News 18 Odia Digital
ଭୁବନେଶ୍ୱର; ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ( High security number plate ) । ଯେଉଁ ଗାଡ଼ି ଗୁଡ଼ିକର ପଞ୍ଜୀକୃତ ( Registration ) ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ି ଗୁଡ଼ିକ ଚେକିଂ ପରିସରକୁ ଆସିବେ । ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦିଆଯିବ । ପରବର୍ତ୍ତୀ ସମୟରେ ଦ୍ୱିତୀୟ ଥର ପାଇଁ ସେହି ନିୟମ ଖିଲାପକାରୀ ଗାଡ଼ି ଗୁଡ଼ିକ ଯଦି ପୁଣି ଚେକିଂରେ ପଡ଼ନ୍ତି ତେବେ ତାଙ୍କୁ ଆର୍ଥିକ ଜରିମାନା ସହିତ ତାଙ୍କ ବିରୋଧରେ କେସ ( Case ) ମଧ୍ୟ କରାଯିବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀଙ୍କ ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୨ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବ୍ୟବସ୍ଥା ଶେଷ କରିବାକୁ ନିଷ୍ପତି ହୋଇଥିଲା । କିନ୍ତୁ କୋଭିଡ଼ ପରବର୍ତ୍ତୀ ସ୍ଥିତିକୁ ଗୁରୁତ୍ୱ ଦେଇ ଏକାଧିକ ବାର ଏହି ସମୟସୀମାକୁ ଘୁଞ୍ଚାଇ ଦିଆଯିବା ସହ ଶେଷରେ ୨୦୨୨ ମସିହା ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତମାସ ୧୬ ତାରିଖଠାରୁ ଏହି ଚେକିଂ ବ୍ୟବସ୍ଥାକୁ ସାରା ରାଜ୍ୟରେ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତି ହୋଇଛି ।
ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ, ଜାନୁୟାରୀ ୧୬ ତାରିଖ ସୁଦ୍ଧା ଯେଉଁ ଗାଡ଼ି ଗୁଡ଼ିକର ପଞ୍ଜୀକୃତ ନମ୍ବରର ଶେଷ ସଂଖ୍ୟା ୧,୨,୩,୪,୫ ଓ ୬ ଥିବ ସେହି ଗାଡ଼ି ଗୁଡ଼ିକ ଏବେ କେବଳ ଚେକିଂ ପରିସରକୁ ଆସିବେ । କାରଣ ଏହି ନମ୍ବର ଥିବା ଗାଡ଼ି ଗୁଡ଼ିକ ପାଇଁ ଜାରି କରାଯାଇଥିବା ଧାର୍ଯ୍ୟ ସମୟ ସୀମା ଡ଼ିସେମ୍ବର ୩୧ ତାରିଖ, ୨୦୨୨ ରେ ଶେଷ ହୋଇଛି । ସେହିଭଳି ଯେଉଁ ଗାଡ଼ି ଗୁଡ଼ିକର ପଞ୍ଜୀକୃତ ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିବ ସେମାନଙ୍କୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ମହଲତି ମିଳିବ । ଅର୍ଥାତ ଏହି ସମୟ ଭିତରେ ସେମାନେ ଚେକିଂ ପରିସରକୁ ଆସିବେ ନାହିଁ । ଫେବୃୟାରୀ ପହିଲାରୁ ଏହି ଗାଡ଼ି ଗୁଡ଼ିକ ଚେକିଂ ପରିସରଭୁକ୍ତ ହେବେ । ସେହିଭଳି ଯେଉଁ ଗାଡ଼ି ଗୁଡ଼ିକର ପଞ୍ଜୀକୃତ ନମ୍ବରର ଶେଷ ସଂଖ୍ୟା ୯ ଏବଂ ୦ ରହିଛି ସେମାନଙ୍କୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ମହଲତି ମିଳିବ । ଏହି ସମୟ ଭିତରେ ସମ୍ପୃକ୍ତ ଗାଡ଼ି ମାଲିକମାନେ ନିଜର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କରାଇ ନେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପରିବହନ ବିଭାଗର ସୂଚନା ଅନୁସାରେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ସାରା ରାଜ୍ୟରେ ୩୫ ଲକ୍ଷ ୫୬ ହଜାର ୮୧୯ଟି ଆବେଦନ ଆସିଥିଲା । ସେଥିମଧ୍ୟରୁ ୨୭ ଲକ୍ଷ ୨୪ ହଜାର ୯୯୪ ଜଣଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଇସ୍ୟୁ କରାଯାଇଛି । ଖୁବଶୀଘ୍ର ବଳକା ଆବେଦନ ହୋଇଥିବା ନମ୍ବର ଗୁଡ଼ିକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଇ ଦିଆଯିବ । ରାଜ୍ୟରେ ପାଖାପାଖି ୫୦ ଲକ୍ଷରୁ ଅଧିକ ଗାଡ଼ି ପଞ୍ଜୀକୃତ ହୋଇଥିବା ବେଳେ ସେ ଭିତରୁ ଅନେକ ଗାଡ଼ି ଗୁଡ଼ିକ ଭାଙ୍ଗିରୁଜି ପଡ଼ିଛି । ତେଣୁ ସମସ୍ତ ଗାଡ଼ିକୁ ବିଚାରକୁ ନେଲେ ଫେବୃୟାରୀ ୨୮ ତାରିଖ ସୁଦ୍ଧା ସବୁ ଗାଡ଼ି ଗୁଡ଼ିକ ସିକ୍ୟୁରିଟି ନମ୍ବର ପ୍ଲେଟ ଇସ୍ୟୁ କରାଯାଇପାରିବ ।
ବିଭାଗ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ, ଯେଉଁ ଗାଡ଼ି ଗୁଡ଼ିକ ବହୁ ପୁରୁଣା ଓ ସେସବୁ ଗାଡ଼ିଗୁଡ଼ିକୁ ତିଆରି କରିଥିବା କମ୍ପାନୀ ବନ୍ଦ ହୋଇଯାଇଛି ସେମାନେ ବିଭିନ୍ନ ଆରଟିଓକୁ ଯାଇ ସେଠାରେ ଥିବା ହାଇ ସିକ୍ୟୁରିଟି କିଓସ୍କୋ ସହିତ ଯୋଗାଯୋଗ କରି ନମ୍ବର ପାଇପାରିବେ । ତାଛଡ଼ା ଯେଉଁମାନଙ୍କର ଇଣ୍ଟରନେଟ୍ ବିଷୟରେ ଜ୍ଞାନ ନାହିଁ ସେମାନେ ପରିବହନ ସେବା କେନ୍ଦ୍ରକୁ ଯାଇ ସହାୟତା ପାଇପାରିବେ ।
https://odia.news18.com/news/trending/dont-make-these-mistakes-while-withdrawing-money-from-epf-account-6ssm-150123-ssm-148333.htmlନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।