News 18 Odia Digital
ଭୁବନେଶ୍ୱର ; ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Health Minister Naba das) ମୃତ୍ୟୁ ପରେ ବିଭିନ୍ନ ମହଲରୁ ଅନେକ ପ୍ରକାରର ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିବା ପଛରେ କଣ ରହିଛି କାରଣ ? ଏହି ପ୍ରଶ୍ନ କେବଳ ଗଣମାଧ୍ୟମ ନୁହେଁ ସବୁ ରାଜନୈତିକ ନେତାମାନେ ମଧ୍ୟ ପଚାରିଛନ୍ତି । ତେବେ ଏସବୁ ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି ଯେ, ମୁଁ ଯେତିକି ଖବର ପାଇଛି ଗୋପାଳ ଦାସ ଗୁଳି କରିବାର କିଛି ସମୟ ମଧ୍ୟରେ ହିଁ ଘଟଣାସ୍ଥଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପରେ ଏତେ ଡ୍ରାମା କରିବା କଣ ଦରକାର ଥିଲା ଜୟନାରାୟଣ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଜୟନାରାୟଣ ଏକଥା ମଧ୍ୟ କହିଛନ୍ତି, ଚିକିତ୍ସା ପାଇଁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡାରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ତେବେ ସେଠାକାର ଡାକ୍ତରଙ୍କ ପରାମର୍ଶ ଥିଲା କି ଭୁବନେଶ୍ୱର ସ୍ଥାନାନ୍ତରିତ ପାଇଁ ?
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିନାହିଁ । କ୍ରାଇମବ୍ରାଞ୍ଚ ଟିମ ଗୋପାଳ ଦାସଙ୍କୁ ପଚରାଉଚରା କରିବା ସହ ଗିରଫ କରି କୋର୍ଟ ଫରୱାର୍ଡ କରିଥିଲା । ଗୋପାଳ ଦାସ ଗୁଳି କରିଥିବା ସ୍ୱିକାର କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଥିଲେ । ବର୍ତ୍ତମାନ ୭ଦିନିଆ ରିମାଣ୍ଡରେ ଆଣି ଗୋପାଳଙ୍କୁ ଅଧିକ ପଚରାଉଚରା କରାଗଲେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ତେବେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପୂର୍ବରୁ କୌଣସି ଶତୃତା ଥିଲା ନା ଏହା ଏକ ବିଦ୍ଧିବଦ୍ଧ ଯୋଜନା ସେନେଇ ଏବେ ବି ପ୍ରଶ୍ନବାଚୀ ରହିଛି । ଅନ୍ୟପଟେ ନବ ଦାସଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି ହତ୍ୟା ଘଟଣାରେ ଟପ୍ ଲେବୁଲର ଷଡ଼ଯନ୍ତ୍ର ରହିଛି । ଯଦି ନବ ଦାସଙ୍କ ବାପାଙ୍କ କଥାକୁ ବିଚାରକୁ ନିଆଯାଏ ତେବେ ପ୍ରଶ୍ନ ଉଠୁଛି, କିଏ ରଚିଥିଲା ଷଡ଼ଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ତେବେ ଏହା ରାଜନୈତିକ ନା ବ୍ୟବସାୟୀକ ? କାରଣ କେବଳ ରାଜନୀତି ନୁହେଁ ବ୍ୟବସାୟରେ ମଧ୍ୟ ମନ୍ତ୍ରୀ ନବ ଦାସ ଥିଲେ ଜଣେ ସଫଳ ବ୍ୟକ୍ତିତ୍ୱ । ମନ୍ତ୍ରୀଙ୍କର ଟ୍ରାନସପୋର୍ଟ ବ୍ୟବସାୟ ସମେତ ଆହୁରୀ ଅନେକ ବ୍ୟବସାୟ ରହିଥିଲା ।
ଅନ୍ୟପଟେ, ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀଙ୍କ କହିବାନୁଯାୟୀ ଗୋପାଳ ମାନସିକ ଭାବରେ ସୁସ୍ଥ ନଥିବାରୁ ୮ବର୍ଷ ହେବ ମେଡିସିନ ଖାଉଥିଲେ । ଗୋପାଳଙ୍କୁ ଚିକିତ୍ସିତ କରିଥିବା ଡାକ୍ତର ମଧ୍ୟ ଗଣମାଧ୍ୟମରେ ନିଜର ମତ ରଖିଥିଲେ । ଯାହାକୁ ନେଇ ଆହୁରୀ ସନ୍ଦେହ ବଢିବାରେ ଲାଗିଛି । କାରଣ ଡାକ୍ତର କହିଛନ୍ତି କିଛି ବର୍ଷ ତଳେ ଗୋପାଳ ମୋ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ଏତେ ଦିନର କଥାକୁ ଡାକ୍ତର କିପରି ମନେ ରଖିଲେ ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଖବର ପଢ଼ନ୍ତୁ -
http://ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ; ଅବହେଳା ଅଭିଯୋଗ ଆଣିଲେ ପରିବାରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।