ରାଜଧାନୀରେ ହସ୍ତଶିଳ୍ପ ପ୍ରଦର୍ଶନୀକୁ ରାଜ୍ୟର କୋଣାନୁକୋଣରୁ ଆସିଛି ମନୋହାରୀ ପାରମ୍ପରିକ କଳାକୃତି

ଜନତା ମଇଦାନରେ ଫେବୃଆରୀ ୧୬ ତାରିଖ ରବିବାର ପର୍ଯ୍ୟନ୍ତ ଚ଼ାଲିବାକୁ ଥିବା ଏହି ପ୍ରଦର୍ଶନୀରେ ପଥର, ସିଙ୍ଗ, ଧାତୁ, ନଡ଼ିଆ ସଢ଼େଇ, ଝୋଟ ଓ ଟେରାକୋଟାରେ ତିଆରି ଭଳିକି ଭଳି ଜିନିଷ ନେଇ ଆସିଛନ୍ତି କାରିଗରମାନେ । ଘର ସଜା ସାମଗ୍ରୀ ଠୁ ଆରମ୍ଭ କରି ଘରକରଣା ଜିନିଷ ବି ମିଳୁଛି ଏଠି ।

ରାଜଧାନୀରେ ହସ୍ତଶିଳ୍ପ ପ୍ରଦର୍ଶନୀକୁ ରାଜ୍ୟର କୋଣାନୁକୋଣରୁ ଆସିଛି ମନୋହାରୀ ପାରମ୍ପରିକ କଳାକୃତି
ହସ୍ତଶିଳ୍ପ ପ୍ରଦର୍ଶନୀରେ ମିଳୁଥିବା କଳାକୃତିମାନଙ୍କ ମଧ୍ୟରୁ କିଛି ।
  • News18 Odia
  • Last Updated: February 12, 2020, 11:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ହାତି ତିଆରି କଳାକୃତି ଓ ସେଥିରେ ଥିବା କାରିଗରି କାହାକୁ ଭଲ ନ ଲାଗେ ? ଘରକରଣା ହେଉ କି ଘରସଜା ଜିନିଷ, ସବୁଥିରେ ଟିକଏ ପାରମ୍ପରିକ ସ୍ବାଦ ଓ ନିଚ୍ଛକ କଳାକୃତି ବେଶ୍ ଆକର୍ଷଣୀୟ ଲାଗେ । ସେଭଳି କିଛି ହାତ ତିଆରି କାରିଗରିରେ ନିର୍ମିତ କଳାକୃତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାରିଗର ଆସିଛନ୍ତି ହସ୍ତଶିଳ୍ପ ପ୍ରଦର୍ଶନୀକୁ ।

ଜନତା ମଇଦାନରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଦଶ-ଦିନଆ ମେଳାରେ ବିଭିନ୍ନ ପ୍ରକାର ଜିନିଷକୁ ନେଇ ୧୦୪ଟି ଷ୍ଟଲ ଲାଗିଛି । ଏଥିରେ ୧୩୪ ଜଣ କାରିଗର ଭାଗ ନେଇଛନ୍ତି । ଏହି ପ୍ରଦର୍ଶନୀକୁ ଉଦଘାଟନ କରି ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଥିଲେ ଯେ କାରିଗରମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟତା ପାଇଁ ରାଜ୍ୟ ସରକାର ଏଭଳି ମେଳାର ଆୟୋଜନ କରିଆସୁଛନ୍ତି ।

‘‘ଅର୍ବାନ ହାଟରେ ସ୍ଥାୟୀ ଦୋକାନ କରି ଓ ରାଜ୍ୟର କାରିଗରମାନଙ୍କୁ ରୋଟେସନରେ ଦୋକାନ ଆଲଟ୍‌ କରିବାକୁ ଯାଉଛନ୍ତି ସରକାର । ଏହା ଦ୍ବାରା ବର୍ଷ ତମାମ୍ ସେମାନେ ରୋଜଗାରକ୍ଷମ ହୋଇପାରିବେ ଏବଂ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସପିଂ ସେଣ୍ଟର ହୋଇପାରିବ,’’ କହିଥିଲେ ମହାପାତ୍ର ।

ରାଜ୍ୟର କୋଣାନୁକୋଣର ହସ୍ତଶିଳ୍ପ କାରିଗରି ଦେଖିବାକୁ ମିଳିଛି ହସ୍ତଶିଳ୍ପ ପ୍ରଦର୍ଶନୀରେ । ପାରମ୍ପରିକ କଳାକୃତି ସାଙ୍ଗକୁ ହସ୍ତଶିଳ୍ପ ଓ କାରିଗରୀରେ ପୂରିଛି ମେଳା । କେଉଁଠି ପଥର ଓ ଧାତୁର କାରିଗରି ତ ଆଉ କେଉଁଠି ସିଙ୍ଘ, ନଡ଼ିଆ ସଢ଼େଇ, ଝୋଟ ଓ ଟେରାକାଟାରେ ତିଆରି ଜିନିଷ ନେଇ ଆସିଛନ୍ତି କାରିଗର । ଭଳିକି ଭଳି ଘର ସଜା ସାମଗ୍ରୀ ଠୁ ଆରମ୍ଭ କରି ଘରକରଣା ଜିନିଷ ବି ମିଳୁଛି ଏଠି ।

ବ୍ୟବସାୟୀମାନେ ବି ବେଶ୍‌ ଉତ୍ସାହିତ ଏହି ମେଳାକୁ ନେଇ । ଏଭଳି ମେଳାରେ ବେଶ୍ ଭଲ ବ୍ୟବସାୟ ହେଉଥିବା ବେଳେ ଏଥର ବି ସିଧାସଳଖ ଗ୍ରାହକଙ୍କ ଠାରୁ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀମାନେ । ଏଭଳି ମେଳାରେ ଭଳିକି ଭଳି ଜିନିଷ କିଣିବାର ସୁଯୋଗ ହାତଛଡ଼ା କରୁନାହାନ୍ତି ରାଜଧାନୀବାସୀ ।

ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚ଼ାଲିବ । ମେଳା ବୁଲିବା ସାଙ୍ଗକୁ ସୁସ୍ବାଦୁ ଖାଇବା ପିଇବାର ମଜା ଉଠାଇ ପାରିବେ ରାଜଧାନୀବାସୀ ।
First published: February 12, 2020, 11:05 PM IST
corona virus btn
corona virus btn
Loading