୧୩ତାରିଖ ଯାଏଁ ଗରମ ଲାଗି ରହିବ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ପଶ୍ଚିମରେ ତାତିକୁ ଉପକୂଳରେ ଗୁଳୁଗୁଳି। ଅସହ୍ୟ କଲାଣି ଗରମ ଆଉ ଗୁଳୁଗୁଳି। ହେଲେ ମୌସୁମୀର ଦେଖା ନାହିଁ। ଉପକୂଳ ଓଡ଼ିଶାରେ ପାରଦ କମ ଥିଲେ ବି ଆର୍ଦ୍ରତା ଅଧିକ ରହୁଛି। ଫଳରେ ଅସ୍ତବ୍ୟସ୍ତ କରିଛି ଗୁଳୁଗୁଳି। ବର୍ଷା ନ ହେବା ଯାଏ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ଦୁଇ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ତାତିରୁ ନିସ୍ତାର ନାହିଁ।
ଉପକୂଳରେ ଅସହ୍ୟ କଲାଣି ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ତାପମାତ୍ରା କମ ଥିଲେ ବି କ୍ରମାଗତ ଭାବେ ବଢୁଛି ଆର୍ଦ୍ରତା। ବୁଧବାର ବାୟୁମଣ୍ଡଳର ଆର୍ଦ୍ରତା ୬୦% ରହୁଥିବା ବେଳେ ଗୁରୁବାର ୭୦% ବା ତା ଠାରୁ ଅଧିକ ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ଗୋପାଳପୁରରେ ୯୨% ଆର୍ଦ୍ରତା ଥିବା ବେଳେ ଭୁବନେଶ୍ୱର ଓ ପୁରୀରେ ୮୫%, ପାରାଦ୍ୱୀପରେ ୭୮%, ଚାନ୍ଦବାଲିରେ ୭୩%, ବାଲେଶ୍ୱରରେ ୬୯% ଆର୍ଦ୍ରତା ରହିଥିଲା। ଆର୍ଦ୍ରତା ଅଧିକ ଥିବାରୁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଓଡ଼ିଶା ମଧ୍ୟକୁ ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପ୍ରବାହ ରହୁଛି। ତାସହ ସାମୁଦ୍ରିକ ପବନ ମଧ୍ୟ ବହୁଛି। କିନ୍ତୁ ସାମୁଦ୍ରିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁ କେବଳ ବାୟୁମଣ୍ଡଳର ତଳ ଭାଗରେ ରହୁଛି। ଉପରକୁ ଯାଇପାରୁନି। ଉପରି ଭାଗରେ ଥିବା ଶୁଷ୍କ ବାୟୁମଣ୍ଡଳ ସ୍ଥିରତା ବୃଦ୍ଧି କରୁଛି। ଫଳରେ ଅଧିକ ଆର୍ଦ୍ରତା ସତ୍ତ୍ୱେ ବର୍ଷା ହେଉନି। ଗୁଳୁଗୁଳିରେ ଶରୀରରୁ ଝାଳ ଶୁଖୁନି। ଯାହା ଜନଜୀବନକୁ ବ୍ୟତିବ୍ୟସ୍ତ କରିଛି। ପଶ୍ଚିମା ବାୟୁପ୍ରବାହ ନ କମିବା ଯାଏ ତଥା ପ୍ରାକ-ମୌସୁମୀ ବର୍ଷା ନ ହେବା ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି କହିଛି ପଣିପାଗ କେନ୍ଦ୍ର।
ସାଧାରଣତଃ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ସହ ତାପମାତ୍ରା ଅଧିକ ରହିଲେ କାଳବୈଶାଖୀ ବର୍ଷା ହୋଇଥାଏ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେଉଛି। କିନ୍ତୁ ଉପକୂଳ ଓଡ଼ିଶା ଉପରେ ତାର ପ୍ରଭାବ ପଡୁନି। ଫଳରେ ବର୍ଷାର ପରିମାଣ କମିଯାଉଛି। ଗୁରୁବାର ଭୁବନେଶ୍ୱରରେ ଆକାଶ ମେଘାଛନ୍ନ ଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ଦିନ ତୁଳନାରେ ରାତିରେ ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହୁଛି। ତେବେ ୧୨ ତାରିଖରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ ବୋଲି କହିଛନ୍ତି ବିଶେଷଜ୍ଞ।
ସେପଟେ ଆସନ୍ତା ୪୮ ଘଣ୍ଟା ଯାଏ ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, କଲହାଣ୍ଡି, ସୋନପୁର, ନୂଆପଡ଼ା, ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ସେହିପରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ୧୧ ରୁ ୧୩ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।