ବର୍ଷା ଓ ଅନୁଭବଙ୍କ ସୋସିଆଲ ମିଡ଼ିଆ ଯୁଦ୍ଧ ଉପରେ ରୋକ ଲଗାଇଲେ ହାଇକୋର୍ଟ
News18 Odia Digital
କଟକ: ସେଲିବ୍ରିଟି ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ବାକ ଯୁଦ୍ଧ ଉପରେ ରୋକ ଲଗାଇଲେ ହାଇକୋର୍ଟ। ସୋସିଆଲ ମିଡ଼ିଆକୁ ରଣକ୍ଷେତ୍ର କରି ପରସ୍ପର ବିରୁଦ୍ଧରେ ଶବ୍ଦ ବାଣର ପ୍ରୟୋଗ କରୁଥିବା ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନା ଅନୁଭବ ନା ବର୍ଷା। ଏଣିକି କେହି, ବି କାହା ବିରୁଦ୍ଧରେ, କୌଣସି ମାଧ୍ୟମରେ, କୌଣସି ପ୍ରକାରର, କଟୁ ମନ୍ତବ୍ୟ ଦେବେ ନାହିଁ।
ଫଳସ୍ବରୂପ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ସାଇବର ଯୁଦ୍ଧ ବନ୍ଦ ହୋଇଛି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ପୋଷ୍ଟ ଯୋଗୁଁ ତାଙ୍କର ମର୍ଯ୍ୟାଦା ହାନୀ ହେଉଥିବା ଦର୍ଶାଇ ବର୍ଷାଙ୍କ ଦ୍ବାରା ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି କରି ଉଭୟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖକୁ ଧାର୍ଯ୍ୟ କରାଯାଇଛି।
"କୋର୍ଟ ସ୍ପଷ୍ଟ ଭାବେ ଅନୁଭବଙ୍କୁ କହିଛନ୍ତି ଯେ ସେ ଏଣିକି କୌଣସି ଭିଡ଼ିଓ ଆଉ ଅପଲୋଡ କରିବେ ନାହିଁ। ଉଭୟ ପକ୍ଷଙ୍କୁ କୋର୍ଟ କହିଛନ୍ତି କି କେହି କାହା ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେବେ ନାହିଁ," ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ସୁଜାତା ଜେନା।
ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା କୋର୍ଟ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଅନେକ ସମୟରେ ବର୍ଷା ଓ ଅନୁଭବ ବିଭିନ୍ନ ପ୍ଲାଟଫର୍ମରେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେଇ ଆସୁଥିଲେ। କିନ୍ତୁ ଗତ ୧୯ ତାରିଖ ଦିନ ଅନୁଭବ ନିଜ ୟୁ-ଟ୍ୟୁବ ଆକାଉଣ୍ଟରୁ ଗୋଟିଏ ଭିଡିଓ ଜାରି କରିଥିଲେ। ଏହି ଭିଡ଼ିଓରେ ସେ ପତି ପତ୍ନୀଙ୍କ ମଧ୍ୟରେ ଥିବା ବିବାଦକୁ ସାର୍ବଜନିନ କରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ପୁରୀଘାଟ ଥାନାରେ ଏତାଲା ଦାୟର କରିଥିଲେ ବର୍ଷା।
ଏହି ଭିଡିଓକୁ ନେଇ ଚର୍ଚ୍ଚା ଓ ବିବାଦ ଥମି ନଥିବା ବେଳେ ପୁଣି ୨୧ ଓ ୨୪ ତାରିଖ ଦିନ ଅନୁଭବ ଜାରି କରିଥିବା ଆଉ ଦୁଇଟି ଭିଡିଓ ନିଆଁରେ ଘିଅ ଢ଼ାଳିବା ଭଳି କାର୍ଯ୍ୟ କରିଥିଲା। ଫଳସ୍ବରୂପ ସାମାଜିକ ଗଣମଧ୍ୟମ ବିଶେଷ କରି ଫେସବୁକ ଜରିଆରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପରସ୍ପର ବିରୁଦ୍ଧରେ ଅନେକ କଟୁ ମନ୍ତବ୍ୟ ପ୍ରଦାନ କରାଯାଇଥିଲା। ପୂର୍ବ ଭଡିଓ ଭଳି ଏହି ଦୁଇଟି ଭିଡ଼ିଓରେ ବର୍ଷାଙ୍କ ବିରୁଦ୍ଧରେ ଅନୁଭବ ବିଶୋଦଗାର କରିବାରୁ ପ୍ରତିକ୍ରିୟାଶିଳ ହୋଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସେପଟେ ଯଦି ଉଭୟଙ୍କ ସମ୍ପର୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି ହେବାର କୌଣସି ଅବକାଶ ନଥାଏ, ତେବେ ବିବାଦକୁ ଆଉ ଆଗକୁ ନ ବଢ଼ାଇ ଆପସ ବୁଝାମଣା ଭିତ୍ତିରେ କିମ୍ବା କୋର୍ଟଙ୍କ ହସ୍ତକ୍ଷେପ ଜରିଆରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଥିବା ଠିକ ହେବ ବୋଲି ମତ ଦେଇଛନ୍ତି ଆଇନ ବିସାରଦ।
"ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଛଗଡ଼ା କିଛି ନୂଆ କଥା ନୁହେଁ। କିନ୍ତୁ ଯେତେ ବେଳେ ଏହା ମାମଲାରେ ପରିବର୍ତ୍ତିତ ହେଉଛି ସେତେ ବେଳେ ଏହାର ସମାଧନ ତୁରନ୍ତ ହେବା ଦରକାର। ଯଦି ଉଭୟ ପକ୍ଷ ରାଜି ଅଛନ୍ତି ତେବେ ସେମାନଙ୍କ ମଧ୍ୟରେ ମିଳାମିଶା ହୋଇଯିବା ଦରକାର ଅନ୍ୟଥା ପରସ୍ପର ଠାରୁ ସହମତି ଭିତ୍ତିରେ କିମ୍ବା କୋର୍ଟଙ୍କ ହସ୍ତକ୍ଷେପ ଜରିଆରେ ଅଲଗା ହୋଇଯିବା ଦରକାର। ବର୍ଷ ବର୍ଷ ଧରି ମାମଲା କୋର୍ଟରେ ଚାଲୁ ରହିଲେ ପକ୍ଷମାନଙ୍କ ଭିତରେ ତିକ୍ତତା ଅଧିକ ବଢ଼ିବ,’’ କହିଛନ୍ତି ହାଇକୋର୍ଟର ଆଇନଜୀବୀ ମାନସ ଚାନ୍ଦ।
ଏହି ଷ୍ଟାର ଦମ୍ପତିଙ୍କ ପାରିବାରିକ ବିବାଦ ଅଦଲତରେ ବିଚାରାଧିନ ରହିଛି। କିନ୍ତୁ ଅଦାଲାତଙ୍କ ନିର୍ଦ୍ଦେଶ ବା ରାୟକୁ ଅପେକ୍ଷା କରିବା ବଦଳରେ ନିଜ ନିଜ ସମର୍ଥନରେ ଜନମତ ସୃଷ୍ଟି କରିବା ପାଇଁ ଉଭୟ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଆସୁଥିଲେ। ଯାହାକି ଏକ ଖରାପ ପରମ୍ପରା ସୃଷ୍ଟି କରୁଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।