News 18 Odia Digital
ଭୁବନେଶ୍ୱର; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Health minister naba das) ଅକାଳ ବିୟୋଗ ହୋଇଛି । ପୋଲିସ ଏଏସଆଇଙ୍କ ଗୁଳିମାଡର ଶିକାର ହୋଇ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ୱେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିନି । ସବୁ ପ୍ରଚେଷ୍ଟା ସତ୍ୱେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଆଡକୁ ଗତି କରିଥିଲା ।
୩ଥରର ବିଧାୟକ, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସଙ୍କ ଦେହାନ୍ତରେ ଆପୋଲୋ ହସ୍ପିଟାଲରେ ପହଞ୍ଚିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ନେତା ଦେବୀ ମିଶ୍ର ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, ଗତ କାଲି ସେ ମୋ ପାଖରେ ଥିଲେ, ଆଜି ହଠାତ ଏ ଖବର ମତେ ବିଶ୍ୱାସ ହେଉନି । ଛାତ୍ର ଜୀବନରୁ ତାଙ୍କ ସହ ମୋର ବନ୍ଧୁତ୍ୱ ରହିଥିଲା । ମୁଁ ଆପୋଲୋ ହସ୍ପିଟାଲ ମୁଁ ଯାଇଥିଲି । କିନ୍ତୁ ଏପରି ହେବ ବୋଲି ଅବିଶ୍ୱସନୀୟ । ଏହା ଖୁବ ଦୁଃଖଦ ଘଟଣା , କେବଳ ମତେ ନୁହେଁ ସମଗ୍ର ରାଜ୍ୟକୁ ଖୁବ ହତଚକିତ କରିଛି ଆଜିର ଘଟଣା ।
ବିଜେଡି ନେତା ସଞ୍ଜୟଦାସ ବର୍ମା କହିଛନ୍ତି, ପଶ୍ଚିମ ଓଡ଼ିଶାର ବର୍ଷୀୟାନ ନେତା ନବ ଦାସଙ୍କ ବିୟୋଗରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି । ଏପରି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସାହା ହୁଅନ୍ତୁ । ବିଜୁ ଜନତା ଦଳ ଜଣେ ଭଲ ନେତାଙ୍କୁ ହରାଇଲା । ଏହା ଏକ ବିରାଟ କ୍ଷତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି ଶୋକ ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଏପରି ଘଟଣା ମତେ ବ୍ୟଥିତ କରିଛି । ମୁଁ ଖୁବ ଦୁଃଖି ଓ ମର୍ମାହତ ।
ବିଜେପି ନେତା ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଖୁବ ଆଶ୍ଚର୍ଯ୍ୟ ଏପରି ଘଟଣା ଓଡ଼ିଶାରେ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁରେ ମୁଁ ଶୋକ ପ୍ରକାଶ କରୁଛି ।
ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ଶୋକ ବାର୍ତ୍ତାରେ କହିଛନ୍ତି, ଏହା ନିଶ୍ଚିତ ଭାବରେ ଦୁଃଖଦ ଘଟଣା । ମୁଁ ଖୁବ ମର୍ମାହତ । ସେ ଅନେକ କିଛି କରିଛନ୍ତି ରାଜ୍ୟ ପାଇଁ ।
କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ନବ ବାବୁଙ୍କ ଦେହାନ୍ତରେ ମୁଁ ମର୍ମାହତ, ଦୁଃଖିତ, ସେ ଖାଲି ପଶ୍ଚିମ ଓଡ଼ିଶା ନୁହେଁ ସାରା ଓଡ଼ିଶାରେ ପରିଚିତ । ୨୦୦୪ ମସିହାରୁ ତାଙ୍କ ସହ ମୋର ଘନିଷ୍ଠତା ବଢିଥିଲା । ମୋର ବ୍ୟକ୍ତିଗତ ସମ୍ପର୍କ ତାଙ୍କ ସହ ଖୁବ ଭଲ । ଓଡ଼ିଶା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି । ବ୍ୟବସାୟ ଓ ରାଜନୀତି ଉଭୟ କାମରେ ନିଜକୁ ଖୁବ ପ୍ରତିଷ୍ଠିତ କରାଇପାରିଥିଲେ ।
ସୂଚନାଯୋଗ୍ୟ, ଆଜି ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିରେ ଟଳିପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଘଟଣା ପରେ ଦିନ ୧୨ଟା୩୦ ସମୟରେ ନିକଟସ୍ଥ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ବିମାନବନ୍ଦରରୁ ଆପୋଲୋ ହସ୍ପିଟାଲକୁ ଗ୍ରୀନ କରିଡର ମଧ୍ୟରେ ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟସେବାରେ ଯେପରି କୌଣସୀ ତୃଟି ନହୁଏ ସେନେଇ ପରାମର୍ଶ ଦେଇଥିଲେ । ୫ ଜଣିଆ ଡାକ୍ତରୀ ଟିମ ସହଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଯାଉଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ନବ ଦାସଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।
ଅଧିକ ପଢ଼ନ୍ତୁ -
http://ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।