ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ରହଣୀ ନେଇ ହୋଟେଲ ମାଲିକଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ରହଣୀ ନେଇ ହୋଟେଲ ମାଲିକଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ଆଉ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୬୩୭୦୯୬୭୧୦୦ ଜାରି କଲା ପୁରୀ ପୋଲିସ।

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ରହଣୀ ନେଇ ହୋଟେଲ ମାଲିକଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ରହଣୀ ନେଇ ହୋଟେଲ ମାଲିକଙ୍କ ପାଇଁ ଜାରି ହେଲା ଗାଇଡଲାଇନ

  • Share this:
News18 Odia Digital

ପୁରୀ: ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ହୋଟେଲ ମାଲିକଙ୍କ ସହ ପୁରୀ ପୋଲିସର ସମନ୍ୱୟ ବୈଠକ। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ରହଣୀକୁ ଦୃଷ୍ଟିରେ ରଖି ହୋଟେଲିୟରଙ୍କ ପାଇଁ ଜାରି ହେଲା ଗାଇଡଲାଇନ। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଆଶଙ୍କା ରହିଥିବାରୁ ଭକ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ହୋଟେଲ ଗୁଡିକରେ ପର୍ଯ୍ୟାପ୍ତ ସିସିଟିଭି ଲଗାଯିବା, ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଜୁନ୍ ୧୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଆଉ ଜୁଲାଇ ୧ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମୟ ପରିବେଶରେ ହେବ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା। ଆଉ ଭକ୍ତଙ୍କ ଶୃଙ୍ଖଳିତ ରହଣି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ହୋଟେଲ ମାଲିକ ସଙ୍ଘ ସହ ହୋଇଛି ପ୍ରଥମ ସମନ୍ୱୟ ବୈଠକ। ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ହୋଟେଲିୟର୍ସଙ୍କ ଉପରେ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ। ପ୍ରତିଟି ହୋଟେଲରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି, ସାତ ଦିନର ସିସିଟିଭି ରେକର୍ଡ ଓ ଦୈନନ୍ଦିନ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ତଥ୍ୟ ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ପୁରୀ ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରଶାସନକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛୁ ବୋଲି କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘ ଉପସଭାପତି ରାଜକିଶୋର ପାତ୍ର।

"ପୁରୀରେ ହୋଟେଲ ଓ ଲଜିଂକୁ ଆଦିକୁ ମିଶାଇ ସଂଖ୍ୟା ୩୦୦ ଡେଇଁବ। ପୁଣି ହୋଟେଲ ଆସୋସିଏସନ ସହ ଜଡିତ ରହିଥିବା ହୋଟେଲ ଛଡ଼ା ପ୍ରାୟ ୧୫୦ ଛୋଟ ଛୋଟ ଲଜ ଓ ହୋଟେଲ ରହିଛି। ତେଣୁ ସେମାନଙ୍କ ପାଖରେ ସିସିଟିଭି ଫୁଟେଜ ରଖିବା ପାଇଁ ଏତେ ହାର୍ଡଡିସ୍କର ବ୍ୟବସ୍ଥା କି ସେମାନଙ୍କର ଆର୍ଥିକ ସ୍ଥିତି ବି ଠିକ ନାହିଁ। କାରଣ ଦୁଇ ବର୍ଷ ହେବ କରୋନା ମହାମାରୀକୁ ନେଇ ହୋଟେଲ ଚଳାଇବା ବି ଆମ ପକ୍ଷେ ମୁସ୍କିଲ ହୋଇଯାଇଥିଲା। ତେଣୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ଆସିବାରୁ ଥିବାରୁ ଭଲ ରୋଜଗାର କରିବାର ଲକ୍ଷ୍ୟ ରଖିଛୁ। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମ ଥର କରି ହୋଟେଲିୟର୍ସଙ୍କୁ ଡାକି ବୈଠକ କରିବା ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଉ ଆମେ ପ୍ରଶାସନର ସମସ୍ତ ନିୟମକୁ ଅନୁପାଳନ କରିବୁ,’’ କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘ ସଂପାଦକ କେଦାର ଖୁଣ୍ଟିଆ।

"ଚଳିତ ବର୍ଷ ଦ୍ୱିଗୁଣା ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ପୋଲିସ। ସମସ୍ତ ହୋଟେଲ ନିଜର ସିସିଟିଭି ସକ୍ରୀୟ କରିବାକୁ ରହିଛି ତାଗିଦ। ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ କୈାଣସି ଅସୁବିଧା ହେଲେ ନେଇପାରିବେ ପୋଲିସ ସହାୟତା। ଏଥିପାଇଁ ଜାରି ହେଲା ୨୪ଘଣ୍ଟିଆ (6370967100) ହେଲ୍ପଲାଇନ ନମ୍ୱର। ଟୋଲଫ୍ରି ନମ୍ବର କେବଳ ରଥଯାତ୍ରା ନୁହେଁ ବର୍ଷ ତମାମ ପର୍ଯ୍ୟଟକଙ୍କୁ ସହାୟତା ଯୋଗାଇଦେବ। ପ୍ରତିଟି ହୋଟେଲିଅର୍ସ ଏହି ନିଶୁଳ୍କ ନମ୍ବରକୁ ହୋଟେଲ କାଉଣ୍ଟରେ ଡିସପ୍ଲେ କରିବେ। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ। ବିଶେଷ କରି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ପ୍ରକାର କରାଯାଇଥିବା ବେଳେ ବଡଦାଣ୍ଡର ସୁରକ୍ଷା ବ୍ୟବସ୍ଥା ଅନ୍ୟ ଧରଣର କରାଯାଇଛି,’’ କହିଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଲ ସିଂ।

ଜୁନ ୧ରେ ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ହେବ ଦ୍ୱିତୀୟ ରଥ ସମନ୍ୱୟ ବୈଠକ। ପ୍ରଶାସନିକ ସ୍ତରରେ ସମନ୍ୱୟ ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପୁରୀ ପୋଲିସ ପକ୍ଷରୁ ହୋଟେଲିୟରଙ୍କ ସହ ପ୍ରଥମ ଥର କରି ସମନ୍ୱୟ ବୈଠକ କରାଯାଇଥିବାରୁ ହୋଟେଲିୟର୍ସ ସ୍ୱାଗତ କରିଛନ୍ତି।
Published by:Lipina Das
First published: