ବିପଦରେ ଗୋ ସମ୍ପଦ; ଲମ୍ଫି ସ୍କିନ ରୋଗ ନେଇ ମାର୍ଗ ଦର୍ଶିକା ଜାରି କଲା ପ୍ରାଣୀସମ୍ପଦ ବିଭାଗ

ଦେଶର ୮ଟି ରାଜ୍ୟରେ ଲମ୍ଫି ସ୍କିନ ରୋଗ ବ୍ୟାପିବା ପରେ ଏବେ ସତର୍କ ହୋଇଛି ଓଡିଶା । ୧୪ ଜିଲ୍ଲାକୁ ଆଲର୍ଟ କରିଛି ପ୍ରାଣୀସମ୍ପଦ ବିଭାଗ ।

ଲମ୍ଫି ସ୍କିନ ରୋଗ ନେଇ ମାର୍ଗ ଦର୍ଶିକା ଜାରି (ପ୍ରତୀକାତ୍ମକ ଛବି)

ଲମ୍ଫି ସ୍କିନ ରୋଗ ନେଇ ମାର୍ଗ ଦର୍ଶିକା ଜାରି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ବିପଦରେ ଗୋ ସମ୍ପଦ। ମାଡ଼ି ଆସୁଛି ଲମ୍ଫି ସ୍କିନ୍ ରୋଗ । ପଡୋଶୀ ରାଜ୍ୟରେ ଲମ୍ଫି ସ୍କିନ୍ ରୋଗ ଭୟ ବଢିବା ପରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତତ୍ପର ହୋଇ ଉଠିଛି। ୧୪ ଜିଲ୍ଲାକୁ ଆଲର୍ଟ କରିଛି ପ୍ରାଣୀସମ୍ପଦ ବିଭାଗ । ଗାଈ, ଗୋରୁ, ମଇଁଷିଙ୍କ ଦେହରେ ଦେଖାଦେଉଛି ଲମ୍ପି ସ୍କ୍ରିନ ରୋଗ। ଯାହାକୁ ନେଇ ବଢିବାରେ ଲାଗିଛି ଭୟ । ଏହି ରୋଗ ରାଜ୍ୟରେ ବ୍ୟାପିବା ପରେ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରାଣୀ ସମ୍ପଦ ବିଭାଗର ସଚିବ ଅରବିନ୍ଦ ପାଢୀ ରାଜ୍ୟର ୧୪ଟି ଜିଲ୍ଲାକୁ ଆଲର୍ଟ କରିଛନ୍ତି ।

ବାଲେଶ୍ୱର, ଝାରସୁଗୁଡା, କେନ୍ଦୁଝର, ମୟୁତଭଞ୍ଜ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, ସୁନ୍ଦରଗଡ, ବରଗଡ, ସମେତ କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କ କରାଯାଇଛି । ପ୍ରାଣୀ ସମ୍ପଦ ଭିବାଗ  ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି । ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖାଯାଇଛି । ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋ-ମଇଁଷି ପରିବହନରେ କଟକଣା ଲଗାଯାଇଛି । ସେମାନେ ରହୁଥିବା ସ୍ଥାନକୁ ବିଶୋଧନ କରିବା ସହ ରୋଗ ଚିହ୍ନଟ ହୋଇଥିବା ପଶୁଙ୍କୁ ପୃଥକ ରଖିବାକୁ କୁହାଯାଇଛି । ଅନ୍ୟ ପଶୁଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଲମ୍ଫି ସ୍କିନ ଡିଜିଜି ମଶା ଓ ଟିଙ୍କ ଦ୍ଵାରା ଗୋଟିଏ ପଶୁଠାରୁ ଅନ୍ୟକୁ ବ୍ୟାପିଥାଏ। ଏହି ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ। ଗାଁ ଗହଳିରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈକୁ ଦୁହିଁଲେ ଏହି ରୋଗ ବ୍ୟାପୁଛି।

ଏହା ଏକ ଭୁତାଣୁ ଜନିତ ରୋଗ। ଏଥିରେ ମୃତ୍ୟୁ ସମ୍ଭାବନା ବହୁତ କମ୍ ରହିଛି । କିନ୍ତୁ ଏହି ରୋଗ ହେଲେ ଚାଷୀଙ୍କୁ ବହୁତ କ୍ଷତି ହୋଇଥାଏ ବୋଲି ପଶୁ ଡାକ୍ତର କହିଛନ୍ତି । ଗାଈ କ୍ଷୀର ଖାଉଥିଲେ କ୍ଷୀରକୁ ଭଲ ଭାବରେ ଗରମ କରି ଖାଇବା ପାଇଁ  ପରାମର୍ଶ ଦେଇଛନ୍ତି।

ଓୟୁଏଟି ଭେଟନାରୀ ବିଭାଗ ଆସୋସିଏଟ ପ୍ରଫେସର ଡ଼ ସନ୍ତୋଷ କୁମାର ସେନାପତି କହିଛନ୍ତି ଲମ୍ପି ସ୍କିନ୍ ରୋଗର ଲକ୍ଷଣ ଦେଖାଦେଲେ ପ୍ରଥମେ ଗାଈ ଗୋରୁ କି ମଇଁଷିଙ୍କୁ ଜ୍ଵର ହେବ । ଜ୍ଵର ପରେ ଚର୍ମରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ। ନିମୋନିଆ ବି ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ଵାସ ନେବାରେ ଗୋ ସମ୍ପଦଙ୍କର ଅସୁବିଧା ହୋଇଥାଏ । ଗାଈ ଖାଇବା ବନ୍ଦ କରି ଦିଏ, ଆସନ୍ନ ପ୍ରସବା ଗାଈର ଛୁଆ ବାହାରିଯାଏ । କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ। ଗାଈଟି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ବହୁତ ଦିନ ପର୍ଯ୍ୟନ୍ତ ଛୁଆ ରଖିବ ନାହିଁ।

ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇ ଡାକ୍ତର ସେନାପତି କହିଛନ୍ତି,"ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ ଓ ଗୋବର ଗଦାକୁ ସାନିଟାଇଜି କରିବାକୁ ହେବ। ଗାଈ ଗୁହାଳରେ ୨% ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରନ୍ତୁ। ଗାଈ ଦେହରେ ଟିଙ୍କ ନ ହେବା ପାଇଁ ଆକାରିସାଇଡ଼ିଆଲ ଡ୍ରଗ୍ସ ଲଗାଯାଉ କିମ୍ବା ସ୍ପଟନ ସ୍ପୋରନ ବେକ ପାଖରେ ୪ ରୁ ୬ ଟୋପା ଲଗାନ୍ତୁ। ଯିଏ ବି ଗୁହାଳକୁ ଯାଉଛନ୍ତି ହ୍ୟାଣ୍ଡୱାସ୍ ସାନିଟାଇଜର ବ୍ୟବହାର କରନ୍ତୁ। ଯେଉଁ ଗାଈ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସ ରେ ରଖିବାକୁ ହେବ ସହ ଚିକିତ୍ସା କରନ୍ତ। ଯେଉଁ ଗାଈ ଗୋରୁ ଏହି ରୋଗରେ ମରି ଯାଉଛନ୍ତି ସେମାନଙ୍କୁ ବାହାରେ ନ ଫୋପାଡ଼ି ଲୁଣ ଦେଇ ପୋତି ଦିଅନ୍ତୁ। ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଅଛନ୍ତି,"କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ।

ଏହି ରୋଗ ୨୦୧୯ ମସିହାରେ ରାଜ୍ୟର ୨୪ ଟି ଜିଲ୍ଲାକୁ ବ୍ୟାପିଥିଲା। ତେବେ ମୃତ୍ୟୁ ହାର ଯଥେଷ୍ଟ କମ ରହିଥିଲା। ଅର୍ଥାତ ୦.୦୦୨ ପ୍ରତିଶତ ଥିଲା। ତେବେ ଗୋ ପାଳକ ଓ ଦୁଗ୍ଧ ଚାଷୀମାନେ ଭୟଭୀତ ନ ହୋଇ ସଚେତନ ରହିବାକୁ ପରାମର୍ଶ ଦେଇଛି ପଶୁ ସଂପଦ ନିର୍ଦ୍ଦେଶାଳୟ।
Published by:Soumya Das
First published: