ଏମକେସିଜି ସୁପର ସ୍ପେଶାଲିଟି ବ୍ଳକରେ ଅଘଟଣ ରୋକିବାକୁ ଉଚ୍ଚସ୍ତରୀୟ ବୈଠକ

ଏମକେସିଜି ମେଡ଼ିକାଲର ସୁପର ସ୍ପେଶାଲିଟି ବ୍ଳକରେ ବାରମ୍ବାର ଘଟୁଥିବା ଅଘଟଣକୁ ରୋକିବାକୁ ନେଇ ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ ।

ଏମକେସିଜି ସୁପର ସ୍ପେଶାଲିଟି ବ୍ଳକରେ ଅଘଟଣ ରୋକିବାକୁ ଉଚ୍ଚସ୍ତରୀୟ ବୈଠକ

ଏମକେସିଜି ସୁପର ସ୍ପେଶାଲିଟି ବ୍ଳକରେ ଅଘଟଣ ରୋକିବାକୁ ଉଚ୍ଚସ୍ତରୀୟ ବୈଠକ

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର; ପନ୍ଦର ଦିନ ମଧ୍ୟରେ ତିନି ତିନୋଟି ଘଟଣା ପରେ ଚେତିଲା ପ୍ରଶାସନ । ଆରଡ଼ିସି, ଜିଲ୍ଲାପାଳ, ବିଧାୟକ, ମେଡ଼ିକାଲ କର୍ତ୍ତୃପକ୍ଷ ଓ ବିଭିନ୍ନ ବିଭାଗକୁ ନେଇ ସୁପର ସ୍ପେଶାଲିଟି ବ୍ଳକରେ ହୋଇଥିବା ସମସ୍ୟାକୁ ନେଇ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଯେଉଁ ସଂସ୍ଥା ଏହି କୋଠାକୁ ନିର୍ମାଣ କରିଥିଲା ସେହି ସଂସ୍ଥାକୁ ଡ଼ାକି ଯେଉଁଠି ମରାମତିର ଆବଶ୍ୟକ ରହିଛି ସେଠାରେ ମରାମତି କରାଯିବ । ମରାମତି ନହେବା ପର୍ଯ୍ୟନ୍ତ ସେହି କୋଠାର ପଞ୍ଚମ ମହଲାକୁ ବନ୍ଦ ରଖାଯିବ ।



ଏଥିସହିତ ଏକ ଟେକ୍‌ନିକାଲ ଟିମ ସମ୍ପୂର୍ଣ୍ଣ କୋଠାର ସ୍ଥିତି ପରଖି ସୋମବାର ସୁଦ୍ଧା ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏତେ ବଡ଼ କୋଠା ନିର୍ମାଣ ହେବା ସହିତ ରୋଗୀମାନଙ୍କ ପାଇଁ ଉତ୍ସର୍ଗୀକୃତ ହେବା ପରେ କୋଠାରେ ଏଭଳି ବାରମ୍ବାର ଅଘଟଣ ହେବା ଯୋଗୁଁ ରୋଗୀ ଭୟଭୀତ ହେଉଛନ୍ତି । ଏହି ଅଘଟଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ସହରବାସୀ ।

ବଡ଼ ମେଡ଼ିକାଲର ବଡ଼ ଗୁମର କଥା । ଏହି ଗୁମର କଥା ବାହାରକୁ ଆସିବା ପରେ କିଭଳି ତାହାକୁ ଲୁଚାଯିବ ସେ ନେଇ ଚାଲିଛି ପ୍ରୟାସ । ଆଖି ଝଲସିବା ପରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରହିଛି ବଡ଼ ବଡ଼ କୋଠା । କିନ୍ତୁ କେଉଁ କୋଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ ତ ଆଉ କେଉଁଠି ସିଲିଂ ଖସୁଛି । ଏଭଳି ଘଟଣା ବାରମ୍ବାର ପଦାକୁ ଆସି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲିଛି । ଏବେ ଏହାର ସମାଧାନ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଏମକେସିଜି ମେଡ଼ିକାଲର ସୁପର ସ୍ପେଶାଲିଟି କୋଠାରେ ହୋଇଥିବା ଏଭଳି ଅଘଟଣକୁ ରୋକିବା ନେଇ ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଆରଡ଼ିସି, ଜିଲ୍ଲାପାଳ, ବିଧାୟକ, ମେଡ଼ିକାଲ କର୍ତ୍ତୃପକ୍ଷ, ବିଏମସି କମିଶନର, ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ବୈଠକ ହୋଇଥିଲା ।

‘‘ସୁପର ସ୍ପେଶାଲିଟିରେ ତିନୋଟି ଘଟଣା ପରେ ବର୍ତ୍ତମାନ ଯେଉଁ ଠିକା ସଂସ୍ଥା କାର୍ଯ୍ୟ କରିଥିଲା ତାହାକୁ ଚିଠି କରାଯାଇଛି । ଠିକା ସଂସ୍ଥା ଆସିବା ପରେ ଯେଉଁଠାରେ ମରାମତିର ଆବଶ୍ୟକତା ରହିଛି ସେଠାରେ ମରାମତି କରାଯିବ । ବର୍ତ୍ତମାନ ପଞ୍ଚମ ମହଲାରେ ରହିଥିବା ଅପରେସନ କୋଠରୀ ଗୁଡ଼ିକୁ ବନ୍ଦ ରଖାଯାଇଛି । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହିଁ ସମସ୍ତ ପ୍ରକାରର ଅପରେସନ କୋଠରୀକୁ ଖୋଲାଯିବା ପରେ ପୂର୍ବପରି ସମସ୍ତ ଅପରେସନ ହେବ ବୋଲି କହିଛନ୍ତି,‘‘ ଦକ୍ଷିଣାଞ୍ଚଳ ଆରଡ଼ିସି ଟି.ଆଓ  ।

ବାରମ୍ବାର ସିଲିଂ ଖସୁଥିବା ଯୋଗୁଁ ଏହାର ତଦନ୍ତ କରିବା ନିମନ୍ତେ ଏକ ଟେକନିକାଲ ଟିମ ଗଠନ ହୋଇଛି । ସେହି ଟିମ ସୁପର କୋଠାକୁ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିବ । ଆସନ୍ତା ସୋମବାର ଏନେଇ ଏକ ରିପୋର୍ଟ ଦେବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି,‘‘ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜୋତି ପରିଡ଼ା ।

କୋଠାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଠିକା ସଂସ୍ଥା ମେଡ଼ିକାଲକୁ ହସ୍ତାନ୍ତର କରିନାହିଁ । କେବଳ ହସ୍ତାନ୍ତର କରିଲୁ ବୋଲି ଲେଖିକରି ପଳାଇଛନ୍ତି । ଯାହାଫଳରେ କୋଠାର କାର୍ଯ୍ୟ କିଭଳି ହୋଇଛି କି ନାହିଁ ସେ ନେଇ ବୁଝିବା ପୂର୍ବରୁ କୋଠା ଛାଡ଼ି ଚାଲିଯାଇଥିଲା ଠିକା ସଂସ୍ଥା । ଯାହାଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ପରବର୍ତ୍ତୀ ସମୟରେ ଏଭଳି ଘଟଣା ନ ଘଟିବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

‘‘୨୦୧୬ ମେ ୪ରେ ଠିକା ସଂସ୍ଥା ହାଇଡ଼୍ରା ଇନଫ୍ରା ଟେକ ପ୍ରୋଜେକ୍ଟ ଲିମିଟେଡ଼ କାମ ଆରମ୍ଭ କରିଥିଲା । ୨୦୧୭ ସେପ୍ଟେମ୍ବର ୧୩ ସୁଦ୍ଧା କାର୍ଯ୍ୟ ଶେଷ କରିବା ନିମନ୍ତେ ଚୁକ୍ତି ହୋଇଥିବା ବେଳେ ୨୦୧୯ ଶେଷ ସମୟରେ କୋଠା ନିର୍ମାଣ ଶେଷ ହେବା ସହିତ ଯନ୍ତ୍ରାଶ ସ୍ଥାପନ କରିଥିଲା ଠିକାସଂସ୍ଥା ।

‘‘ନିର୍ମାଣ କାର୍ଯ୍ୟ ଶେଷ ଓ ଯନ୍ତ୍ରାଂଶ ସ୍ଥାପନ ପରେ ମଧ୍ୟ ଅନେକ ମାସ ଧରି ସେଭଳି ପଡ଼ି ରହିବା ରହିଥିଲା କୋଠା। ପରେ କୋଭିଡ଼ ହସ୍‌ପିଟାଲ ଭାବେ ଏହାକୁ ବ୍ୟବହାର କରାଗଲା । ତେଣୁ ସେହି ସମୟରେ ଯେଉଁ ସରକାରୀ ଅଧିକାରୀ ମାନେ କାର୍ଯ୍ୟକୁ ତଦାରଖ କରୁଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ରାମ ପାତ୍ର ।

ବ୍ଳକରେ ୮ଟି ସ୍ବତନ୍ତ୍ର ବିଭାଗର ବର୍ହିଃଚିକିତ୍ସା ଓ ଅନ୍ତଃ ଚିକିତ୍ସା କାର୍ଯ୍ୟ ଚାଲୁଥିବା ବେଳେ ଅପରେସନ କୋଠା ଗୁଡ଼ିକ ଦୀର୍ଘ ଦିନ ହେଲା ବନ୍ଦ ହୋଇପଡ଼ିଛି । ତେଣୁ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ କୋଠାର ମରାମତି କରାଯିବା ସହିତ ପରବର୍ତ୍ତୀ ସମୟରେ ଏଭଳି ଅଘଟଣ ନ ଘଟେ ସେ ନେଇ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
Published by:Soubhagya Mishra
First published: