News18 Odia Digital
କଟକ: ରାଜ୍ୟର ଅଧିକାଂଶ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁତ ଅଧିକ ବନ୍ଦୀ ରହିଥିବା ବେଳେ ଭିଡ଼ ଏଡ଼ାଇବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ବିଶେଷ କରି ନବ ନିର୍ମିତ ଜେଲରେ ପାଚେରି ନିର୍ମାଣ ହୋଇନଥିବାରୁ ଏହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।
ଯାଜପୁର ସବ-ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୭୭ ପ୍ରତିଶତ ଅନ୍ତେବାସୀ ରହିଥିବା ବେଳେ ଓ ଆଠମଲ୍ଲିକ ସବ-ଜେଲରେ ୬୭ ପ୍ରତିଶତ ଅନ୍ତେବାସୀ ରହିଛନ୍ତି। ସେହିପରି ମାଲକାନଗିରିରେ ଜେଲରେ ୩୭ ପ୍ରତିଶତ ଅଧିକ ବନ୍ଦୀ ରହିଛନ୍ତି।
ଯାଜପୁର ସବ-ଜେଲରେ ଜେଲର କ୍ଷମତା ବୃଦ୍ଧି ପାଇଁ ନୂଆ ସ୍ଥାନ ଚିହ୍ନଟ କରାଯିବାକୁ ଥିବାବେଳେ ଆଠମଲ୍ଲିକରେ ଅଧିକ ୩୫ ଜଣ ବନ୍ଦୀଙ୍କୁ ରଖିବାକୁ ବ୍ୟବସ୍ଥା ମାର୍ଚ୍ଚ ସୁଦ୍ଧା କରାଯିବ ବୋଲି ଏକ ସତ୍ୟପାଠ ମାଧ୍ୟମରେ ଜେଲ ବିଭାଗ ଦର୍ଶାଇଥିଲା।
ମାଲକାନଗିରିରେ ୨୦୦ ଅଧିକ ବନ୍ଦୀଙ୍କ ପାଇଁ ନୂଆ ଜେଲ କୋଠା ନିର୍ମାଣ କରାଯାଇଛି। କିନ୍ତୁ ପାଚେରି ନିର୍ମାଣ ହୋଇ ନଥିବାରୁ ଏହି ନୂଆ କୋଠାକୁ ବନ୍ଦୀଙ୍କୁ ସ୍ଥାନାନ୍ତର କରାଯାଉ ପାରୁନାହିଁ ବୋଲି ଶୁଣାଣି ସମୟରେ ଜଣା ପଡ଼ିଥିଲା।
ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ। କୌଣସି ଔପଚାରିକ ଅନୁମୋଦନକୁ ଅପେକ୍ଷା ନ କରି ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲୁସି) ମାଲକାନଗିରି ସବ୍-ଜେଲର ଅତିରିକ୍ତ କ୍ଷମତା ବୃଦ୍ଧି ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥାର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଚାରି ସପ୍ତାହ ଭିତେର ଗୃହ ବିଭାଗ ଔପାଚରିକ ଅନୁମୋଦନ ପ୍ରଦାନ କରିବ। ବନ୍ଦୀଙ୍କୁ ରଖିବାକୁ ଜେଲର କ୍ଷମତା ବୃଦ୍ଧି ସମ୍ପର୍କିତ ସମସ୍ତ ପ୍ରକଳ୍ପରେ କୋଠା ସହିତ ପାଚେରୀ ନିର୍ମାଣ କାମ ଏକତ୍ର କରାଯିବ ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ପାଳନ କରି ଜେଲ ଡିଜି ମନୋଜ କୁମାର ଚ୍ଛାବରା, ଓପିଏଚଡବ୍ଲୁସି ସିଏମଡି ସଞ୍ଜୀବ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ.ପଣ୍ଡିତ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ ଥିବା ଅଧିକାଶଂ ଜେଲରେ ଏବେ କ୍ଷମତା ଠାରୁ ଅଧିକ ସଂଖ୍ୟକ ଅନ୍ତେବାସୀ ରହୁଛନ୍ତି। ଯେଉଁଥିପାଇଁ ଅଧିକାଶଂ ସମୟରେ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସୁଛି। କିଛି କିଛି ଜେଲରେ ବଡ଼ ବଡ଼ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ମାନେ ରହୁଥିବାରୁ ସେହି ସମସ୍ତ ଜେଲରେ ଭିଡ଼ର ସୁଯୋଗ ନେଇ ପ୍ରତିପକ୍ଷ ଗ୍ୟାଙ୍ଗର ସଦସ୍ୟଙ୍କ ସହ ଗ୍ୟାଙ୍ଗ ୱାର ଘଟିବା ମଧ୍ୟ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ଏହା ବ୍ୟତୀତ ଅତ୍ୟଧିକ ଗହଳି ପାଇଁ ଜେଲ ଗୁଡ଼ିକରେ ପରିସ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦିଆଯାଉନଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।