News 18 Odia Digital
ଭୁବନେଶ୍ୱର; ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister Naba das ) । କିନ୍ତୁ ହଠାତ କେହି କିଛି ଭାବିବା ପୂର୍ବରୁ ବନ୍ଧୁକର ଶବ୍ଦ ଶୁଭିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିବା ପରେ ଖବର ଆଖି ପିଛୁଳାକେ ଚାରିଆଡେ ପ୍ରଚାରିତ ହୋଇଗଲା । ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିଲା । ପ୍ରାଥମିକ ଚିକିତ୍ସା କରାଯିବା ପରେ ତୁରନ୍ତ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦର ଏବଂ ବିମାନବନ୍ଦରରୁ ଗ୍ରୀନ କରିଡର କରାଯାଇ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ବର୍ତ୍ତମାନ ଆପୋଲୋ ହସ୍ପିଟାଲରେ ବର୍ତ୍ତମାନ ଡାକ୍ତର ଦେବାଶିଷ ନାୟକ ନେତୃତ୍ୱରେ ୫ଜଣିଆ ଡାକ୍ତରୀ ଟିମ ଚିକିତ୍ସା କରୁଥିବା ଜଣାପଡିଛି ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଏପର୍ଯ୍ୟନ୍ତ ଡାକ୍ତରୀ ଟିମ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ନିଜର ପ୍ରିୟଜନ ତଥା ସମ୍ପର୍କୀୟମାନେ କହିଛନ୍ତି, ଯାହା ଜଣାପଡ଼ୁଛି ବର୍ତ୍ତମାନ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିସହ ପ୍ରିୟଜନମାନେ କହିଛନ୍ତି, ସେ କିପରି ଭଲ ହୋଇଯାଆନ୍ତୁ, ସଠିକ ଚିକିତ୍ସା ହେଉ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ନବ ଦାସ କିପରି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ । ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି ।ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି । ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।
ଏହି ଖବର ପଢ଼ନ୍ତୁ-
http://ଧର୍ଯ୍ୟ ଧର ସବୁ ଠିକ ହୋଇଯିବ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅଙ୍କୁ ବୁଝାଉଛନ୍ତି ମୁଖ୍ୟମନ୍ତ୍ରୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।