ପୁରୀ ହାଜତ ମୃତ୍ୟୁ: ପୁତୁରା କହିଲା ରମେଶ ମରିବା ଯାଏଁ ତାକୁ ପ୍ଲାଷ୍ଟିକ ପାଇପରେ ପିଟୁଥିଲା ପୋଲିସ

ରମେଶଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ମୃତ ଦେହ ସେମାନଙ୍କୁ ନ ଦେଇ ଶବ ସତ୍କାର କରାଇଥିଲା ଓ ସେମାନଙ୍କୁ ଶବ ଦେଖିବାକୁ ଦେଇ ନ ଥିଲା । ହେଲେ ଏସ୍.ପି. ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ରମେଶଙ୍କ ବାପା ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ପୁରୀ ହାଜତ ମୃତ୍ୟୁ: ପୁତୁରା କହିଲା ରମେଶ ମରିବା ଯାଏଁ ତାକୁ ପ୍ଲାଷ୍ଟିକ ପାଇପରେ ପିଟୁଥିଲା ପୋଲିସ
ମୃତ କେ. ରମେଶ; (ଡାହାଣ) ପୁରୀରେ ପ୍ରଦର୍ଶନକାରୀଙ୍କ ସହ ଯୁଝୁଛି ପୋଲିସ ।
  • News18 Odia
  • Last Updated: November 20, 2020, 8:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପୁରୀ ସହରରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହାଜତରେ ମୃତ୍ୟୁ ହେବା ଅଭିଯୋଗ ଉଠିବା ପରେ ଓଡ଼ିଶା ହାଇ କୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଏହି ମାମଲାର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ମାଗିଛନ୍ତି । ସୋମବାର ସୁଦ୍ଧା ସରକାରଙ୍କୁ ଏ ସମ୍ପର୍କରେ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି ହାଇ କୋର୍ଟ । ଜାତୀୟ ମାନବାଧିକାର କମିଶନ (NHRC) ବି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଏହି ମାମଲାରେ ଏକ ନୋଟିସ୍‌ ଜାରି କରିଛି ।

ପୁରୀ ବାସିନ୍ଦା ଓକିଲ ଶରତ କୁମାର ରାୟଗୁରୁଙ୍କ ଦ୍ୱାରା ହାଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।  ତା’ର ଶୁଣାଣି କରି ହାଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିଜ ଆବେଦନରେ ରାୟଗୁରୁ ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇ କୋର୍ଟଙ୍କ ତଦାରଖରେ ତଦନ୍ତ ହେଉ, ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ଓ ମୃତକଙ୍କ ପରିବାରକୁ ଯଥେଷ୍ଟ କ୍ଷତିପୂରଣ ମିଳୁ ବୋଲି ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ପୁରୀ ଏସ୍.ପି. ଅଖିଳେଶ୍ୱର ସିଂ


ପୁରୀ ସହରର ଲୋକନାଥ ରୋଡ଼ ଅଞ୍ଚଳର ବାସିନ୍ଦା ୩୩-ବର୍ଷୀୟ କେ. ରମେଶଙ୍କର ହାଜତରେ ପୋଲିସର ଅତ୍ୟଧିକ ପିଟାପିଟି କାରଣରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରମେଶଙ୍କ ୨୮ ବର୍ଷୀୟ ପୁତୁରା କେ. ଶିବ ଅଭିଯୋଗ କରିଛନ୍ତି ଯେ ରମେଶଙ୍କୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ପ୍ଲାଷ୍ଟିକ ପାଇପରେ ପିଟି ଚାଲିଥିଲା ପୋଲିସ । ରମେଶ ଅସୁସ୍ଥ ହେବା ପରେ ତରବରିଆ ଭାବେ ତାଙ୍କୁ ହସପିଟାଲ୍‌ ନିଆଯାଇଥିଲା ଓ ହସପିଟାଲ୍‌ ପହଞ୍ଚିବା ପୂର୍ବରୁ ତାଙ୍କ ଜୀବନ ଚାଲିଯାଇଥିଲା ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଅଭିନେତା ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ ୧୪ ବର୍ଷ ବୟସରେ ତାଙ୍କର ଯୌନ ଶୋଷଣ ହୋଇଥିଲା

ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂ କହିଛନ୍ତି ଯେ ମଙ୍ଗଳାଘାଟ ଅଞ୍ଚଳରେ ଅପରାଧ ଉଦ୍ୟମ କରୁଥିବା ବେଳେ ରମେଶଙ୍କୁ ବାସେଳିସାହି ପୋଲିସ ପଚରାଉଚରା ପାଇଁ ଗିରଫ କରିଥିଲା । ‘‘ଗିରଫ କରାଯିବା ସମୟରେ ପୋଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା ଓ ସେ ଆହତ ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠି ତାଙ୍କ ଅବସ୍ଥା ବିଗିଡ଼ିଯାଇଥିଲା ଓ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା,’’ କହିଛନ୍ତି ଅଖିଳେଶ୍ୱର ସିଂ।

‘‘ରମେଶ ଜିଲ୍ଲାରେ ପାଞ୍ଚଟି ଆପରାଧିକ ମାମଲାରେ ଜଡ଼ିତ ଥିଲେ । ନିକଟରେ ସେ ତାଳଚେର ଜେଲରୁ ଜାମିନରେ ବାହାରିଥିଲେ,’’ କହିଛନ୍ତି ଏସ୍‌.ପି. ।

ପୁରୀରେ ଧାରଣା ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଲୋକେ ।


ରମେଶଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ମୃତ ଦେହକୁ ପରିଜନଙ୍କୁ ହସ୍ତାନ୍ତର ନ କରି ଶବ ସତ୍କାର କରାଇଥିଲା ଓ ସେମାନଙ୍କୁ ଶବ ଦେଖିବାକୁ ଅନୁମତି ଦେଇ ନ ଥିଲା । ହେଲେ ଏସ୍‌.ପି. ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ରମେଶଙ୍କ ବାପା ହିଁ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ପୋଲିସର ‘‘ଗୁଣ୍ଡାଗିରି’’ ପ୍ରତିବାଦରେ ରମେଶଙ୍କ ସମ୍ପର୍କୀୟମାନେ ଶୁକ୍ରବାର ଦିନ ମୋଚିସାହି ରାସ୍ତାରେ ବସି ଧାରଣା ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ରମେଶଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ଏକ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ଦିଆଯିବ ବୋଲି କହିଛନ୍ତି କହିଛନ୍ତି ମାନବାଧିକାର କର୍ମୀ ପ୍ରଶାନ୍ତିନୀ ଜେନା ।

ଦିଲ୍ଲୀରେ ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କମିଶନଙ୍କ ସହ ଆଲୋଚନା ସାରି ଫେରିବା ପରେ ସମ୍ବିତ କହିଛନ୍ତି ଯେ ପୁରୀ ହାଜତ ମୃତ୍ୟୁ ଘଟଣାକୁ କମିଶନ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି ଓ ଖୁବ୍ ଶୀଘ୍ର କମିଶନଙ୍କ ପକ୍ଷରୁ ଏକ ସ୍ପଟ୍ ଇନଭେଷ୍ଟିଗେସନ ସହ ଫ୍ଲାଇଂ ସ୍କ୍ବାଡ୍ ତଦନ୍ତ କରାଯିବ । ମୃତ ରମେଶଙ୍କ ବାପା-ମାଆଙ୍କୁ କିଭଳି ସୁରକ୍ଷା ଦିଆଯିବ ଓ ସୁରକ୍ଷିତ ରଖାଯିବ ସେଥି ପାଇଁ ରାଜ୍ୟ ସରକାରଙ୍କୁ କମିଶନ ନୋଟିସ୍ କରିବେ ବୋଲି ସେ କହିଛନ୍ତି ।



ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି କର୍ମକର୍ତ୍ତାମାନେ ବିକ୍ଷୋଭ କରୁଥିବା ବେଳେ ପୋଲିସ ବାଧା ଦେଇଥିଲା ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ସମେତ ଶତାଧିକ କର୍ମୀଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା ।
Published by: Anand Shankar Thankur Das
First published: November 20, 2020, 8:43 PM IST
corona virus btn
corona virus btn
Loading