ଚ଼ନ୍ଦକା ଆସିବା ଠାରୁ ଶିକୁଳିରେ ବନ୍ଧା ହୋଇଛି ଦନ୍ତା ନରସିଂହା; ତା’ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି

ଯାଜପୁରରେ ପାଞ୍ଚ ଜଣଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିବା ନରସିଂହାର ଚ଼ାରୋଟି ଗୋଡ ଲୁହା ଶିକୁଳିରେ ବନ୍ଧା ହୋଇଥିବାରୁ ସେଥିରେ କ୍ଷତ ହୋଇ ଘାଆ ବି ସୃଷ୍ଟି ହୋଇଛି । ତା’ ଚ଼ାରିପଟେ ସୋଲାର ଫେନସିଂ କରିବା ସହ ଟ୍ରେଞ୍ଚ ଖୋଳି ତା’ର ଯତ୍ନ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ ।

ଚ଼ନ୍ଦକା ଆସିବା ଠାରୁ ଶିକୁଳିରେ ବନ୍ଧା ହୋଇଛି ଦନ୍ତା ନରସିଂହା; ତା’ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି
ଚ଼ନ୍ଦକାରେ ଦନ୍ତା ହାତୀ ନରସିଂହା
  • News18 Odia
  • Last Updated: March 3, 2020, 10:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚ଼ନ୍ଦକାକୁ ଆସିବା ପରେ ଯାଜପୁରର ମାରଣା ଦନ୍ତା ହାତୀ ନରସିଂହାର ଦେହ ଭଲ ରହୁ ନାହିଁ । ଦିନକୁ ଦିନ ତା’ର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଓଜନ କମିଯାଉଥିବାରୁ ସେ ଦୁର୍ବଳ ହୋଇଯାଇଛି ଓ ଠିଆ ହେବାକୁ ତା’ର ଜୋର୍‌ ପାଉନି । ତାକୁ ନେଇ ବନ ବିଭାଗର ଚ଼ିନ୍ତା ବଢ଼ିଛି ।

ନରସିଂହାର ଚ଼ାରୋଟି ଗୋଡ଼ ଲୁହା ଶିକୁଳିରେ ବନ୍ଧା ହୋଇଥିବାରୁ ସେଥିରେ କ୍ଷତ ହୋଇ ଘାଆ ବି ସୃଷ୍ଟି ହୋଇଛି । ଟ୍ରାଙ୍କୁଲାଇଜ ହେବା ଠାରୁ ତା’ ଦେହରେ ଲୁହା ଶିକୁଳି ଏଭଳି ପଡିଛି ଯେ ନରସିଂହା ଆଉ ମୁକୁଳି ପାରୁନି ସେଥିରୁ । କେବଳ ଆଖିରୁ ଲୁହ ଗଡାଇବା ବ୍ୟତୀତ ଆଉ କିଛି ନାହିଁ ତା’ ପାଖରେ । କିଭଳି ହାତୀର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ ସେ ନେଇ ବନ ବିଭାଗକୁ ଲିଖିତ ଭାବରେ ଜଣାଇଛନ୍ତି ନନ୍ଦନକାନନ ଓ ଓୟୁଏଟିର ପ୍ରାଣୀ ଚ଼ିକିତ୍ସକମାନେ । ହାତୀକୁ ପୋଷା ମନାଇବା ସହ ତା’ର ଜୀବନ ରକ୍ଷା କରିବାକୁ ହେଲେ କାଠ ଖୁଆଡ଼ ବା କ୍ରଲ ହିଁ ଏକ ମାତ୍ର ବିକଳ୍ପ ବୋଲି କହିଛନ୍ତି ଡାକ୍ତରୀ ଟିମ୍ ।

ଜାନୁଆରୀ ୩୧ ତାରିଖରେ ଏହି ନରହନ୍ତା ଦନ୍ତାକୁ ଯାଜପୁରରୁ ଆଣାଯାଇ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ରଖାଯାଇଛି । ଗୋଡିବାରୀ ପାଖରେ ରହୁଥିବା ନନ୍ଦ-ଯଶୋଦାଙ୍କୁ ଦେଖି ଅଧିକ ରାଗିଯିବାରୁ କୁମାରଖୁଣ୍ଟି ଡ୍ୟାମ ପାଖରେ ନରସିଂହାକୁ ରଖାଯାଇଛି । ଶଙ୍କର ସେଠାରେ ରହୁଥିବାରୁ ଉଭୟ ଶଙ୍କର-ନରସିଂହା ଉପରେ ନଜର ରଖିଛନ୍ତି ଛଅ ଜଣ ମାହୁନ୍ତ । ବନ ବିଭାଗର କର୍ମଚାରୀ ମଧ୍ୟ କଡ଼ା ନଜର ରଖିବା ସହ କିଭଳି କୁମାର ଖୁଣ୍ଟି ଓ ଏହାର ଆଖପାଖ ଅଞ୍ଚଳକୁ କେହି ନ ଯିବେ ସେ ନେଇ ସ୍ଥାନୀୟ ଲୋକଙ୍କୁ ଜଗୁଆଳ କରି ରଖାଯାଇଛି । ତାକୁ ନିକାଞ୍ଚନ ସ୍ଥାନରେ ରଖି ତା’ ସ୍ବଭାବରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଥିବା ବନ ବିଭାଗର ପାରିବା ପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

‘‘ମାରଣା ଦନ୍ତା ଜଙ୍ଗଲୀ ହାତୀ ହୋଇଥିବାରୁ ତାକୁ କେବଳ କୁକିଂ ଟ୍ରେନିଂ ଦରକାର । ଯଦି ଟ୍ରେନିଂରେ କିଛି ଅସୁବିଧା ହେଉଛି ତେବେ ତାକୁ ନିକାଞ୍ଚନ ଜଙ୍ଗଲରେ ଛାଡିଦିଆଯିବା ଉଚିତ । କେବଳ ଲୁହା ଶିକୁଳିରେ ବାନ୍ଧିକରି ରଖାଗଲେ ତା’ ସ୍ବାସ୍ଥ୍ୟବସ୍ଥା ବିଗିଡିବା ସହ ସେ ମୃତ୍ୟୁ ମୁଖରେ ପଡିପାରେ । ଯଦି ଟ୍ରେନିଂ ସମ୍ଭବ ହେଉନି, ତେବେ କାହିଁକିଁ ଦନ୍ତାକୁ ବାନ୍ଧିକରି ରଖାଯିବ?’’ ପ୍ରଶ୍ନ କରିଛନ୍ତି ହାତୀ ବିଶେଷଜ୍ଞ ତଥା ପୂର୍ବତନ ଡିଏଫଓ କମଳ ଲୋଚନ ପୁରୋହିତ ।

ହାତୀର ଚିକତ୍ସା କରୁଥିବା ଓୟୁଏଟିର ପ୍ରାଣୀ ଚିକିତ୍ସକ ଡାକ୍ତର ଏ. ନାଥ ମଧ୍ୟ ନରସିଂହାର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ । ଟ୍ରାଙ୍କୁଲାଇଜ କରି ହାତୀକୁ ବେଡି ପକାଇ ଗୋଟିଏ ସ୍ଥାନରେ ରଖିବାକୁ ନାପସନ୍ଦ କରିଛନ୍ତି ଡଃ ନାଥ । ହାତୀକୁ ଚିକିତ୍ସା କରିବା ପରେ କାଠ ଖୁଆଡ଼ ବା କ୍ରଲ ଭିତରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

‘‘ଗୋଡ଼ରେ ଗଭୀର କ୍ଷତ ହୋଇଥିବାରୁ ଚିକତ୍ସା ଚାଲିଛି । ଏବେ କେବଳ କାଠ ଖୁଆଡ ଦରକାର ହାତୀ ପାଇଁ । ଏଭଳି ଲୁହା ଶିକୁଳି ପଡ଼ିଲେ ହାତୀର ଅବସ୍ଥା ଆଗକୁ ଆହୁରି ସଙ୍ଗୀନ ହେବ,’’ କହିଛନ୍ତି ଡଃ ନାଥ ।

ହେଲେ ଏହାକୁ ନେଇ ହାଲୁକା ଭାବରେ ମତ ରଖିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ । ‘‘ହାତୀର ଅବସ୍ଥା ଠିକ୍ ନାହିଁ । ନନ୍ଦନକାନନର ଭେଟେନାରୀ ଡାକ୍ତରଙ୍କ ଦ୍ବାରା ତା’ର ଚ଼ିକିତ୍ସା କରାଯାଉଛି । ତା’ ଚ଼ାରିପଟେ ସୋଲାର ଫେନସିଂ କରାଯିବା ସହ ଟ୍ରେଞ୍ଚ ଖୋଳାଯାଇ ଉପଯୁକ୍ତ ଯତ୍ନ ନିଆଯିବ,’’ କହିଛନ୍ତି ଉପାଧ୍ୟାୟ ।

ଯାଜପୁରରେ ପାଞ୍ଚ ଜଣଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିଲା ନରହନ୍ତା ନରସିଂହା । ପୂର୍ବରୁ ଶଙ୍କର ମଧ୍ୟ ନିଜ ମାହୁନ୍ତକୁ ମାରିବା ପରେ ଏବେ କୁମାରଖୁଣ୍ଟିରେ ଅଛି । ଏ ଯାଏଁ ଶଙ୍କରକୁ କୁକିଂ ଟ୍ରେନିଂ ଦେବାରେ ସଫଳ ହୋଇପାରି ନ ଥିବା ବନ ବିଭାଗ ନରସିଂହାକୁ କିଭଳି ମନାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
First published: March 3, 2020, 10:26 PM IST