ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣା: ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବାରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାତୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ହାତୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ହାତୀ ମୃତ୍ୟୁ ମାମଲାକୁ ଅତି ଗୁରୁତ୍ୱର ନେଇଛନ୍ତି ହାଇକୋର୍ଟ। ମାମଲାର ଶୁଣାଣି ସମୟରେ, ପିସିସିଏଫ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ମଙ୍ଗଳବାର ହାଜର ହୋଇଥିଲେ। କାହିଁକି ହାତୀ ମୃତୁ ରୋକା ଯାଇପାରୁ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଏଥିସହ ଗତ ୭ ତାରିଖରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ପିସିସିଏଫ ମଙ୍ଗଳବାର କୋର୍ଟରେ ସ୍ୱୀକାର କରିଛନ୍ତି ଯେ ବନ କର୍ମଚାରୀମାନେ ହାତୀକୁ ମାରି ପୋଡ଼ିଛନ୍ତି। ଶିମିଳିପାଳ ହାତୀ ମୃତୁ ଘଟଣାରେ ବନ କର୍ମଚାରୀ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଏଫଆଇଆର ହୋଇ ନାହିଁ ପ୍ରଶ୍ନ କଲେ ହାଇକୋର୍ଟ।

ସେହିପରି ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବାରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କମୁନାହିଁ ହାତୀ ମୃତୁ। ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ଗୁରତ୍ୱର ନେଇଛନ୍ତି। ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ, ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ ପୂର୍ବ ଶୁଣାଣିରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାତୀ ମୃତ୍ୟୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି? କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି? ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି ? ସେନେଇ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାର ଗଠନ କରିଥିବା JTF(ଜଏଣ୍ଟ ଟାକ୍ସଫୋର୍ସ) ର ଅତିରିକ୍ତ ଏସପିଙ୍କୁ ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ହାତୀ ମୃତ୍ୟୁ ରୋକିବା ପାଇଁ କଣ କଣ ଆକ୍ସନ ପ୍ଲାନ କରାଯାଇଛି? ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ପୂର୍ବରୁ ଅସନ୍ତୋଷବ୍ୟକ୍ତ କରିଥିଲେ। ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା। ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ।
ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ।

ଏଥି ସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହୋଇଥିଲେ ମଧ୍ୟ ଆର୍ମ୍ସ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇନାହିଁ ସେ ନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳି ନଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ। ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହୋଇଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମ୍ସ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମ୍ସ ଆକ୍ଟ ସମେତ ଅନ୍ୟ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଂଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ।
Published by:Lipina Das
First published: