News 18 Odia Digital
ପୁରୀ; ଶ୍ରୀକ୍ଷେତ୍ରରେ ଜମାଲାଣି ହବିଷ୍ୟାଳିଙ୍କ ଭିଡ଼ । ୯ ତାରିଖରୁ ଶିବିରକୁ ପ୍ରବେଶ ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଦୁଇ ଦିନ ଆଗୁଆ ପହଞ୍ଚିବାରୁ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଯାହାକୁ ନେଇ ଏବେ ହରଡ ଘଣାରେ ପଡ଼ିଛି ପ୍ରଶାସନ। ସେପଟେ ୧୦ତାରିଖରୁ କାର୍ତ୍ତୀକ ବ୍ରତ ନେଇ ହବିଷ୍ୟାଳି ଶିବିର ଆରମ୍ଭ ହେବାକୁ ଥିବାବେଳେ ଏନେଇ ପ୍ରଶାସନ ପକ୍ଷରୁ ସରକାରୀ ଅଧିକାରୀ ଓ ସେଚ୍ଛାସେବୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

"କୁମାର ପୂର୍ଣ୍ଣିମା ପରଦିନ ପ୍ରତିପଦାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଆଉ ବ୍ରତଧାରୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ କରାଯାଇଛି ନିଶୁଳ୍କ ଶିବିର । ଅକ୍ଟୋବର ୧୦ରେ ପ୍ରଶାସନ ପକ୍ଷରୁ ଶିବିର ଆରମ୍ଭ ହେବାକୁ ଥିବା ବେଳେ ଦୁଇଦିନ ଆଗରୁ ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତି ଭବନରେ ଭିଡ ଜମାଇଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳି । ତେବେ ଆଜିଠାରୁ କୌଣସି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଶିବିର ସମ୍ମୁଖରେ ଧାରଣାରେ ବସିଥିଲେ ହବିଷ୍ୟାଳି । ଯାହାକୁ ନେଇ ବୃନ୍ଦାବତୀ ଭବନ ସମ୍ମୁଖରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ତେବେ ପ୍ରଶାସନ ପକ୍ଷରୁ ଶିବିର ଖୋଲିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଶହଶହ ହବିଷ୍ୟାଳି ବୃନ୍ଦାବତୀ ଶିବିର ସମ୍ମୁଖରେ ହଟହଟା ହୋଇଥିବା କହିଛନ୍ତି ।

"ଆସନ୍ତା ୧୦ରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଥିବା ୫ ଟି ଶିବିରରେ ରହିବା ପାଇଁ ହୋଇଛି ବ୍ୟବସ୍ଥା । ସେନେଇ ପ୍ରଶାସନିକ ଅଧିକାରୀ ସେଚ୍ଛାସେବୀଙ୍କୁ ନେଇ କରାଯାଇଛି ପ୍ରଶିକ୍ଷଣ ଶିବିର । ଆଉ ଚଳିତ ବର୍ଷ ତିନି ହଜାରରୁ ଉର୍ଦ୍ଧ୍ୱ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବୃନ୍ଦାବତୀ ଭବନ, ଅକ୍ଷୟପାତ୍ର କୋଠା, ବଗଲା, ବାଗେଡିଆ ଧର୍ମଶାଳା ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା କରାଯାଇଛି । ସେପଟେ ହବିଷ୍ୟାଳି କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସତର୍କ କରିଛନ୍ତି ।
" ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୧୦ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳିଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ ହଲଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, କର୍ମଚାରୀ ଓ ସ୍ୱେଛାସେବୀଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳି ମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି କର୍ମଚାରୀମାନଙ୍କୁ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ। ହବିଷ୍ୟାଳି କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ ।
ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣ ମଣ୍ଡପଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ଯାଳିଙ୍କର ରହଣି ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି । ସରକାରଙ୍କ ହବିଷ୍ଯାଳି ଯୋଜନା ଆଧାରରେ ବୟସ୍କା ମାଆ ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ।
ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।