ବହୁଚର୍ଚ୍ଚିତ କଟକ-ବେଲେଶ୍ବର ଡବଲ ମର୍ଡର ଘଟଣା: ବର୍ଷେ ପରେ ମଧ୍ୟ ପୋଲିସର ହାତ ଖାଲି

ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତ ଲଗା କଟୁରି, ଗୋଟିଏ ପନିକି ଓ ଲୁହା ରଡ଼ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତି ଦେଖି କେହି ଅତି ଚିହ୍ନା ଲୋକ ହିଁ ଏହି ହତ୍ୟାକାଣ୍ଡ ଭିଆଇ ଥିବା ଦିଗକୁ ଇଙ୍ଗିତ କରୁଥିଲା ।

ବହୁଚର୍ଚ୍ଚିତ କଟକ-ବେଲେଶ୍ବର ଡବଲ ମର୍ଡର ଘଟଣା: ବର୍ଷେ ପରେ ମଧ୍ୟ ପୋଲିସର ହାତ ଖାଲି
ବହୁଚର୍ଚ୍ଚିତ କଟକ-ବେଲେଶ୍ବର ଡ଼ବଲ ମର୍ଡର ଘଟଣାରେ ବର୍ଷେ ପରେ ମଧ୍ୟ ପୋଲିସର ହାତ ଖାଲି
  • News18 Odia
  • Last Updated: December 13, 2020, 7:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ କଟକ ବେଲେଶ୍ବର ଡ଼ବଲ ମର୍ଡର ଘଟଣାକୁ ଠିକ ଗୋଟିଏ ବର୍ଷ ପୂରି ସାରିଛି । କିନ୍ତୁ ବର୍ଷେ ପରେ ମଧ୍ୟ ପୋଲିସର ହାତ ଖାଲି । ନା ଧରା ପଡିଛନ୍ତି ଅଭିଯୁକ୍ତ । ନା ଉଠି ପାରିଛି ଏହି ହତ୍ୟାକାଣ୍ଡ ଉପରକୁ ପରଦା । କିଏ ଓ କାହିଁକି ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ ହତ୍ୟାକଲା ତାହା ଆଜି ବି ଏକ ମିଷ୍ଟ୍ରି ହୋଇ ରହିଛି ।

ଏହି ମିଷ୍ଟ୍ରିକୁ ସମାଧାନ କରିବା ପାଇଁ ପୋଲିସ ଅନେକ ପ୍ରୟାସ କରିଥିବା କହୁଛି । ପ୍ରାୟ ଶହେ ଜଣଙ୍କୁ ସନ୍ଦେହ ଘେରକୁ ନିଆଯାଇ ସେମାନଙ୍କ ମୋବାଇଲ କଲ୍ ଡିଟେଲ୍ ଜାଞ୍ଚ କରାଯାଇଛି । ଦିଲ୍ଲୀରୁ ବିଶେଷଜ୍ଞ ଦଳ ଆସି କିଛି ସନ୍ଦିଗ୍ଧଙ୍କୁ ଜେରା ମଧ୍ୟ କରିଛନ୍ତି । ଅନେକ ଲୋକଙ୍କୁ ପଚରା ଉଚରା ମଧ୍ୟ କରାଯାଇଛି । ହେଲେ ସବୁକିଛି ଫଳଶୂନ୍ୟ ରହିଛ । ନା ଅଭିଯୁକ୍ତଙ୍କ ବାବଦରେ କିଛି ସୁରାକ ମିଳିପାରଛି ନା ହତ୍ୟାକାଣ୍ଡର କାରଣ ବାବଦରେ କୌଣସି ତଥ୍ୟ ପୋଲିସ ହାତରେ ଲାଗି ପାରିଛି । ଘଟଣାକୁ ଏକ ବର୍ଷେ ପୂର୍ତ୍ତି ହୋଇ ସାରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏବେ ସିବିଆଇ ତଦନ୍ତ ଦାବୀ କରିଛନ୍ତି ମୃତ ଦମ୍ପତିଙ୍କ ପରିବାର ଲୋକେ ।

"ଆମ ବାପା ମା' ଙ୍କୁ କିଏ ଆଉ କାହିଁକି ମାରିଲା ବର୍ଷେ ପରେ ବି ଆମେ ଜାଣି ପାରିନାହୁଁ । ପୋଲିସ ତ କହୁଛି, ଆମେ ତଦନ୍ତ କରୁଛୁ । ହେଲେ ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ । କେହି ଅତି ନିଜର ଲୋକ ଏହି କାଣ୍ଡ କରିଛି । ଆମର ଯାହା ଯାହା ଉପରେ ସନ୍ଦେହ ହେଉଛି, ଆମେ କାହାକୁ ସନ୍ଦେହ କରିପାରୁନାହୁଁ । ତଥାପି କିଛି ଲୋକଙ୍କ ନାଁ ପୋଲିସକୁ କହିଛୁ । ଆମେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛୁ । ଭାବୁଛୁ କି ନ୍ୟାୟ ମିଳିବ," କହିଛନ୍ତି ମୃତକଙ୍କ ପୁଅ ରବିନ୍ଦ୍ର ସାମଲ ।

ହତ୍ୟାକାଣ୍ଡରେ ଶିକାର ହୋଇଥିବା ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲ


ସେପଟେ ଘଟଣା ଘଟିବାର ଦୁଇ ତିନି ମାସ ପର୍ଯ୍ୟନ୍ତ ଘଣ୍ଟାଚକଟା କରି କିଛି ନମିଳିବା ଓ କରୋନା ଅବଧି ଆରମ୍ଭ ହୋଇଯିବା ପରେ ଏହି ମାମାଲାର ତଦନ୍ତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କିନ୍ତୁ ଗତ କିଛି ଦିନ ହେଲା ପୋଲିସ ଏହି ଘଟଣାର ପୁଣି ଥରେ ଖୋଳତାଡ ଆରମ୍ଭ କରିଛି ପୋଲିସ । ଜଣେ ଏସିପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟୀତ୍ବ ଦିଆଯାଇଥିବା ବେଳେ ଘଟଣା ପ୍ରତିଟି ଦିଗକୁ ପୁଣି ଥରେ ଅନୁଧ୍ୟାନ କରାଯାଉଛି । ଏପରିକି କଟକ ବାହାରକୁ ଯାଇ ପୋଲିସ ଟିମ ତନାଘନା ମଧ୍ୟ ଆରମ୍ଭ କରିଛି ।

"ଏହି ଘଟଣାର ତଦନ୍ତପାଇଁ ଡିସିପି ଏକ ବୈଠକ ଠକାଇଥିଲେ । ସେହି ବୈଠକରେ ଏହି ମାମଲାରେ ଏପର୍ଯ୍ୟନ୍ତ କଣ କଣ ମିଳିଛି । କେଉଁଠି ସମସ୍ୟା ରହିଛି, ସେବିଷୟରେ ଆଲୋଚନା ହେଲା । ଜଣେ ଏସିପିଙ୍କ ନେତୃତ୍ବରେ ଗୋଟିଏ ଟିମ ଗଠନ କରାଯାଇଛି । ପୁଣି ଥରେ ଲୋକମାନଙ୍କୁ ପଚରା ଉଚରା କରାଯାଉଛି," କହିଛନ୍ତି ତଦନ୍ତକାରୀ ଟିମର ଜଣେ ପୋଲିସ ଅଧିକାରୀ ।

ଗତବର୍ଷ ଡିସେମ୍ବର ୧୨ ତାରିଖ ସଂନ୍ଧ୍ୟା ପ୍ରାୟ ସାଢେ ୬ଟା ରୁ ୭ଟା ମଧ୍ୟରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ଘଟିବାର ଏକ ଘଣ୍ଟା ପର୍ଯ୍ୟନ୍ତ ଏ ସମ୍ପର୍କରେ କେହି ବି କିଛି ଜାଣି ପାରିନଥିଲେ । ଦୁଇ ବୃଦ୍ଧ ଦମ୍ପତି ଏକାକି ସେହି ଘରେ ରହୁଥିଲେ ଓ ସେ ଦିନ ସଂନ୍ଧ୍ୟାରେ ସେହି ଘରକୁ କେହି ଆସିବା କିମ୍ବା ଯିବାର ଦୃଶ୍ୟ ମଧ୍ୟ କେହି ଦେଖି ନାହାଁନ୍ତି । ଏପରିକି ଘରକୁ ଘର ଲାଗିଥିଲେ ମଧ୍ୟ ତାଙ୍କ ପଡୋଶୀଙ୍କ ପାଖରେ ବି ଘଟଣା ଘଟିବାର ଅନେକ ସମୟ ପରେ ଏହା ଜାଣିବାକୁ ପାଇଥିଲେ ।

ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତ ଲଗା କଟୁରି, ଗୋଟିଏ ପନିକି ଓ ଲୁହା ରଡ଼ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତି ଦେଖି କେହି ଅତି ଚିହ୍ନା ଲୋକ ହିଁ ଏହି କାଣ୍ଡ ଭିଆଇ ଥିବା ଦିଗକୁ ଇଙ୍ଗିତ କରୁଥିଲା । ପୋଲିସ ଓ ପରିବାର ଲୋକେ ମଧ୍ୟ ଏହା ହିଁ ସଂନ୍ଦେହ କରୁଛନ୍ତି ।
Published by: Jagdish Barik
First published: December 13, 2020, 7:25 PM IST
corona virus btn
corona virus btn
Loading