ଶ୍ରୀ ମନ୍ଦିର ପରିସରରେ ନାବାଳକକୁ ନିର୍ଯ୍ୟାତନା (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରି ମ୍ଯୁଜିୟମରେ ୧୩ ବର୍ଷର ନାବାଳକକୁ ଯୌନ ନିର୍ଯ୍ଯାତନା ହୋଇଥିବାର ଅଭିଯୋଗ ହୋଇଛି। ଏହା ପରେ ସେବାୟତଙ୍କ ସହଯୋଗୀ ତଥା ପାର୍ଶ୍ୱ ଦେବାଦେବୀ ମନ୍ଦିରର ପୂଜକ ୪୨ ବର୍ଷୀୟ ସୁଦର୍ଶନ ମିଶ୍ରଙ୍କୁ ଗିରଫ କରିଛି ପୋଲିସ। ନାବାଳକର ପୋସ୍କୋ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯିବା ପରେ ତା ବାପାଙ୍କୁ ହସ୍ତାନ୍ତର କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ଶିଶୁ ମଙ୍ଗଳ ସମିତି।
"ଶ୍ରୀମନ୍ଦିରରେ ତଣ୍ଡେଶ୍ୱର ମହାଦେବ ମନ୍ଦିର ନିକଟକୁ ବେଦ କର୍ମକାଣ୍ଡ ଶିକ୍ଷା ପାଇଁ ଆସୁଥିବା ୧୩ ବର୍ଷର ନାବାଳକ ଉପରେ ଲୋଲୁପ ଦୃଷ୍ଟି ରଖିଥିଲା ମନ୍ଦିର ପୂଜକ ତଥା ସେବାୟତଙ୍କ ସହଯୋଗୀ।୪ ତାରିଖରେ ନାବାଳକକୁ କୋଇଲି ବୈକୁଣ୍ଠ ନିକଟ ନିଳାଦ୍ରି ମ୍ଯୁଜିୟମ ନେଇ ତା ଭିତରେ ଅସଦାଚାରଣ କରିବା ବେଳେ ନାବାଳକଟି ଚିତ୍କାର କରି ପାଖରେ ଥିବା ଜେଟିପିଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ତା ପରେ ନାବାଳକ ଓ ସମ୍ପୃକ୍ତ ପୂଜକ ସୁଦର୍ଶନ ମିଶ୍ରକୁ ଧରି ସିଂହଦ୍ୱାର ଥାନାକୁ ନେବା ପରେ ପୋଲିସ ତଦନ୍ତ କରି ସୁଦର୍ଶନକୁ ଗିରଫ କରିଥିଲେ । ଆଉ ୫ ତାରିଖରେ ଶିଶୁ ମଙ୍ଗଳ ସମିତିରେ ନାବାଳକୁ ଆଣି କାଉନସେଲିଂ କରିବା ପରେ ନାବାଳକକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯିବା ସହ ଅଭିଯୁକ୍ତକୁ ଦଣ୍ଡ ବିଧାନ ପାଇଁ କୋର୍ଟ ପଠାଯାଇଛି," କହିଛନ୍ତି ଶିଶୁ ମଙ୍ଗଳ ସମିତି ଅଧ୍ଯକ୍ଷ ମହାବୀର ରୁଦ୍ରନାରାୟଣ ସାହୁ।
ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତ ସୁଦର୍ଶନ ମିଶ୍ରଙ୍କୁ ଆଇପିସି ଧାରା ୩୭୭ ଓ ୫୧୧ ଧାରାରେ ମାମଲା ରୁଜୁ କରିବା ସହ ପୋଲିସ ଗିରଫ କରିଛି। ଶ୍ରୀକ୍ଷେତ୍ରରେ ଯୌନ ନିର୍ଯାତନା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ୨୦୨୧ ମସିହା ଡିସେମ୍ବର ୧୦ ତାରିଖରେ ଲକ୍ଷ୍ମୀମନ୍ଦିରର ସେବାୟତ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆଙ୍କୁ ବାନ୍ଧିଥିଲା ପୁରୀ ପୋଲିସ। ଜଣେ ୧୬ ବର୍ଷ ବୟସ୍କ ନାବାଳକକୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଲକ୍ଷ୍ମୀ ନାରାୟଣ ଖୁଂଟିଆଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ୨୦୨୧ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ବାମନ ମନ୍ଦିରର ପୂଜକ ସଂଗ୍ରାମ ଦାସ ଗିରଫ ହୋଇଥିଲେ। ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିବା ହାଇଦ୍ରାବାଦର ଜଣେ ନାବାଳିକାକୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।