ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟକୁ ଓଡି଼ଶା ବାରମ୍ବାର ସାମ୍ନା କରୁଥିବାରୁ ଏହାର ମୁକାବିଲା କରିବାରେ ଏବେ ବ୍ୟବହାର ହେବ ହାଇ ଟେକ୍ନୋଲୋଜି । ଆସନ୍ତା ଦୁଇ ବର୍ଷ ଭିତରେ ଭୁବନେଶ୍ବରରେ ସ୍ଥାପିତ ହେବ ଏକ ହାଇ-ରିଜୋଲ୍ୟୁସନ୍ ରାଡ଼ାର ।
ପାଣିପାଗ ବିଷୟରେ ଅଧିକ ସଠିକ ସୂଚନା ଦେବ ଏଇ ରାଡ଼ାର । ଆସୁଥିବା ବାତ୍ୟା ବା ଭୂମିକମ୍ପଟି କେତେ ପ୍ରଭାବିତ କରିବ ଜନଜୀବନକୁ ଓ କେଉଁ ଅଞ୍ଚଳରେ କେତେ ପ୍ରଭାବ ପକେଇବ, ସେ ବିଷୟରେ ସବିଶେଷ ଆଗୁଆ ସୂଚନା ଦେବ । ଫଳରେ ବିପର୍ଯ୍ୟୟଟିକୁ କିଭଳି ମୁକାବିଲା କରିହେବ ସେଥି ପାଇଁ ସମୟ ଥାଉଁ ଥାଉଁ ପ୍ରସ୍ତୁତ ହୋଇହେବ । ରାଡ଼ାର୍ଟିର କାମ ହେବ ଇମ୍ପାକ୍ଟ୍ ବେସ୍ ଫୋରକାଷ୍ଟ୍ ।
ଖାଲି ସେତିକି ନୁହେଁ, ଭୂ-ସ୍ଖଳନ ବିଷୟରେ ଆଗୁଆ ଜାଣିବା ପାଇଁ ନ୍ୟାସ୍ନାଲ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଅଥରିଟଙ୍କ ଅଧୀନରେ ଏକ ଟାସ୍କ ଟିମ୍ର ବି ଗଠନ କରାଯାଉଛି । ପ୍ରଶିକ୍ଷଣ, ଉଦ୍ଧାର, ଥଇଥାନ, ପୁନଃରୁଦ୍ଧାର ଓ ପୁନଃନିର୍ମାଣ ବିଷୟରେ ସମ୍ପୂର୍ଣ ସୂଚନା ରଖି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବାକୁ ଏବେ ସଭିଏଁ ପ୍ରସ୍ତୁତ ।
ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ପାଇଁ ଗୋଷ୍ଠୀ ସଶକ୍ତିକରଣର ଆବଶ୍ୟକତା ଅଛି । ସଚେତନ ହୋଇ ସମନ୍ୱୟତାର ସହିତ କାର୍ଯ୍ୟ କଲେ ବିପର୍ଯ୍ୟୟର ସମୁଚ଼ିତ ମୁକାବିଲା କରିହେବ ବୋଲି ନିକଟରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ।
ବିପର୍ଯ୍ୟୟ ପରେ ବିପର୍ଯ୍ୟୟର ଦୁର୍ନାମ ମୁଣ୍ଡାଇଥିବା ଓଡିଶା ଏବେ ମୁକାବିଲା କରିବାରେ ଦେଶରେ ପ୍ରଥମ । ତେବେ ୧୯୯୯ ମସିହାର ମହାବାତ୍ୟାରେ ହୋଇଥିବା ୧୦ ହଜାର ମୃତ୍ୟୁରୁ ଆଗାମୀ ପ୍ରତ୍ୟେକ ବାତ୍ୟାରେ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ ରଖିବା ହେଉଛି ଓଡ଼ିଶା ସରକାରଙ୍କର ଅଭିପ୍ରାୟ ।
“କେବେଳ ଦେଶରେ ନୁହେଁ, ଜାତିସଙ୍ଘରେ ମଧ୍ୟ ପ୍ରଶଂସିତ ହୋଇଛି ରାଜ୍ୟ । କୋଡ଼ିଏ ବର୍ଷ ତଳେ ରାଜ୍ୟ ପାଖରେ ନ ଥିଲା ଟେକ୍ନୋଲୋଜି, ନୂଆ ଆଇଡିଆ କି କମୁନିକେସନ୍ ପଦ୍ଧତି । ମାତ୍ର ଗତ କିଛି ଦଶନ୍ଧି ଭିତରେ ବଦଳିଛି ଅନେକ କିଛି । ବଢି଼ଛି କମୁନିକେସନ୍ ପଦ୍ଧତିର ପ୍ରୟୋଗ ଓ ଆସିଛି ହାଇ ଟେକ୍ନୋଲେଜି । ତା ସହିତ ତାଳ ଦେଇ ଗଢ଼ି ଉଠିଛି ଏନ୍ଡିଆରଏଫ, ଓଡ୍ରାଫ, ସିଭିଲ୍ ଡିଫେନ୍ସ୍, ସାଇରନ୍ ଟାଓ୍ବାର୍ ଓ ବାତ୍ୟା ଆଶ୍ରୟସ୍ଥଳୀ,” କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ ଏବେ ସରକାର ପ୍ରସ୍ତୁତ ଅଛନ୍ତି ଆଉ ଲୋକେ ବି ସଚେତନ ଅଛନ୍ତି। “୧୯୯୯ ପରେ ଫାଇଲନ୍, ହୁଦ୍ ହୁଦ୍, ତିତିଲି ଓ ଫନି ଆସିଛି । ଏ ସବୁକୁ କରାଯାଇଛି ସଫଳ ମୁକାବିଲା । ସବୁ ସଫଳତା ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ସମନ୍ବୟ ଯୋଗୁଁ ହିଁ ସମ୍ଭବ ହୋଇଛି,” ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଯୋଗ ଦେଇ କହିଛନ୍ତି ନବୀନ ପଟ୍ଟନାୟକ ।
ଏନ୍ଡିଆରଏଫ୍, ଓଡ୍ରାଫ୍, ସିଭିଲ୍ ଡିଫେନ୍ସ୍ ଭଳି ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଯେଉଁମାନେ ବିପର୍ଯ୍ୟୟ ସମୟରେ ସାହସିକତା ପ୍ରଦର୍ଶନ କରିଛନ୍ତି ତଥା ଅନ୍ୟମାନଙ୍କ ଧନ-ଜୀବନକୁ ସୁରକ୍ଷା ଦେଇଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।