News 18 Odia Digital
ଭୁବନେଶ୍ୱର; ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ (Health Minister Naba Das) ଗୁଳି କରି ହତ୍ୟା କରିବା କାରଣରୁ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ (Police ASI Gopal das) ଚାକିରିରୁ ବିଦା କରାଯାଇଛି । ଏଥିସହ ତାଙ୍କୁ ଗିରଫ କରାଯାଇ ଝାରସୁଗୁଡା କୋର୍ଟକୁ ଫରୱାର୍ଡ କରାଯାଇଛି । ଏହା ପୂର୍ବରୁ ସୁନ୍ଦରଗଡରେ ଗୋପାଳଙ୍କୁ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ ଜେରା କରିଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଡାଇ ତୁଡାଇ ଗୋପାଳଙ୍କୁ ପ୍ରଶ୍ନ ପଚରାଯାଇଛି ।
ତେବେ, ଯେଉଁ ବନ୍ଧୁକରୁ ଗୁଳି କରାଯାଇଥିଲା ସେହି ବନ୍ଧୁକକୁ ଯାଞ୍ଚ ପାଇଁ ପଠାଯାଇଛି । ଘଟଣା ଦିନ ଯେଉଁ ଗୁଳି ଫାୟାର ହୋଇଛି ତାହା ଉକ୍ତ ବନ୍ଧୁକର କି ନାହିଁ ତାହାର ତଦନ୍ତ ହେବ । ଜବତ ହୋଇଥିବା ୩ଟି ଜୀବନ୍ତ ଗୁଳି ମଧ୍ୟ ପଠାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ କହିଛନ୍ତି ଗୁଳିମାଡ ଘଟଣାରେ କିଛି ରହସ୍ୟ ରହିଛି । ଏହାର ସଠିକ ତଦନ୍ତ ଦାବି କରିଛନ୍ତି ପରିବାର ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରିଥିବା ଗୋପାଳ ଦାସଙ୍କ ସର୍ଭିସ ରେକର୍ଡ ଫାଇଲରୁ ଅନେକ ତଥ୍ୟ ମିଳିଛି । ପୋଲିସ ବିଭାଗ ପାଇଁ ଭଲ କାମ କରି ସେ ୧୨ ଥର ପୁରସ୍କାର ପାଇଛନ୍ତି । ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ସହ ୮ ଥର ତାଙ୍କୁ ଆର୍ଥିକ ସହାୟତା ପୁରସ୍କାର ସ୍ୱରୂପ ମିଳିଥିବା ସୂଚନା ରହିଛି । ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶାଯାଇଛି । ୨୮ ବର୍ଷ ହେବ ସେ ପୋଲିସ ଚାକିରି କରିଛନ୍ତି । ଗଞ୍ଜାମରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ୮ଜୁଲାଇ ୧୯୯୨ରେ ପ୍ରଥମେ ନିଯୁକ୍ତି ପାଇଥିଲେ । ସେପ୍ଟେମ୍ବର ୯, ୨୦୦୯ରେ ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା । ଏବେ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ନିଯୁକ୍ତ ହୋଇଥିଲେ । ଚାକିରି କାଳରେ ମାତ୍ର ଥରେ ଛୋଟିଆ ଭୁଲ ପାଇଁ ଏକ ଚେତାବନୀ ପାଇଥିଲେ । କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିଲେ ବୋଲି ସର୍ଭିସ ବୁକରେ ଉଲ୍ଲେଖ ନଥିବା ତଥ୍ୟ ସାମ୍ନାକୁ ଆସିଛି ।
ବର୍ତ୍ତମାନର ବଡ଼ ପ୍ରଶ୍ନ, ଗୋପାଳ ଦାସ କାହିଁକି ଏପରି କଲେ ? ସରକାରି ଚାକିରି କରି ପରିବାର ସହ ଖୁସିରେ ରହୁଥିବା ମଣିଷଟେ କାହିଁକି ଏପରି କରିବ ? ଏହା ସତରେ ପାଗଳପଣ ନା ଏହା ମଧ୍ୟରେ ରହିଛି ଅନ୍ୟ କିଛି କାରଣ ? ଗୁଳିମାଡ ପଛରେ କୌଣସି ବଡ଼ ଷଡଯନ୍ତ୍ର ରହିଛି କି ? ଯଦି ଷଡଯନ୍ତ୍ର ରହିଛି କିଏ ସେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ? ଏପରି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି । କ୍ରାଇମବ୍ରାଞ୍ଚ ତଦନ୍ତରେ ସାହାଯ୍ୟ କରି ଗୋପାଳ ସତ କହିବେ ନା ମନ ଗଢା କାହାଣୀ କହିବେ ? କାରଣ ଗୋପାଳ ନିଜେ ପୋଲିସ ବିଭାଗରେ ଥିବାରୁ ପୋଲିସର ପ୍ରଶ୍ନ ଏବଂ ଉତ୍ତରର ଶୈଳୀ ସମ୍ପର୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି । ଚର୍ଚ୍ଚା ହେଉଛି କ୍ରାଇମବ୍ରାଞ୍ଚର ସଠିକ ତଦନ୍ତ ହିଁ ସବୁ ସତ୍ୟ ସାମ୍ନାକୁ ଆଣିପାରିବ ।
ଏହି ଖବର ପଢ଼ନ୍ତୁ -
http://ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ; ଅବହେଳା ଅଭିଯୋଗ ଆଣିଲେ ପରିବାରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।