ଭୁବନେଶ୍ୱରରେ ବାହାଘର ରିସେପ୍ସନରୁ ୭ ଲକ୍ଷ ଟଙ୍କାର ଗିଫ୍ଟ ବ୍ୟାଗ୍ ଚ଼ୋରିକଲା ଭଦ୍ରମୁଖା ଲୁଟେରା

ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହେବା ପରେ ଗିଫ୍ଟ ଚ଼ୋରି ପଛରେ ଏକ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି । ଏହି ରାକେଟର ଟାର୍ଗେଟରେ ବାହାଘର ରିସେପସନ ଥିବା ପରି ଲାଗୁଛି ।

ଭୁବନେଶ୍ୱରରେ ବାହାଘର ରିସେପ୍ସନରୁ ୭ ଲକ୍ଷ ଟଙ୍କାର ଗିଫ୍ଟ ବ୍ୟାଗ୍ ଚ଼ୋରିକଲା ଭଦ୍ରମୁଖା ଲୁଟେରା
ସିସିୟିଭି କ୍ୟାମେରାରେ ଲୁଟେରାର ଛବି ରେକର୍ଡ଼ ହୋଇଛି ।
  • News18 Odia
  • Last Updated: March 4, 2020, 12:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାହାଘର ରିସେପସନ ପାର୍ଟିରେ ଅତିଥି ରୂପେ ଯୋଗଦେଇ ସେମାନେ ସମସ୍ତଙ୍କ ସହ ହସଖୁସିରେ ଖାଇଲେ । ରାତି ଅଧିକ ହେଉଥିବାରୁ ଅତିଥିମାନେବି ଘରକୁ ଫେରୁଥିବା ବେଳେ ବରକନ୍ୟାଙ୍କ ସହ ପରିବାର ଲୋକେ ଫଟୋ ସୁଟରେ ବ୍ୟସ୍ତ ଥିଲେ । ଆଉ ଏତିକି ବେଳେ ସମସ୍ତଙ୍କୁ ଚ଼କମା ଦେଇ ଏ ଅତିଥିରୂପୀ ଲୁଟେରା ଜଣକ ଲୁଟିନେଲେ ୭ ଲକ୍ଷ ଟଙ୍କାର ଗିଫ୍ଟ ବ୍ୟାଗ୍‌ ।

ନିଜ ପୁଅର ବାହାଘର ରିସେପସନରେ ନିମନ୍ତ୍ରିତ ଅତିଥିଙ୍କୁ ଭଲ ଭାବେ ପରଖିନେବାରେ ଭୁଲ୍‌ କରି ଝାରପଡାର ବ୍ୟବସାୟୀ ରାଜେନ ମହାନ୍ତି ହରେଇ ବସିଛନ୍ତି ବେଶ୍‌ କିଛି ସମ୍ପତ୍ତି । ଏହି ଘଟଣାରୁ ରାଜଧାନୀର ବାହାଘର ରିସେପସନ ପାର୍ଟିରେ ଭଦ୍ରମୁଖା ଲୁଟେରା ମାତିଥିବା ପ୍ରକରଣ ବି ସାମନାକୁ ଆସିଛି ।

କ୍ୟାନନ୍‌ ଓ ଅନ୍ୟ କ୍ୟାମେରାର ଡିଲରଶିପ୍‌ ସହ ଅନ୍ୟ କେତେକ ବ୍ୟବସାୟ କରୁଥିବା ରାଜେନ ମହାନ୍ତିଙ୍କ ପୁଅ ନିଶ୍ବାର୍ଥ ମହାନ୍ତିଙ୍କ ବାହାଘର ଫେବୃୟାରୀ ୨୬ ତାରିଖରେ ଅତି ଧୁମଧାମରେ ହୋଇଥିଲା । ନିଶ୍ବାର୍ଥ ବମ୍ବେରେ ଆକ୍ସେଞ୍ଚର୍‌ କମ୍ପାନୀରେ ଟିମ ଲିଡର ଭାବେ କାର୍ଯ୍ୟରତ । ହୋଟେଲ ମେ ଫେୟାରରେ ନିଶ୍ବାର୍ଥଙ୍କ ସହ ପଲ୍ଲବୀ ଦ୍ବିବେଦୀଙ୍କ ବାହାଘର ହେବାର ଦୁଇ ଦିନ ପରେ ୨୯ ତାରିଖରେ ପରେ ରିସେପ୍ସନ୍‌ ହୋଇଥିଲା ଚନ୍ଦ୍ରଶେଖରପୁରରେ ଥିବା ହୋଟେଲ କ୍ରିଷ୍ଟାଲ କୋର୍ଟୟାର୍ଡରେ ।

ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହୋଇଥିବା ରିସେପସନ ପାର୍ଟିରେ ଯୋଗ ଦେଇଥିଲେ ହଜାରେରୁ ଅଧିକ ଅତିଥି । ହସଖୁସିରେ ଅତିଥିମାନେ ଖିଆପିଆ କରୁଥିଲେ । ସେହି ପାର୍ଟିକୁ ଆସିଥିବା ଅତିଥିଙ୍କ ଭିଡ ଭିତରେ ପଶିଥିଲା ଏକ ଭଦ୍ରମୁଖା ଲୁଟେରା । ଦେଖିବାକୁ ଜଣେ ଭିଆଇପି ଅତିଥି ଠୁ କିଛି ଗୁଣରେ କମ ନୁହଁ । ଜିନ୍ସ ପ୍ୟାଣ୍ଟ ସାର୍ଟ ସାଙ୍ଗକୁ ବୁଟ ଓ ସୁଟ । ଆଗ ଧାଡିରେ ବସିଥିଲା ଭିଆଇପିଙ୍କ ଭଳି । ସେହି ଲୁଟେରାକୁ ତା’ ଚାଲିଚଳଣିରୁ କେହି ତିଳେ ବି ସନ୍ଦେହ କରି ନ ଥିଲେ ।

ବରକନ୍ୟାଙ୍କ ସହ ପରିବାର ଫଟୋଶୁଟରେ ବ୍ୟସ୍ତ ଥିବା ବେଳେ ଚ଼ୋରି ହୋଇଥିଲା ।


ରିସେପସନ ପାର୍ଟିରେ ଅନ୍ୟ ଅତିଥିମାନଙ୍କ ସହ ମିଶି ଲୁଟେରା ଜଣକ ଖିଆପିଆ ବି କରିଥିଲା । ରାତି ୧୧ଟା ପରେ ଧୀରେ ଧୀରେ ଅତିଥିମାନେ ଘରକୁ ଫେରିବାକୁ ଲାଗିଥିଲେ । ବରକନ୍ୟାଙ୍କ ସହ ପରିବାର ସଦସ୍ୟମାନେ ଫଟୋ ସୁଟରେ ବ୍ୟସ୍ତ ଥିବାବେଳେ ଆଗ ସିଟରେ ବସିଥିବା ଏହି ଲୁଟେରା ଏହାର ଫାଇଦା ଉଠାଇ ଆଖି ପିଛୁଳାକେ ପେଣ୍ଡାଲରେ ଥିବା ଗିଫ୍ଟ ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲା ।

ରିସେପସନ ସରିବା ପରେ ବରକନ୍ୟା ଘରକୁ ଯିବାକୁ ବାହାରିଥିଲେ । ଏତିକି ବେଳେ ଗିଫ୍ଟ ବ୍ୟାଗଟିକୁ ଖୋଜିବା ବେଳକୁ ତାହା ଆଉ ନ ଥିଲା ସେଠି । ସିସିଟିଭି ଚ଼େକିଂ ବେଳେ ସେହି ଯୁବକଙ୍କ ଉପରେ ସନ୍ଦେହ ବଢିଥିଲା ଯିଏ ରିସେପସନ ପାର୍ଟିର ଆରମ୍ଭରୁ ଆସିଥିଲା । ରାତି ୧୧ଟା ୨୦ ମିନିଟ ବେଳେ ଫଟୋ ସୁଟ୍ ଚାଲିଥିବାବେଳେ ଗିଫ୍ଟ ବ୍ୟାଗଟିକୁ ନେଇ ସେ ଚ଼ମ୍ପଟ ମାରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି ।

ମଙ୍ଗଳବାର ଅପରାହ୍ନରେ ନିର୍ଶାର୍ଥଙ୍କ ବାପା ରାଜେନ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି: ‘‘ଗିଫ୍ଟ ବ୍ୟାଗରେ କିଛି ଟଙ୍କା ଓ ଗିଫ୍ଟ ଥିଲା । ତା’ର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ।’’

ଲୁଟେରା ବ୍ୟାଗ୍‌ ନେଇ ଚ଼ାଲିଯାଉଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଛି ।


‘‘ଚ଼ୋରି ପଛରେ ଆମେ ଦୁଇ ଜଣ ଯୁବକଙ୍କ ଉପରେ ସନ୍ଦେହ କରୁଛୁ । ସେମାନେ ଅତିଥିଙ୍କ ଭିଡ଼ ଭିତରେ ଆସି ଚ଼ୋରି କରିଛନ୍ତି । ସୁରକ୍ଷା ପାଇଁ ଆମେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିଲୁ, ହେଲେ ତା’ରି ଭିତରେ କେମିତି ଚ଼ୋରି ହେଲା ତାହା ଆମେ ବୁଝିପାରିନାହୁଁ । ଆମ ପକ୍ଷରୁ ବି ତଦନ୍ତ ଚ଼ାଲିଛି,’’ କହିଛନ୍ତି କ୍ରିଷ୍ଟାଲ କୋର୍ଟୟାର୍ଡର ମ୍ୟାନେଜର ଅନୀଲ ।

ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହେବା ପରେ ଗିଫ୍ଟ ଚୋରି ପଛରେ ଏକ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି । ‘‘ଏହି ରାକେଟର ଟାର୍ଗେଟରେ ବାହାଘର ରିସେପସନ ଥିବା ପରି ଲାଗୁଛି । ଗହଳିର ସୁଯୋଗ ନେଇ ସେମାନେ ଭିତରେ ପଶନ୍ତି ଆଉ ମଉକା ଦେଖି ଗିଫ୍ଟ ଚୋରି କରି ଫେରାର ହୋଇଥାଆନ୍ତି,’’ କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ରାଜେନଙ୍କ ସମ୍ପର୍କୀୟ ଆଲୋକ ସିଂ କହିଛନ୍ତି: ‘‘ଏବେ ବାହାଘର ସିଜନ ଚାଲିଥିବାରୁ ଏହି ଗ୍ୟାଙ୍ଗ ଆଉ କାହାର ରିସେପସନକୁ ଯାଇ ଗିଫ୍ଟ ଚ଼ୋରି କରି ନେବା ପୂର୍ବରୁ ସେମାନଙ୍କୁ ଗିରଫ କରିବାର ଆବଶ୍ୟକତା ଅଛି’’ ।
First published: March 4, 2020, 12:01 AM IST