ପାକିସ୍ତାନରୁ ପୁରୀ: ସୀମା ସେପାରିର ହିନ୍ଦୁ ଓ ସିଖ୍‌ମାନେ ପ୍ରଭୁ ଜଗନ୍ନାଥଙ୍କୁ ଭେଟି ଭାବରେ ବିହ୍ୱଳ

ପାକିସ୍ତାନର ସିନ୍ଧ ପ୍ରଦେଶରେ ଅନେକ ମନ୍ଦିର ଓ ଗୁରୁଦ୍ୱାରା ଥିବା ଯୋଗୁଁ ଓ ସେଠି ଆଡମ୍ବରରେ ରଥ ଯାତ୍ରା, କୃଷ୍ଣ ଜନ୍ମାଷ୍ଟମୀ ଓ ଗଣେଶ ପୂଜା ଆଦି ପାଳନ ହେଉଥିବାରୁ ତାହା ଏକ ଛୋଟ ଭାରତ ବା ମିନି ଇଣ୍ଡିଆ ଭଳି ଲାଗେ ବୋଲି ଖୁସିରେ କହିଛନ୍ତି ସେଠାରୁ ପୁରୀ ଆସିଥିବା ହିନ୍ଦୁ ଓ ସିଖ୍‌ମାନେ ।

ପାକିସ୍ତାନରୁ ପୁରୀ: ସୀମା ସେପାରିର ହିନ୍ଦୁ ଓ ସିଖ୍‌ମାନେ ପ୍ରଭୁ ଜଗନ୍ନାଥଙ୍କୁ ଭେଟି ଭାବରେ ବିହ୍ୱଳ
ହୃଦୟରେ ନାହିଁ କାନ୍ଥ: ପୁରୀରେ ପାକିସ୍ତାନୀ ଝିଅ ପ୍ରିୟଙ୍କା କୁମାରୀ, ତନିଶା କୁମାରୀ ଓ ମନସ୍ୱିନୀ କୌର (ବାମରୁ ଡାହାଣ)
  • News18 Odia
  • Last Updated: January 5, 2020, 8:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପାକିସ୍ଥାନର ସିନ୍ଧ ପ୍ରଦେଶରେ ରହୁଥିବା ସପ୍ତମ ଶ୍ରେଣୀର ଛାତ୍ରୀ ତନିଶା କୁମାରୀ କେବେ ଭାବି ନ ଥିଲା ଯେ ଭାରତ ଆସି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବ । ବାପା ରବି କୁମାର ଓ ମା’ ବଲୱନ୍ତି କୁମାରୀଙ୍କ ସହ ପୁରୀରେ ଜଗନ୍ନାଥଙ୍କ ମନ୍ଦିର ବୁଲି ଦେଖିବା ପରେ ତା’ ଖୁସିର ସୀମା ନ ଥିଲା ।

‘‘ଚ଼ାରି ମାସ ପୂର୍ବରୁ ଭିସା ଆବେଦନ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆମେ ବେଶ ଖୁସି । ଭାରତ ଭଳି ପାକିସ୍ତାନରେ ମହିଳା ହୁଅନ୍ତୁ ବା ଯୁବତୀ ସମସ୍ତେ ସୁରକ୍ଷିତ । ବିଦ୍ୟାଳୟରେ ଏକା ସାଙ୍ଗରେ ହିନ୍ଦୁ ଓ ମୁସଲିମମାନେ ସାଙ୍ଗ ହୋଇ ପାଠ ପଢନ୍ତି,’’ କହିଛନ୍ତି ତନିଶା ।

ପାକିସ୍ତାନରୁ ୧୩୩ ଜଣ ହିନ୍ଦୁ ଓ ସିଖ୍‌ ଭାରତକୁ ବୁଲି ଆସି ପୁରୀରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରେ ଥିବା ୨୮ ଜଣ ସ୍କୁଲ୍‌ ଓ କଲେଜ୍‌ର ପିଲାମାନେ ଭାରି ଉତ୍ସାହିତ ଲାଗୁଥିଲେ ।

‘‘ଭାରତ ଅତି ସୁନ୍ଦର । ଭାରତ ସରକାର ଆମକୁ ଏଠାକୁ ଆସିବାକୁ ଭିସା ଦେଇଥିବାରୁ ମୋଦି ସରକାରଙ୍କୁ ଆମେ ଧନ୍ୟବାଦ ଦେଉଛୁ,’’ କହିଥିଲେ ସେମାନଙ୍କ ମଧ୍ୟରେ ଥିବା ପାକିସ୍ତାନୀ ତର୍‌ଭି କୁମାର ।

ପାକିସ୍ତାନୀ ଭକ୍ତଙ୍କୁ ୧୦ ଦିନର ଭିସା ଦିଆଯାଇ ହରିଦ୍ୱାର, ବୃନ୍ଦାବନ ଓ ଶ୍ରୀକ୍ଷେତ୍ର ଆଣି ଜଗନ୍ନାଥଙ୍କୁ ଦର୍ଶନ କରାଯାଇଥିଲା । ଭିସା ମିଳିଲେ ଅନେକ ପାକିସ୍ତାନୀ ହିନ୍ଦୁ ଭକ୍ତ ଭାରତକୁ ଆସି ଚ଼ାରି ଧାମ ବୁଲିବା ପାଇଁ ଅନେଇକି ବସିଥାଆନ୍ତି ।

ଭାରତ ଆସିଥିବା ପାକିସ୍ତାନୀ ହିନ୍ଦୁମାନେ ମୋଦି ସରକାରଙ୍କୁ ଏ ନେଇ ଅନୁରୋଧ କରିବା ସହ ତାଙ୍କର ଭାରତକୁ ଅଗ୍ରଣୀ ରାଷ୍ଚ୍ରରେ ପରିଣତ କରିବାର ଚେଷ୍ଚା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ।

‘‘ପାକିସ୍ତାନରେ ହିନ୍ଦୁ ପର୍ବପର୍ବାଣୀ ଯଥା ରଥ ଯାତ୍ରା, କୃଷ୍ଣ ଜନ୍ମାଷ୍ଟମୀ ଓ ଗଣେଶ ପୂଜା ହେଲେ ଆମକୁ ବିଦ୍ୟାଳୟ ପକ୍ଷରୁ ଛିଟି ଦିଆଯାଏ । ପୁଣି ପର୍ବ ପାଳନ ବେଳେ ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଲିଟାରୀ ଫୋର୍ସ ବି ଆମକୁ ସୁରକ୍ଷା ଦେଇଥାନ୍ତି,’’ କହିଛନ୍ତି ପାକିସ୍ତାନୀ ଛାତ୍ରୀ ପ୍ରିୟଙ୍କା କୁମାରୀ ।

ପାକିସ୍ତାନର କରାଚ଼ୀ ଓ ସିନ୍ଧ୍‌ ପ୍ରଦେଶରୁ ଆସିଥିବା ହିନ୍ଦୁ ଭକ୍ତ


ପାକିସ୍ତାନରେ ପାଠପଢା ବ୍ୟବସ୍ଥା ବେଶ ଶୃଙ୍ଖଳିତ ବୋଲି କହିଛନ୍ତି ଏହି ଛାତ୍ରଛାତ୍ରୀମାନେ । ପାକିସ୍ତାନର ସିନ୍ଧ ପ୍ରଦେଶରେ ମୁସଲିମ କି ହିନ୍ଦୁ ଯୁବତୀଙ୍କ ଉପରେ ବୁର୍ଖା ପିନ୍ଧିବା କି ଜିନ୍ସ ପିନ୍ଧିବାର କୌଣସି କଟକଣା ନାହିଁ ବୋଲି କହିଛନ୍ତି ସେମାନେ ।

‘‘ପାକିସ୍ତାନୀଙ୍କୁ ଭାରତ ଆସିବା ପାଇଁ ଭିସାର ଅନୁମତି ମିଳିବା କଷ୍ଟ ହୋଇଥାଏ । ଭିସା ପାଇଁ ଅନୁମତି ମିଳିଲେ ଛାତ୍ରଛାତ୍ରୀ ହୁଅନ୍ତୁ କି ଭକ୍ତ ସମସ୍ତେ ଭାରତ ଆସି ଚାରି ଧାମ ଦର୍ଶନ ସହ ସୁସମ୍ପର୍କ ସ୍ଥାପନ କରିବାର ଚ଼େଷ୍ଟା କରିଥା’ନ୍ତି । ଭିସା ପାଇଁ ପାକିସ୍ତାନର ରାଷ୍ଟ୍ରପତିଙ୍କ ଜରିଆରେ ଆବେଦନ କରିବା ପରେ ଅନୁମତି ମିଳିଲେ ଭାରତ ଆସିବା ସମ୍ଭବ ହେଉଛି,’’ କହିଛନ୍ତି ତିରଭି କୁମାର ।

ଶ୍ରୀମନ୍ଦିର ପରିଦର୍ଶନ ପରେ ବାହାରକୁ ଆସୁଛନ୍ତି ଏକ ପାକିସ୍ତାନୀ ହିନ୍ଦୁ ପରିବାରର ସଦସ୍ୟମାନେ ।


ପାକିସ୍ତାନର ସିନ୍ଧ ପ୍ରଦେଶରେ ରହୁଥିବା ହିନ୍ଦୁମାନଙ୍କୁ ଅନେକ ସୁବିଧା ମିଳିଛି ବୋଲି ସେମାନେ କହିଛନ୍ତି । ‘‘ଇମ୍ରାନ ଖାଁଙ୍କ ସରକାର ବେଶ ଭଲ ଭାବେ ହିନ୍ଦୁମାନଙ୍କୁ ରଖିଛନ୍ତି । ପୁଣି କରାଚୀରେ ରଥ ଯାତ୍ରା ଭଳି ପର୍ବ ପାଳନ କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ । । ଯଦି ଛାତ୍ରଛାତ୍ରୀଙ୍କର କିଛି ସମସ୍ୟା ହୁଏ, ତେବେ ହିନ୍ଦୁ ମୁସଲିମର ବାଛବିଚାର ନ ଥାଏ,’’ କହିଛନ୍ତି ପାକିସ୍ତାନୀ ସିଖ୍‌ ଛାତ୍ରୀ ମନସ୍ୱିନୀ କୌର ।

‘‘ପାକିସ୍ତାନରେ ମହିଳାମାନଙ୍କର ଜିନ୍ସ ପିନ୍ଧିବା ହେଉ ଅବା ଶାଢୀ କୌଣସିରେ କିଛି କଟକଣା ନାହିଁ । ସେଠି ଆମେ ପୂରା ଭାରତ ଭଳି ଶାନ୍ତିରେ ରହିବା ସହ ଗଣେଶ ପୁଜା, କରୱା ଚୌଥ ଆଦି ପାଳନ କରୁ । ପୁଣି ଗୋମାତାଙ୍କୁ ସେବା କରିବା ଓ ଗୋପୂଜନ କରିବାରେ ଆମକୁ କୌଣସି ସମସ୍ୟା ହୁଏ ନାହିଁ,’’ କହିଛନ୍ତି ତନିଶାର ମା’ ବଲୱନ୍ତି କୁମାରୀ ।

ପୂରା ସିନ୍ଧ ପ୍ରଦେଶରେ ମନ୍ଦିର ଓ ଗୁରୁଦ୍ୱାରା ଆଦି ରହିଥିବା ସହ ତାହା ଛୋଟ ଭାରତ ବା ମିନି ଇଣ୍ଡିଆ ଭଳି ଲାଗିଥାଏ ବୋଲି କହିଛନ୍ତି ସେ ।
Published by: Anand Shankar Thankur Das
First published: January 5, 2020, 8:20 PM IST