ମହାଳୟା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼; ଆଜିଠୁ ଆରମ୍ଭ ହେଲା ଗୁପ୍ତଗୁଣ୍ଡିଚା ଯାତ୍ରା

ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସସ୍କୃତିରେ ଦେଖିବାକୁ ମିଳିଥାଏ ।

ମହାଳୟା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼; ଆଜିଠୁ ଆରମ୍ଭ ହେଲା ଗୁପ୍ତଗୁଣ୍ଡିଚା ଯାତ୍ରା

ମହାଳୟା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼; ଆଜିଠୁ ଆରମ୍ଭ ହେଲା ଗୁପ୍ତଗୁଣ୍ଡିଚା ଯାତ୍ରା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି ।
ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଥିବା ଅପର ପକ୍ଷ ଆଜି ମହାଳୟା ଅମାବାସ୍ୟାରେ ଶେଷ ହୋଇଛି । ପ୍ରତିପଦାରୁ ଶ୍ରୀକ୍ଷେତ୍ର ତୀର୍ଥ ପୁଷ୍କରିଣୀମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣକାରୀମାନେ ତର୍ପଣ କରିଥାନ୍ତି । ଯେଉଁମାନେ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷରେ ତାଙ୍କର ପିତୃପୁରୁଷଙ୍କୁ ଶ୍ରାଦ୍ଧ କରିନଥାନ୍ତି । ଆଜି ମହାଳୟା ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କ ମୋକ୍ଷ ପାଇଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି ।



ପ୍ରଶାସନ ପକ୍ଷରୁ ବାଇଶି ପାହାଚରେ ଶ୍ରାଦ୍ଧ ଦେବା ଉପରେ କଟକଣା ଥିବାରୁ ଉତ୍ତରଦ୍ୱାର ସମ୍ମୁଖ ଭାଗରେ ପିଣ୍ଡଦାନ ଦେଉଛନ୍ତି ଶ୍ରଦ୍ଧାଳୁ । କେବଳ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ନୁହେଁ ନରେନ୍ଦ୍ର , ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମହୋଦଧି ଆଦିରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ଜଗନ୍ନାଥ ଗବେଷକ ପଦ୍ମନାଭ ତ୍ରିପାଠୀ ।



ବିଧି ପରମ୍ପରା ଅନୁଯାୟୀ ମହାଳୟା ତିଥିରେ ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଇଲେ ପିତୃପୁରୁଷ ମୋକ୍ଷ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକୁ ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଇଥାଏ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ ଶାଶ୍ୱତ ମହାପାତ୍ର । ଆଜି ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇ ବେଶ ଖୁସି ଅନୁଭବ କରିଛନ୍ତି । ଏହି ସମୟରେ ଯେଉଁମାନେ ଗୟା, ଗଙ୍ଗା, ବୈତରଣୀ ଆଦିରେ ଅସ୍ଥି ବିସର୍ଜନ କରି ପୁରୀ ଆସି ପିଣ୍ଡଦାନ ଓ ବ୍ରାହ୍ମଣ ଭୋଜନ କରାଇ ପିତୃପୁରୁଷଙ୍କୁ ମୋକ୍ଷ ଦେଇଥିବା କହିଛନ୍ତି ।



ଏଥିସହ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି । ପରମ୍ପରା ଅନୁଯାୟୀ ଆଶ୍ୱିନ ଶ୍କୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥାଏ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାକ୍ତଗୁଣ୍ଡିଚା । ଶାରଦୀୟ ପୂଜା ଅବସରରେ ସର୍ବତ୍ର ମାଆ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି । ଷୋଳପୂଜାର ପ୍ରଥମ ଆଠଦିନ ଦୁର୍ଗାମାଧବ ଶ୍ରୀମନ୍ଦିର ପରିସରରେ ମାଆ ବିମଳାଙ୍କ ମନ୍ଦିରରେ ପୂଜିତ ହେଉଥିବାବେଳେ ଆଶ୍ୱିନ ଶୁକ୍ଲ ପ୍ରତିପଦାରୁ ଦଶହରା ପର୍ଯ୍ୟନ୍ତ ଦୋଳମଣ୍ଡପ ସାହି ନାରାୟଣ ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ସମୟରେ ପ୍ରଭୁ ଦୁର୍ଗାମାଧବ ନନ୍ଦିଘୋଷ ବିମାନରେ ଗୁପ୍ତ ବା ଶାକ୍ତ ଗୁଣ୍ଡିଚା ଯାତ୍ରାରେ ବିଜେ କରିଥାନ୍ତି ବୋଲି କହିଛନ୍ତି ଯୁବ ଗବେଷକ ସୌମ୍ୟରଂଜନ ପଣ୍ଡା।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପୁଷ୍ପାଳକ ସେବାୟତ ଜଗନ୍ନାଥ କରଙ୍କ କହିବା ଅନୁଯାୟୀ , ଶ୍ରୀମନ୍ଦିରରେ ସକାଳଧୂପ ଶେଷହେବା ପରେ ଭଣ୍ଡାର ଘର ଦ୍ୱାରରେ ଗତ ଆଠଦିନ ଧରି ରୁନ୍ଧା ହୋଇ ବିଜେ କରିଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଜୟବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପ ନିକଟରେ ଥିବା ରଥକୁ ବିଜେ କରିବେ । ରଥାକୃତ ଏହି ବିମାନରେ ବସି ଚଳନ୍ତି ପ୍ରତିମା ଦୁର୍ଗାମାଧବ । ଘଣ୍ଟ, ଘଣ୍ଟା ବିଜେକାହାଳି ବାଜି ବିମାନରେ ନାରାୟଣ ମନ୍ଦିରକୁ ବିଜେ କରିଥାନ୍ତି । ନାରାୟଣୀଙ୍କ ପୀଠରେ ଦୁର୍ଗାମାଧବଙ୍କୁ କର୍ପୁରଜଳ ଲାଗି, ମାଣ୍ଡୁଅ ଭୋଗ, ଶୀତଳ ଭୋଗ, ଓ ବନ୍ଦାପନା ନୀତି କରାଯାଇଥାଏ । ଏହା ପରେ ବଡ଼ ଦେଉଳରେ ସଂନ୍ଧ୍ୟାଧୂପ ପରେ ଠାକୁରଙ୍କୁ ରାତି ଚନ୍ଦନ ବେଳେ ଦୁର୍ଗାମାଧବ ପୁଣି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବାର ପରମ୍ପରା ରହିଛି ।

ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଉନଥିବାରୁ ଏହି ସମୟରେ ଲକ୍ଷ୍ମୀଙ୍କୁ ଦୁର୍ଗା ରୂପରେ ନେଇ ଗୁପ୍ତ ଗୁଣ୍ଡିଚାରେ ଯାଇଥାନ୍ତି । ଶ୍ରୀମନ୍ଦିରରେ ଆଉ ଆଠଦିନ ଦୁର୍ଗାମାଧବ ଉପାସନା ସରିବା ପରେ ଏବେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ଗୁପ୍ତ ଗୁଣ୍ଡିଚାରେ ଆଠ ଦିନ ବିଜେ ଦୁର୍ଗାମାଧବ ବିଜେ କରିବାର ବିଧି ରହିଛି ।
Published by:Soubhagya Mishra
First published: