News18 Odia Digital
କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇ କୋର୍ଟ କ୍ରାଇମ୍ ବ୍ରାଞ୍ଚ୍ ଏସ୍.ଆଇ.ଟି. ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ମାମଲାର ତଦନ୍ତ ବରିଷ୍ଠ ଆଇ.ପି.ଏସ୍. ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସ୍.ଆଇ.ଟି. ସଠିକ ଢଙ୍ଗରେ କରୁଛି ଓ ଏଥିରେ ଅଗ୍ରଗତି ଘଟୁଛି ବୋଲି ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ।
ଏହି ମାମଲାର ତଦନ୍ତ କରୁଥିବା ଏସ୍.ଆଇ.ଟି. ଏ ପର୍ଯ୍ୟନ୍ତ ହାଇ କୋର୍ଟରେ ତିନି ଥର ଷ୍ଟାଟସ ରିପୋର୍ଟ ଦାଖଲ କରିସାରିଛି । ପ୍ରଥମ ରିପୋର୍ଟ ଡିସେମ୍ବର ୧୫ ଓ ଦ୍ବୀତିୟଟି ଡିସେମ୍ବର ୨୪ରେ କୋର୍ଟରେ ଦାଖଲ ହୋଇଥିବା ବେଳେ ତୃତୀୟଟି ଗତ ୧୧ ତାରିଖ ଦିନ କୋର୍ଟରେ ଦାଖଲ ହୋଇଥିଲା । ଏସ୍.ଆଇ.ଟି. ଦାଖଲ କରିଥିବା ସଦ୍ୟତମ ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ନୂଆ ତଥ୍ୟ ରହିଛି, ଯାହାକୁ ଷ୍ଟାଟସ ରିପୋର୍ଟ ଜରିଆରେ କୋର୍ଟଙ୍କୁ ଅବଗତ କରାଇଛି ଏସ୍.ଆଇ.ଟି. ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲାଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇ କୋର୍ଟ । ଏସ୍.ଆଇ.ଟି. ଟିମର ତଦନ୍ତକୁ ନେଇ ହାଇ କୋର୍ଟ ସନ୍ତୋଷ ପ୍ରକାଶ କରିବା ପରେ ମାମଲାର ତଦନ୍ତ ଦିଗଭ୍ରଷ୍ଟ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି । ହାଇ କୋର୍ଟଙ୍କ ଏହି ମନ୍ତବ୍ୟକୁ ନେଇ କୌଣସି ଟିପ୍ପଣୀ ଦେବାକୁ ଏସ୍.ଆଇ.ଟି. ମନା କରି ଦେଇଥିଲେ ମଧ୍ୟ ଏଥିରେ ଥିବା ଅଧିକାରୀମାନେ ଖୁସି ପ୍ରକାଶ କରିଛନ୍ତି । ଏସ୍.ଆଇ.ଟି.ର ତଦନ୍ତ ଓ ଦକ୍ଷତା ଉପରେ ବାରମ୍ବାର ପ୍ରଶ୍ନ ଉଠାଯାଉଥିଲା, କିନ୍ତୁ ତଦନ୍ତ ସଠିକ ଢଙ୍ଗରେ ଓ ନିରପେକ୍ଷ ଭାବେ ଚାଲିଥିବା କହିଛନ୍ତି ଜଣେ ଅଧିକାରୀ ।
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁଏବେ ଜାରି ଥିବା ତଦନ୍ତ କ୍ରମରେ ବିଭିନ୍ନ ବୈଜ୍ଞାନିକ ପ୍ରମାଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିବ ବୋଲି ମଧ୍ୟ କୁହାଯାଉଛି । ଏଥିରେ ଗୁଗଲ ଠାରୁ ମଗା ଯାଇଥିବା ଅଭିଯୁକ୍ତର ମୋବାଇଲ ଫୋନରୁ ଡିଲିଟ୍ ହୋଇଥିବା ସର୍ଚ୍ଚ ହିଷ୍ଟ୍ରିର ତଥ୍ୟ ସହିତ ମୃତ ଦେହକୁ ଘୋଡ଼ାଇ ରଖିବା ପାଇଁ ଅଭିଯୁକ୍ତ ବ୍ୟବହାର କରିଥିବା ନଡ଼ିଆ ବାହୁଙ୍ଗାଟି ତାଙ୍କ ନିଜ ଗଛର ବା ନୁହେଁ ଜାଣିବା ପାଇଁ ହାଇଦ୍ରାବାଦରେ ଥିବା ସି.ସି.ଏମ.ବି. (ସେଣ୍ଟର୍ ଫର୍ ମଲିକ୍ୟୁଲାର୍ ବାୟୋଲୋଜି) ଓ ଦିଲ୍ଲୀ ସ୍ଥିତ ଏନ.ଆଇ.ପି.ଜି.ଆର.କୁ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ପ୍ଲାଣ୍ଟ ଜିନମ୍ ରିସର୍ଚ୍ଚ) ଯାଇଥିବା ନମୁନା ରିପୋର୍ଟ ମଧ୍ୟ ତଦନ୍ତକାରୀ ସଂସ୍ଥାର ହସ୍ତଗତ ହୋଇଯିବ ବୋଲି ଜଣା ପଡ଼ିଛି ।
ଗତ ବର୍ଷ ଜୁଲାଇ ୧୪ ତାରିଖ ଦିନ ପାଞ୍ଚ ବର୍ଷର ଝିଅଟି ନିଜ ଘରୁ ନିଖୋଜ ହୋଇଯାଇଥିଲା । ସେହି ମାସ ୨୩ ତାରିଖ ଦିନ ତା’ ଗଳିତ ମୃତ ଦେହ ଘର ପଛପଟ ପୋଖରୀ ହୁଡ଼ାରୁ ମିଳିଥିଲା । ଏହି ମାମଲାରେ ରାଜନୈତିକ ବୟାନବାଜି ହେବା ଓ ହାଇ କୋର୍ଟରେ ମାମଲା ଦାୟର ହେବା ପରେ ଗତ ନଭେମ୍ବର ମାସ ୨୭ ତାରିଖ ଦିନ ମୁଖ୍ଯ ମନ୍ତ୍ରୀ ଏହାର ଏସ୍.ଆଇ.ଟି. ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏସ୍.ଆଇ.ଟି. ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଏହି ଚର୍ଚ୍ଚିତ ଘଟଣାର ତଦନ୍ତ ଦାୟିତ୍ବ ଦେଇଥିଲା କ୍ରାଇମ ବ୍ରାଞ୍ଚ । ଝିଅଟିକୁ ହତ୍ୟା କରିଥିବା ଅଭିଯୋଗରେ ସେହି ଗାଁର ଜଣେ କଲେଜ ଛାତ୍ରକୁ ଗିରଫ କରିଥିଲା ଏସ୍.ଆଇ.ଟି. ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।