Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍ ହେଲା
ଏହା ଏମିତି ଏକ ବିଷୟ ଯାହା ବିଷୟରେ କାହା ସହ କଥା ହେବା ସହଜ ନୁହେଁ, ଆଉ ଏମିତି ଘଟଣା ପରେ ପ୍ରଚଳିତ ଆଇନ ଓ ନ୍ୟାୟିକ ବ୍ୟବସ୍ଥାରେ ପୀଡିତମାନଙ୍କୁ ନ୍ୟାୟ ପାଇବା ପାଇଁ ଖୁବ୍ କଣ୍ଟକିତ ରାସ୍ତା ଦେଇ ଯିବାକୁ ପଡ଼ିଥାଏ ।

ଅଭିନେତା ବିବେକ କୁମାର ଓ (ଡାହାଣ) ଫିଲ୍ମର ଏକ ପୋଷ୍ଟର
- News18 Odia
- Last Updated: October 9, 2020, 5:03 PM IST
ମୁମ୍ବାଇ: OTT ପ୍ଲାଟଫର୍ମ ‘ଶେମାରୋ ମି ବକ୍ସ ଅଫିସ’ରେ ‘376D’ ନାମକ ଏକ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ଏହି ଫିଲ୍ମର କାହାଣୀ ହେଉଛି ପୁରୁଷମାନଙ୍କ ସହିତ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଘଟଣା । ହିନ୍ଦୀ ସିନେମାରେ ଏପରି କାହାଣୀ ପୂର୍ବରୁ ଦେଖାଯାଇ ନାହିଁ ।
୧୯୯୦ ଦଶକରେ ‘ଦାମିନୀ’ ଠାରୁ ଆରମ୍ଭ କରି ‘ପିଙ୍କ୍’ ପର୍ଯ୍ୟନ୍ତ ଦର୍ଶକମାନେ ବଳାତ୍କାରର ଆଇନଗତ ଦିଗକୁ ଦର୍ଶାଉଥିବା ଫିଲ୍ମଗୁଡ଼ିକୁ ପସନ୍ଦ କରିଛନ୍ତି । ହେଲେ ପୁରୁଷମାନଙ୍କ ସହିତ ଘଟୁଥିବା ରେପ୍ ଓ ଗ୍ୟାଙ୍ଗ୍ ରେପ୍ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଫିଲ୍ମ ନିର୍ମିତ ହୋଇ ନ ଥିଲା । ଅନେକ ଲୋକ ତ ପୁରୁଷମାନଙ୍କ ସହ ଏମିତି ଘଟଣା ଘଟୁଛି ବୋଲି ମନା କରନ୍ତି ।
ଏହି ନୂଆ ଫିଲ୍ମ ‘376D’ ଦିଲ୍ଲୀରେ ଗୋଟିଏ ରାତିରେ ଦୁଇ ଭାଇଙ୍କ ସହ ଘଟିଥିବା ବଳାତ୍କାର ଉପରେ ଆଧାରିତ । ଏହା ଏମିତି ଏକ ବିଷୟ ଯାହା ଉପରେ କାହା ସହ କଥା ହେବା ସହଜ ନୁହେଁ, ଆଉ ଏମିତି ଘଟଣା ପରେ ପ୍ରଚଳିତ ଆଇନ ଓ ନ୍ୟାୟିକ ବ୍ୟବସ୍ଥାରେ ପୀଡିତମାନଙ୍କୁ ନ୍ୟାୟ ପାଇବା ପାଇଁ ଖୁବ୍ କଣ୍ଟକିତ ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁଣବୀନ କୌର ଏବଂ ରବିନ୍ ସିକରୱାର୍ ।
‘‘ପ୍ରଥମେ ଆମେ ମହିଳାମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଥିଲୁ । କିନ୍ତୁ ଗବେଷଣା ସମୟରେ ଆମେ ଜାଣିଲୁ ଯେ ପୁରୁଷମାନଙ୍କ ସହ ବି ଏପରି ଦୁର୍ଘଟଣା ଘଟୁଛି, କିନ୍ତୁ ସେମାନଙ୍କର ସାମାଜିକ ସ୍ଥିତି ଯୋଗୁଁ ସେଗୁଡିକ ରେକର୍ଡ ହେଉ ନାହିଁ । ବଳାତ୍କାର ମହିଳା କିମ୍ବା ପୁରୁଷଙ୍କ ସହିତ ହେଉ ନା କାହିଁକି, ଏହା ଏକ ଅତ୍ୟନ୍ତ ଖରାପ ଓ ଘୃଣ୍ୟ ଘଟଣା । ଗବେଷଣା ପରେ ଆମେ ଆମ କାହାଣୀକୁ ଏକ ନୂଆ ମୋଡ଼ ଦେଇଥିଲୁ,’’ କହିଛନ୍ତି ଗଣବୀନ ।
ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା
ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍
ରବିନ୍ଙ୍କ କହିଛନ୍ତି ଯେ ଏମିତି ଘଟଣା ପୀଡ଼ିତ ବ୍ୟକ୍ତିଙ୍କୁ ଭିତରରୁ ହଲେଇଦେଇଥାଏ ଓ ତାଙ୍କ ସ୍ୱାଭାବିକ ବ୍ୟକ୍ତିତ୍ୱ ଫେରିପାଇବା ପାଇଁ ତାଙ୍କୁ କଠିନ ସଙ୍ଘର୍ଷ କରିବାକୁ ପଡ଼ିଥାଏ । ‘‘ସେଇଥି ପାଇଁ ଏହି ପ୍ରସଙ୍ଗରେ ଜନ ସଚେତନତା ଗୁରୁତ୍ୱପୂର୍ଣ୍ଣ,’’ ସେ କହିଛନ୍ତି ।
ଏହି ଫିଲ୍ମରେ ବିବେକ କୁମାର, ଦୀକ୍ଷା ଯୋଶୀ, ସୁମିତ ସିଂ ସିକରୱାର ଓ ପ୍ରିୟଙ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ପେ-ମଡେଲରେ ଅଛି । ଏହାକୁ ଦେଖିବା ପାଇଁ ଆପଣଙ୍କୁ ଶେମାରୋର ୱେବସାଇଟରୁ କିମ୍ବା ‘ବୁକ୍ ମାଇଁ ଶୋ’ରୁ ଟିକେଟ୍ କିଣିବାକୁ ମିଳିବ ।