିତିବ ବୋଲି ଦୃଢ ନିଶ୍ଚିତ ଅର୍ଜୁନ ପୁରସ୍କାର ବିଜେତା ହକି ଅଲିମ୍ପିଆନ୍‌ ଦୀପକ ଠାକୁର । ସେ ଚ଼ଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବରରେ ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ଅଛନ୍ତି ।

‘ଏବେ ଅଲିମ୍ପିଆନ୍‌ ଖୋଜିବା ସମୟ ନୁହେଁ ବରଂ ପଦକ ବିଜେତାଙ୍କୁ ଖୋଜିବା ଦରକାର’: ଦୀପକ ଠାକୁର
ଅର୍ଜୁନ ପୁରସ୍କାର ବିଜେତା ହକି ଅଲିମ୍ପିଆନ୍‌ ଦୀପକ ଠାକୁର (ବାମ)
  • News18 Odia
  • Last Updated: February 27, 2020, 9:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଅଲିମ୍ପିକ୍ସ ପ୍ରତିଭାଙ୍କୁ ଚ଼ିହ୍ନଟ କରିବା ଓ ସେମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦେବା । ହେଲେ ଅର୍ଜୁନ ପୁରସ୍କାର ବିଜେତା ହକି ଅଲିମ୍ପିଆନ୍‌ ଦୀପକ ଠାକୁର କହିଛନ୍ତି ଯେ ଏବେ ଅଲିମ୍ପିଆନ୍‌ ଖୋଜିବାର ସମୟ ନୁହେଁ, ବରଂ ପଦକ ବିଜେତାମାନଙ୍କୁ ଖୋଜିବା ଦରକାର।

‘‘ମୁଁ ଦୃଢ ନିଶ୍ଚିତ ଯେ ଭାରତୀୟ ହକି ଦଳ ପରବର୍ତ୍ତୀ ଅଲିମ୍ପିକ୍ସରେ ପଦକ ଜିତିବ। ବର୍ଷ ବର୍ଷ ଧରି ଯେଭଳି ଖେଳର ବିକାଶ ଘଟୁଛି, ଅଲିମ୍ପିକ୍ସ ପଦକ ନିଶ୍ଚିତ ନିକଟତର ହେଉଛି,’’ କହିଛନ୍ତି ଚ଼ଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବରରେ ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ଥିବା ଦୀପକ ଠାକୁର । ଭାରତ ସରକାରଙ୍କ ଖେଲୋ ଇଣ୍ଡିଆର ପ୍ରୟାସ ଖେଳକୁ ନୂଆ ସ୍ତରକୁ ନେବ ଓ ଏପରିକି ନିକଟ ଭବିଷ୍ୟତରେ ଦେଶକୁ ଖେଳରେ ବିଶ୍ବସ୍ତରୀୟ ଶକ୍ତିଭାବେ ଉଭା କରାଇବାରେ ପ୍ରମୁଖ ଭୂମିକା ନେବ ବୋଲି କହିଛନ୍ତି ସେ ।

୨୦୦୧ ହୋବାର୍ଟ କନିଷ୍ଠ ବିଶ୍ବ କପରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ୍‌ରେ ହ୍ୟାଟ୍ରିକ ନେବା ଓ ସେହି ସଂସ୍କରଣରେ ସର୍ବାଧିକ ଗୋଲ୍‌ ସ୍କୋର କରିଥିବା ଖେଳାଳି ହେଉଛନ୍ତି ଦୀପକ ଠାକୁର । ୧୯୯୯ରେ ଜର୍ମାନୀ ବିପକ୍ଷରେ ସେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ । ୨୦୦୦ ସିଡ୍‌ନୀ ଏବଂ ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ ବି କରିଥିଲେ । ୨୦୦୪ ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ଆଟାକିଂ ହକି ପାଇଁ ବେଶ ପରିଚିତ ଦୀପକ ଠାକୁର ।

ଖେଲୋ ଇଣ୍ଡିଆରେ ବିଭିନ୍ନ ଇଭେଣ୍ଟରେ ଉଚ୍ଚ ସ୍ତରର ପ୍ରତିଦ୍ବନ୍ଦିତା ହେଉଛି ବୋଲି କହିଛନ୍ତି ସେ । ବିଗତ ଦିନ ତୁଳନାରେ ଏବେ ଅନେକ ଉନ୍ନତି ହୋଇଛି । ଏବେ ଖେଳାଳିମାନଙ୍କୁ ହାତ ପାହାନ୍ତାରେ ଅନେକ ଜିନିଷ ମିଳି ଯାଉଛି ଓ ସରକାରଙ୍କ ପ୍ରୋତ୍ସାହନ ବି ବେଶ୍‌ ସହାୟକ ହେଉଛି ବୋଲି ସେ କହିଛନ୍ତି ।

‘‘କ୍ରୀଡା ମନ୍ତ୍ରୀ କିରଣ ରିଜୁଜୁଙ୍କ ଭୂମିକା ଏ ଦିଗରେ ଭାରି ସକରାତ୍ମକ ରହିଛି । ଭାରତୀୟ କ୍ରୀଡ଼ାକୁ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ହିଁ ଉଚ୍ଚ ସ୍ତରକୁ ନେଇ ପାରିବେ । ଏଭଳି ଆଭିମୁଖ୍ୟ କାରଣରୁ ଦେଶରେ କ୍ରିକେଟ ତୃଣ ମୂଳ ସ୍ତରରୁ ବ୍ୟବସ୍ଥିତ ହୋଇପାରିଛି,’’ କହିଛନ୍ତି ଏବେ ଚ଼ଣ୍ଡୀଗଡ଼ ସ୍ଥିତ ଖେଲୋ ଇଣ୍ଡିଆ ହକି ଏକାଡେମୀରେ ପ୍ରଶିକ୍ଷକ ଥିବା ଦୀପକ ଠାକୁର।

ସେହି ଏକାଡ଼େମୀରୁ ଚ଼ିହ୍ନଟ ହୋଇ କିଛି ହକି ପ୍ରତିଭା ମଧ୍ୟ ଜାତୀୟ ଶିବିରରେ ଯୋଗ ଦେବେ । ‘‘ଦିନେ ନା ଦିନେ ସେମାନେ ଦେଶର ପ୍ରତିନିଧିତ୍ବ କରିବେ । ମୁଁ କ୍ରୀଡ଼ା ମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ମଧ୍ୟ ପୂର୍ବତନ ଅଲିମ୍ପିଆନମାନଙ୍କୁ ଆଣି ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରିବା ବିଷୟରେ ଆଲୋଚନା କରିଛି,’’ କହିଛନ୍ତି ଠାକୁର ।

ଭୁବନେଶ୍ବର ଓ କଟକରେ ଖେଲୋ ଇଣ୍ଡିଆ ଖେଳ ମହୋତ୍ସବକୁ ନେଇ ଏବେ ଯେଭଳି କ୍ରୀଡ଼ା ପରିବେଶ ସୃଷ୍ଟି ହୋଇଛି ତାହା ଅନେକଙ୍କୁ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅନୁଭବ କରାଉଛି । ଏହା ଦ୍ବାରା ଯୁବ ଖେଳାଳିମାନେ ନିଜ ପାଇଁ ବଡ ଲକ୍ଷ୍ୟ ରଖିବେ ଏବଂ ଭାରତ ଖୁବ୍‌ ଶୀଘ୍ର ଏକ କ୍ରୀଡ଼ା ରାଷ୍ଟ୍ର ଭାବେ ନିଜର ପରିଚୟ ସୃଷ୍ଟି କରି ପାରିବ ବୋଲି କହିଛନ୍ତି ଖେଳ ବିଶେଷଜ୍ଞମାନେ ।
First published: February 27, 2020, 9:07 PM IST