ବିବାହିତା ହିନ୍ଦୁ ନାରୀ ଶଙ୍ଖା-ସିନ୍ଦୂର ନ ପିନ୍ଧିଲେ ତାହା ବିବାହକୁ ଗ୍ରହଣ କରିବାରେ ଅନିଚ୍ଛା: ହାଇ କୋର୍ଟ୍

Married Hindu women & Bangles | କୌଣସି ହିନ୍ଦୁ ବିବାହିତା ନାରୀ ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରୁଥିଲେ ଏହା ତାଙ୍କର ନିଜ ପତିଙ୍କ ସହ ବିବାହକୁ ଗ୍ରହଣ କରିବାରେ ଅନିଚ୍ଛା ଭାବେ ଦେଖାଯିବ ବୋଲି ରାୟ ଦେଇ ମହିଳାଙ୍କ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି ଗୁଆହାଟି ହାଇ କୋର୍ଟ୍ ।

ବିବାହିତା ହିନ୍ଦୁ ନାରୀ ଶଙ୍ଖା-ସିନ୍ଦୂର ନ ପିନ୍ଧିଲେ ତାହା ବିବାହକୁ ଗ୍ରହଣ କରିବାରେ ଅନିଚ୍ଛା: ହାଇ କୋର୍ଟ୍
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: କୌଣସି ହିନ୍ଦୁ ବିବାହିତା ନାରୀ (married woman) ଯଦି ଶଙ୍ଖା (ଶଙ୍ଖରେ ତିଆରି ଧଳା ଶଙ୍ଖା) ଓ ସିନ୍ଦୂର ପିନ୍ଧିବାକୁ ମନା କରନ୍ତି ତାହେଲେ ଏହା ତାଙ୍କର ନିଜ ପତିଙ୍କ ସହ ବିବାହକୁ ଗ୍ରହଣ କରିବାରେ ଅନିଚ୍ଛା ଭାବରେ ଦେଖାଯିବ ବୋଲି ରାୟ ଦେଇଛନ୍ତି ଗୁଆହାଟି ହାଇ କୋର୍ଟ୍‌ (Guwahati High Court)। ଏହା ସହ ହାଇ କୋର୍ଟ୍‌ ସେହି ମହିଳାଙ୍କ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି ।

ପ୍ରଧାନ ବିଚାରପତି ଅଜୟ ଲାମ୍ବା ଓ ଜଷ୍ଟିସ ସୌମିତ୍ର ସାଇକିଆଙ୍କୁ ନେଇ ଗଠିତ ଏକ ଦୁଇ-ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେହି ମହିଳାଙ୍କ ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରିବା ତାଙ୍କ ସ୍ୱାମୀଙ୍କୁ ସେ ବିବାହ କରିଛନ୍ତି ବୋଲି ପ୍ରକାଶ କରିବାରେ ଅନିଚ୍ଛା ସୂଚାଉଛି ।

‘‘ଏପରି ପରିସ୍ଥିତିରେ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ରହିବାକୁ ବାଧ୍ୟ କରିବା ତାଙ୍କ ପ୍ରତି ନିର୍ଯ୍ୟାତନା ବୋଲି କୁହାଯାଇପାରେ,’’ ଜୁନ୍‌ ୧୯ ତାରିଖର ଏହି ରାୟରେ କହିଛନ୍ତି ହାଇ କୋର୍ଟ୍‌ ।

ଏହା ପୂର୍ବରୁ ଆସାମର ଏକ ପରିବାର କୋର୍ଟ ଛାଡପତ୍ର ପାଇଁ ସ୍ୱାମୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥଲେ । ପରିବାର କୋର୍ଟ କହିଥିଲେ ଯେ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ କୌଣସି ନିର୍ଦ୍ଦୟ ଭାବ ପ୍ରଦର୍ଶନ କରି ନାହାନ୍ତି । ମାତ୍ର ହାଇ କୋର୍ଟ କହିଛନ୍ତି ଯେ ସ୍ୱାମୀ ନିମ୍ନ ଅଦାଲତରେ ପତ୍ନୀ ଶଙ୍ଖା ଓ ସିନ୍ଦୂର ପିନ୍ଧିବାକୁ ମନା କରିଦେଇଛନ୍ତି ବୋଲି କହିଥିଲେ ଓ ଏହି ତଥ୍ୟକୁ ସେ (ପତ୍ନୀ) ହାଇ କୋର୍ଟରେ ପ୍ରତ୍ୟାହାର କରିନାହାନ୍ତି ।

ଏହି ଦମ୍ପତିଙ୍କ ବିବାହ ଫେବୃଆରୀ ୨୦୧୨ରେ ହୋଇଥିଲା । ବିବାହର ମାସକ ପରେ ପତ୍ନୀ ଏକ ଯୌଥ ପରିବାରରେ (joint family) ରହିବାକୁ ଅଇଚ୍ଛା ପ୍ରକାଶ କରି ସ୍ୱାମୀଙ୍କ ସହ ଏକ ଅଲଗା ଘରେ ରହିବାକୁ ଚାହୁଁଥିଲେ । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସ୍ତ୍ରୀଙ୍କର ଏହି ଚାହିଦା ଯୋଗୁଁ ସେମାନଙ୍କ ସମ୍ପର୍କ ଅଧିକ ଖରାପ ହୋଇଯାଇଥିଲା ଓ ଦୁହିଁଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ତା’ଛଡ଼ା ତାଙ୍କ ପତ୍ନୀ ଏକ ସନ୍ତାନ ପାଇଁ ଗର୍ଭଧାରଣ କରିବାରେ ବିଫଳ ହୋଇଥିଲେ ବୋଲି ବି ସେ କହିଛନ୍ତି ।

ମହିଳା ଜଣକ ୨୦୧୩ରେ ତାଙ୍କ ସ୍ୱାମୀଙ୍କ ଘରୁ ବାହାରି ଆସିଥିଲେ ଓ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮-କ (Section 498A of IPC) (ସ୍ୱାମୀ ବା ତାଙ୍କ ସମ୍ପର୍କୀୟ ଜଣେ ବିବାହିତା ମହିଳାଙ୍କୁ ନିର୍ଦ୍ଦୟତାର ଶିକାର କରିବା) ଅଧୀନରେ ଏକ ମାମଲା ରୁଜୁ କରିଥିଲେ ।

ଏହି ମାମଲାରେ ସ୍ୱାମୀ ଓ ତାଙ୍କ ପରିବାର ବର୍ଗ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତା’ପରେ ସେ ନିଜ ପତ୍ନୀଙ୍କ ନିର୍ଦ୍ଦୟତା ଦର୍ଶାଇ ତାଙ୍କ ଠାରୁ ଛାଡପତ୍ର ପାଇଁ ଏକ ଅଲଗା ଆବେଦନ କରିଥିଲେ ।
First published: June 29, 2020, 8:39 PM IST
corona virus btn
corona virus btn
Loading