Panchayat poll: ଜାରି ହୋଇସାରିଛି ନିର୍ବାଚନୀ ଚିହ୍ନ; ୧୨ ତାରିଖରେ ବସିବ ଉଚ୍ଚ ସ୍ତରୀୟ ବୈଠକ

ପଞ୍ଚାୟତ ନିର୍ବାଚନ ପାଇଁ ସଂକେତ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ୱାର୍ଡ ମେମ୍ବର , ସରପଞ୍ଚ ,ସମିତି ସଭ୍ୟ ,ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଚିହ୍ନ ଜାରି ହୋଇଥିବା ବେଳେ ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ଲଢ଼ିପାରିବେ।

ଜାରି ହୋଇସାରିଛି ନିର୍ବାଚନୀ ଚିହ୍ନ

ଜାରି ହୋଇସାରିଛି ନିର୍ବାଚନୀ ଚିହ୍ନ

  • Share this:
News18 Odia Digital

ଭୁବନେଶ୍ବର: ଚୂଡାନ୍ତ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ଗୁରୁବାର ଦିନ ନିର୍ବାଚନ ସଙ୍କେତ ଜାରି କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ପାଇଁ ଆସିସାରିଛି ନିର୍ବାଚନୀ ଚିହ୍ନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ଅବଗତ କରାଇଥିଲେ। ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ସଙ୍କେତ ଜାରି ହୋଇସାରିଛି। ୱାର୍ଡ଼ ମେମ୍ବର ପାଇଁ ୧୫ଟି ଚିହ୍ନ ରହିଛି। ସରପଞ୍ଚ ପାଇଁ ୩୨, ସମିତି ସଭ୍ୟ ପାଇଁ ୧୯ଟି ଓ ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି।

ସେହିପରି ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ଲଢ଼ିପାରିବେ। ୱାର୍ଡ଼ ମେମ୍ବର୍ ପାଇଁ ଥିବା ଚିହ୍ନ ଗୁଡିକ ହେଲା ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଚାରା ଲଗାଉଥିବା ବାଳକ, ସାଇକେଲ, ଗାଜର, କଇଁଚି, ଚୌକି, କୁଟୀର, ଫ୍ରକ୍, ଚାମଚ, ଟର୍ଚ୍ଚ, କ୍ରିକେଟ ବ୍ୟାଟ, ଟେଲିଫୋନ।

ଆଉ ସରପଞ୍ଚଙ୍କ ପାଇଁ ଖୋଲା ବହି, ମାଛ, ସୂର୍ଯ୍ୟ, ଖୋଲା ଛତା,ଲଙ୍ଗଳ, ନିଶୁଣୀ, ବରଗଛ, ମୋଟର କାର, ଲଣ୍ଠନ, ବାଇଗଣ, ଝୁଡ଼ି, ମହମବତୀ, ବେଳୁନ, କ୍ୟାମେରା, ପାନିଆ ପରି ୩୨ଟି ଚିହ୍ନ ରହିଛି।

ସମିତି ସଭ୍ୟଙ୍କ ପାଇଁ କ୍ୟାଟିଲି, ସ୍ତୁଲ, ବସ, ତାଲା ଓ ଚାବି, ଚଷମା, ହାତ ପଙ୍ଖା, କପ ଓ ପ୍ଲେଟ, ମାଠିଆ, ସପୁରୀ, ଘଣ୍ଟି, କଣ୍ଢେଇ, ବ୍ୟାଟ୍ସ, ମ୍ୟାନ, ଗ୍ଲାସ, ଫୁଟବଲ, କୋଟ, ମକା, ଗୁଡି, ଉଡାଜାହାଜ, ବଂଶୀ ଚିହ୍ନ ରହିଛି।

ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଖଟ, ବାଳକ ଓ ବାଳିକା, ବାଲଟି, ଚିଠି ବାକ୍ସ, ନାଗରା, ହାର, ମୁଦି, ଜଗ ପରି ୧୯ଟି ଚିହ୍ନ ରହିଛି।

ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ନେଇ ଆସନ୍ତା ୧୨ ତାରିଖରେ ବସିବ ଉଚ୍ଚ ସ୍ତରୀୟ ବୈଠକ


ନିର୍ବାଚନ ସମୟରେ ଓଡ଼ିଆ ଅଲଫାବେଟିକାଲ ଅନୁସାରେ ଚିହ୍ନ ପ୍ରଦାନ କରାଯିବ। ନିର୍ବାଚନ ପ୍ରସ୍ତୁତି ବାବଦରେ ସୂଚନା ଦେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପାଢ଼ୀ କହିଥିଲେ, ‘‘ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାଲେଟ ପ୍ରିଣ୍ଟ ପାଇଁ ଯାଇଛି। ବାଲେଟ ପେପରରେ ପାର୍ଥିଙ୍କ ନା ରହିବ। କୋଭିଡ ନେଇ ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ ରହିଛି। ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯିବ।’’

ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଥିବା ବେଳେ ହାଇ କୋର୍ଟଙ୍କ ନିର୍ଦ୍ଦେଶ ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରି ନିର୍ବାଚନ କମିଶନଙ୍କ ନିକଟରେ ତାଲିକା ଦାଖଲ କରିବେ ରାଜ୍ୟ ସରକାର। ତେବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ବିଜେପି ଓବିସି ମୋର୍ଚା ସଭାପତି ସୁରଥ ବିଶ୍ୱାଲ କହିଥିଲେ,"ସଂରକ୍ଷଣ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରିବ ନାହିଁ । ଏହାକୁ ଜୋରଦାର ବିରୋଧ କରାଯିବ। ନିଜକୁ ସୁହାଇଲା ଭଳି ନିର୍ବାଚନରେ ସଂରକ୍ଷଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବିଶେଷ କରି ଓବିସି ସଂରକ୍ଷଣ ପ୍ରସଙ୍ଗରେ ସ୍ପଷ୍ଟତା ଆସି ନ ଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏହାକୁ ବିରୋଧ କରିବ ବିଜେପି । କେବଳ ବିଜେପି ନୁହେଁ ଏହି ପ୍ରସଙ୍ଗରେ ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ପ୍ରତିବାଦ ଆରମ୍ଭ କରିସାରିଲାଣି । ଦେଶର କିଛି ରାଜ୍ୟ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଏନେଇ ନିରବ ବସିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଅଦୁରଦର୍ଶିତାକୁ ବିଜେପି ଜୋରଦାର ବିରୋଧ କରିବ।’’

ସେହି ଭଳି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଥିଲେ,"ରାଜ୍ୟ ସରକାର ନିଜ ଦଳ ଭିତରେ ଓବିସି ବର୍ଗଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବେଳେ ଏଥିରେ କିଛି ବାସ୍ତବତା ନାହିଁ। ଦଳ ଭିତରେ ନୁହେଁ, ବରଂ ସରକାରୀ ଭାବେ ଓବିସି ସଂରକ୍ଷଣ ଗୁରୁତ୍ୱ ଦିଆଯିବା ଦରକାର।’’

ଜବାବ ରଖି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ, ‘‘ହାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ନିର୍ବାଚନ କରିବାକୁ ଯାଉଛନ୍ତି। ନିର୍ବାଚନ ହାରିଯିବା ଭୟରେ ସଂରକ୍ଷଣ ଆଳରେ ନିର୍ବାଚନ ବନ୍ଦ ନେଇ ବିରୋଧୀ ଏପରି ଅଭିଯୋଗ କରୁଛନ୍ତି। ବିଜେଡି ନିଷ୍ପତ୍ତି କରିଛି ଦଳୀୟ ଭିତ୍ତିରେ ପଛୁଆବର୍ଗଙ୍କ ସଂରକ୍ଷଣ ଦେବାକୁ। ବିରୋଧୀ ବି ଦଳୀୟ ଭିତ୍ତିରେ ସଂରକ୍ଷଣ ଦିଅନ୍ତୁ ବୋଲି ଆହ୍ୱାନ କରିଛି ବିଜେଡି।’’

ନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ନେଇ ଆସନ୍ତା ୧୨ ତାରିଖରେ ବସିବ ଉଚ୍ଚ ସ୍ତରୀୟ ବୈଠକ।
Published by:Lipina Das
First published: