Corona in Odisha: ରାଜ୍ୟରେ ବନ୍ଦ ହେଲା ଉଚ୍ଚ ଶିକ୍ଷାନୁଷ୍ଠାନ; ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଜାନୁଆରୀ ୭ରେ ବନ୍ଦ ହୋଇଥିଲା ସ୍କୁଲ। ଆଉ ସୋମବାରଠୁ ବନ୍ଦ ହୋଇଛି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ। କଲେଜ, ୟୁନିଭରସିଟି ଛାଡୁଛନ୍ତି ଛାତ୍ରଛାତ୍ରୀ। କୋଭିଡ ସଂକ୍ରମଣକୁ ନେଇ ହଷ୍ଟେଲ ଖାଲି କରିବାକୁ ବି ରହିଛି ନିର୍ଦ୍ଦେଶ।

କରୋନା ପାଇଁ ରାଜ୍ୟରେ ବନ୍ଦ ହେଲା ଉଚ୍ଚ ଶିକ୍ଷାନୁଷ୍ଠାନ

କରୋନା ପାଇଁ ରାଜ୍ୟରେ ବନ୍ଦ ହେଲା ଉଚ୍ଚ ଶିକ୍ଷାନୁଷ୍ଠାନ

  • Share this:
News18 Odia Digital

ଭୁବନେଶ୍ବର: କରୋନା ଯୁଗରେ ପିଲାଙ୍କ ପାଠପଢ଼ା ଚିନ୍ତାର ବିଷୟ ପାଲଟିଛି। ସୋମବାରଠୁ ବନ୍ଦ ହୋଇଛି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ। ମେଡିକାଲ ଓ ନର୍ସିଂ କଲେଜକୁ ବାଦ ଦେଲା ପରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସହ କୋଚିଂ ସେଣ୍ଟରକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ହଷ୍ଟେଲ ବି ଖାଲି କରିଛନ୍ତି ଛାତ୍ରଛାତ୍ରୀ। ବର୍ଷ ଶେଷରେ ପରୀକ୍ଷା ପୂର୍ବରୁ ଏଭଳି ସ୍ଥିତି ପିଲାଙ୍କ ପାଠପଢ଼ା ଓ ପରୀକ୍ଷାର ଚିନ୍ତା ବଢ଼ାଇଛି।

ଗତ ଜାନୁଆରୀ ୭ରେ ବନ୍ଦ ହୋଇଥିଲା ସ୍କୁଲ। ଆଉ ସୋମବାରଠୁ ବନ୍ଦ ହୋଇଛି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ। କଲେଜ, ୟୁନିଭରସିଟି ଛାଡୁଛନ୍ତି ଛାତ୍ରଛାତ୍ରୀ। କୋଭିଡ ସଂକ୍ରମଣକୁ ନେଇ ହଷ୍ଟେଲ ଖାଲି କରିବାକୁ ବି ରହିଛି ନିର୍ଦ୍ଦେଶ। ପାଠପଢ଼ା ହେବ କେବଳ ଅନଲାଇନ ମୋଡ଼ରେ। ଆଉ ଦୁଇଟା ମାସ ପରେ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଠାରୁ ଆରମ୍ଭ କରି ଯୁକ୍ତ ୩ ଓ ପିଜି ଫାଇନାଲ ପରୀକ୍ଷା ହୋଇଥାନ୍ତା। ହେଲେ କୋର୍ସ ଶେଷ ହେବା ପୂର୍ବରୁ ବନ୍ଦ ହୋଇଗଲା ଶିକ୍ଷାନୁଷ୍ଠାନ।

ବର୍ତ୍ତମାନ ସୁଦ୍ଧା ୭୦% କୋର୍ସ ଶେଷ ହୋଇଛି ଆଉରି ୩୦% ବାକି ରହିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଅନଲାଇନରେ ସୁଵିଧା ନ ହେଲେ ବି କୋଭିଡ ସ୍ଥିତିକୁ ମାନି ପଢ଼ିବାକୁ ହେବ ବୋଲି ଦୁଃଖର ସହ କହିଛନ୍ତି ସମସ୍ତେ। ସେପଟେ ପରୀକ୍ଷା ବି ଅନଲାଇନ ନା ଅଫଳାଇନ ମୋଡ଼ରେ ହେବ ତାକୁ ନେଇ ବି ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ।

"ପାଠପଢ଼ା ତ ବାଜିରେ ଲାଗିଛି କିନ୍ତୁ କୋଭିଡ କଟକଣା ବି ମାନିବାକୁ ପଡ଼ିବ। ଆମର ପ୍ରାୟ ୭୦% କୋର୍ସ ସରିଛି। ପରୀକ୍ଷା ବି କେଉଁ ମୋଡ଼ରେ ହେବ କୁହାଯାଇନାହିଁ। ଏଣୁ କ୍ୟାରିୟରକୁ ନେଇ ଚିନ୍ତା ତ ଲାଗୁଛି, କିନ୍ତୁ କିଛି ଉପାୟ ନାହିଁ,’’ କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସସ୍ମିତା ।

କୋଭିଡ ପାଇଁ ବାଜିରେ ଲାଗିଛି ପାଠପଢ଼ା। ମାର୍ଚ୍ଚ ୨୦୨୦ ପରଠାରୁ ମାସ ମାସ ଧରି ବନ୍ଦ ରହୁଛି ଶିକ୍ଷାନୁଷ୍ଠାନ। ଅନଲାଇନ ସାଜିଛି ଭରଷା। ଏହା ମଧ୍ୟରେ ଅନେକ ମଧ୍ୟ ଅନଲାଇନ ପାଠପଢ଼ାରୁ ବଞ୍ଚିତ ରହୁଛନ୍ତି। ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପ୍ରାୟ ୮୦% ପାଠପଢ଼ା ଶେଷ ହୋଇଥିବା କର୍ତ୍ତୃପକ୍ଷ କହୁଛନ୍ତି। ବାକି ୨୦% ଅନଲାଇନ ଜରିଆରେ ଶେଷ ହେବ। ସେହିଭଳି ଅଫଳାଇନ ପରୀକ୍ଷା ପାଇଁ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରସ୍ତୁତ ରହିଥିବା କହିଛନ୍ତି। ହେଲେ ଚଳିତ ଥର ପରୀକ୍ଷା ଅଫଲାଇନ ହେବ କି ଅନଲାଇନ ହେବ ନା ବ୍ଲେଣ୍ଡେଡ଼ ମୋଡ଼ରେ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଯାହା ନିର୍ଦ୍ଦେଶ ରହିବ ଉଚ୍ଚଶିକ୍ଷା ବିଭାଗର ସେହି ଆଧାରରେ ହେବ ପରୀକ୍ଷା।

"ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ ହେଲା ଅଫଲାଇନ ପାଠପଢ଼ା କିନ୍ତୁ ଅନଲାଇନରେ ଜାରି ରହିବ। ଆମର ସ୍ମାର୍ଟ କ୍ଳାସ ଅଛି ସେଠୁ କ୍ଳାସ ଚାଲିବ। ନଚେତ୍ ପୂର୍ବରୁ ଯେଉଁଭଳି ପଢ଼ା ଚାଲିଥିଲା ସେହିଭଳି ହେବ। ୮୦% ସରିଛି କୋର୍ସ ବାକି ୨୦% ପଢ଼ାଯିବ। ପରୀକ୍ଷା ଯେଉଁ ଆଧାରରେ ହେଲେ ବି ଆମେ ପ୍ରସ୍ତୁତ ଅଛୁ," କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ।

ଶିକ୍ଷାନୁଷ୍ଠାନ ସାଙ୍ଗକୁ କୋଚିଂ ସେଣ୍ଟର ବି ବନ୍ଦ ହୋଇଛି। ଫଳରେ ବିଭିନ୍ନ ଉଚ୍ଚ ଶିକ୍ଷା, ପ୍ରବେଶିକା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ବି ନିରାଶ ହୋଇଛନ୍ତି। ବାହାରୁ ଆସି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ଛାଡ଼ି ଘରକୁ ଫେରିବାକୁ ପଡ଼ିଛି।
Published by:Lipina Das
First published:
)}