ଅବହେଳିତ ଅବସ୍ଥାରେ ଐତିହାସିକ ପାରା ଭାଡ଼ି; ଇଂରେଜ ସମୟରେ କରୁଥିଲେ ଚିଠି ନେଣଦେଣ

ଇଂରେଜ କାଳରେ ପାରାମାନେ ଚିଠି ନେଣଦେଣ ସମୟରେ ଏହି ଭାଡ଼ିରେ ରହୁଥିଲେ। ଏବେ କିନ୍ତୁ ଅବହେଳିତ ଅବସ୍ଥାରେ।

ଅବହେଳିତ ଅବସ୍ଥାରେ ଐତିହାସିକ ପାରା ଭାଡ଼ି

ଅବହେଳିତ ଅବସ୍ଥାରେ ଐତିହାସିକ ପାରା ଭାଡ଼ି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ସହରରେ ରହିଥିବା ଐତିହାସିକ ପାରା ଭାଡ଼ି ଏବେ ଅବହେଳିତ। ଦିନ ଥିଲା ଏହି ପାରା ଭାଡ଼ିରେ ଶହ ଶହ ପାରା ରହୁଥିଲେ । ପାରା ମାନେ ଚିଠିକୁ ଧରି କିଲୋମିଟର କିଲୋମିଟର ଧରି ଯାଇ ଗନ୍ତବ୍ୟସ୍ଥଳରେ ଦେବା ପରେ ପୁଣି ଏହି ପାରା ଭାଡ଼ିକୁ ଫେରୁଥିଲେ । କିନ୍ତୁ କାଳକ୍ରମେ ଚିଠିର ଆଦାନ ପ୍ରଦାନ ବନ୍ଦ ହେବା ପରେ ସେଭଳି ଅଦରକାରୀ କୋଠା ଭାବେ ପଡ଼ି ରହିଛି ଏହି ପାରା ଭାଡ଼ି। ଏହି ପାରା ଭାଡ଼ିଟି ପ୍ରାୟ ୪୦ ଫୁଟ ଉଚ୍ଚତାର ରହିଥିବା ବେଳେ ଏଥି ମଧ୍ୟରେ ରହିଛି ୭୦୦ରୁ ଅଧିକ ପାରା ଘର ତଥା ଖୋପ । ବର୍ତ୍ତମାନ ଏହି ପାରା ଭାଡ଼ିର ପୁନଃରୁଦ୍ଧାର ସହ ଏହାକୁ ଐତିହାସିକ ସ୍ମାରକୀର ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଧୁନିକତାର ଛାପରେ ଆଉ ଚିଠି ଧରି ଉଡ଼ିପାରୁନି ପାରା। ପାରାର ଗୁରୁତ୍ବ ଯେଉଁଭଳି ପୂର୍ବରୁ ରହୁଥିଲା ଆଉ ତାହା ନାହିଁ । ଯାହାର ସ୍ପଷ୍ଟ ପ୍ରମାଣ ଦେଉଛି ବ୍ରିଟିଶ ଅମଳର ପାରା ଭାଡ଼ି। ୧୬୦୪ ମସିହାରେ ଗଞ୍ଜାମ ହାଇଦ୍ରାବାଦ ନିଜାମଙ୍କ ଅଧିନରେ ଥିବା ବେଳେ ଗୋଲକୁଣ୍ଡା ପ୍ରଶାସନ ପାରା ଡ଼ାକ ସେବା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିଲେ । ୧୭୭୦ ମସିହାରେ ମଧ୍ୟ ଇଂରାଜୀ ମାନେ ଏହି ପାରା ଡ଼ାକ ସେବା ଚାଲୁ ରଖିଥିଲେ ।

‘‘ଗଞ୍ଜାମରୁ ମାଡ଼୍ରାସ ୧୦୭୫ କିଲୋମିଟର ପାର୍ଯ୍ୟନ୍ତ ଦୁରକୁ ପାରା ମାନେ ବିଭିନ୍ନ ସନ୍ଦେସ ପ୍ରେରଣ କରୁଥିଲେ । ଏହି ପାରା ଭାଡ଼ି ପ୍ରାୟ ୪୦୦ ବର୍ଷର ଇତିହାସକୁ ବହନ କରିଛି । ପାରା ଭାଡ଼ିର ଉଚ୍ଚତା ୪୦ ଫୁଟ ରହିଥିବା ବେଳେ ପ୍ରାୟ ୭୦୦ରୁ ଅଧିକ ପାରା ଘର ତଥା ଖୋପ ରହିଛି । ଏହା ଛଡ଼ା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ପାରା ଡ଼ାକ ସେବା ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ଇତହାସ ରହିଛି," କହିଛନ୍ତିଗଞ୍ଜାମ ବାସିନ୍ଦା ଦୁର୍ଗା ମାଧବ ପାଣିଗ୍ରାହୀ ।

"ପାରା ଘର ଗୁଡ଼ିକରେ ପାରା ମାନଙ୍କୁ ରଖାଯାଇ ସେଠାରେ ତାଙ୍କୁ ଖାଇବାକୁ ଦିଆଯିବା ସହିତ ସ୍ବତନ୍ତ୍ର ତାଲିମ ଦିଆଯାଉଥିଲା । ଏହି ଛୋଟ ଛୋଟ ଘରେ ପାରା ମାନେ ବଂଶବୃଦ୍ଧି ମଧ୍ୟ କରୁଥିଲେ । ଏହାପରେ ଏହି ପାରା ଭାଡ଼ିକୁ ଡ଼ଚ ମାନେ ବ୍ୟବହାର କରିବା ପରେ ଇଂରାଜୀ ମାନେ ବ୍ୟବହାର କରୁଥିଲେ । ପରବର୍ତ୍ତୀ ସମୟରେ ଇଂରେଜ କବଳରୁ ଭାରତ ମୁକ୍ତ ହେବା ପରେ ପାରା ଡ଼ାକ ସେବା ଧିରେ ଧିରେ ବନ୍ଦ ହେବା ପରେ ଏହି ପାରା ଭାଡ଼ିରେ ମଧ୍ୟ ପାରା ସଂଖ୍ୟା କମିଯାଇଥିଲା । ଯାହାଫଳରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ପାରା ଭାଡ଼ିଟି ଭଗ୍ନ ଅବସ୍ଥାକୁ ଚାଲି ଆସିଛି,"କହିଛନ୍ତି ଗଞ୍ଜାମ ବାସିନ୍ଦା ପ୍ରଣବ କୁମାର ପ୍ରଧାନ।

"ପାରାମାନଙ୍କୁ ପୋଲିସ କର୍ମଚାରୀ ମାନେ ଚାରି ମାସିଆ ତାଲିମ ପ୍ରଦାନ କରୁଥିଲେ । ଆଉ ଏଥିପାଇଁ ଜଣେ ସ୍ବତନ୍ତ୍ର ପୋଲିସ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇଥିଲେ । ବର୍ତ୍ତମାନ ଏହାର ବ୍ୟବହାର ହେଉନଥିବା ବେଳେ ପ୍ରଶାସନର ମଧ୍ୟ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ତେଣୁ ଏହାର ରକ୍ଷଣାବେକ୍ଷଣ କରିବା ସହିତ ଏହାକୁ ଏକ ଐତିହାସିକ ସ୍ମାରକୀ ଭାବେ ମାନ୍ୟତା ପ୍ରଦାନ କରାଯାଉ," କହିଛନ୍ତି ଗଞ୍ଜାମ ବାସିନ୍ଦା ପ୍ରଭାତ କୁମାର ସାହୁ ।

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ପାରା ଭାଡ଼ିକୁ ଐତିହାସିକ ସ୍ମାରକୀ ମାନ୍ୟତା ଦାବି ହେଉଥିବା ବେଳେ କେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ୁଛି ତାହା ଦେଖିବାକୁ ବାକି ରହିଲା ।
Published by:Soumya Das
First published: