News18 Odia Digital
କଟକ: ସୁନା ଅଳଙ୍କାର ଦୋକାନ ଗୁଡ଼ିକ ପରେ ଏବେ ଆସବାପତ୍ର ବିକ୍ରି କରୁଥିବା ବ୍ୟବସାୟୀ ତଥା ସେମାନଙ୍କ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଚଢ଼ାଉ କରିଛି ରାଜ୍ୟ ଜି.ଏସ୍.ଟି. ବିଭାଗ । ଆସବାପତ୍ର ବିକ୍ରି କରୁଥିବା ବ୍ୟବସାୟୀମାନେ ଦୈନିକ କୋଟି କୋଟି ଟଙ୍କାର ସାମଗ୍ରୀ ବିକ୍ରି କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଜି.ଏସ୍.ଟି. ଫାଙ୍କୁଥିବାର ଜଣା ପଡ଼ିବା ପରେ ବୁଧବାର ଦିନ ରାଜ୍ୟ ଜି.ଏସ.ଟି. ବିଭାଗ ପକ୍ଷରୁ ରାଜ୍ୟ ତମାମ ଚଢ଼ାଉ କରାଯାଇଥିଲା ।
ରାଜ୍ୟ ୧୧ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭବାନୀପାଟଣା, ବରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଣ୍ଟାବାଞ୍ଜି ଓ ବାଲେଶ୍ବର ଠାରେ ଥିବା ୧୪ଟି ବ୍ୟବସାୟୀକ କେନ୍ଦ୍ର ତଥା କରଖାନା ଓ ଗୋଦାମରେ ଏକ କାଳିନ ଚଢ଼ାଉ କରିଥିଲା ରାଜ୍ୟ ଜି.ଏସ୍.ଟି ବିଭାଗ । ଏହି ଚଢ଼ାଉ ସମୟରେ ଅନେକ ସ୍ଥାନରେ ବ୍ୟବସାୟୀମାନେ ଗୁପ୍ତ ଗୋଦମ କରି ସେଠାରେ ଦାମି ଆସବାପତ୍ରକୁ ଲୁଚାଇ ରଖିଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି । ବ୍ୟବସାୟୀମାନେ ଏହି ସବୁ ସାମଗ୍ରୀକୁ ଟିକସ୍ ଫାଙ୍କିବା ପାଇଁ ଗଚ୍ଛିତ ରଖିଥିବା ଜି.ଏସ୍.ଟି. ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଜି.ଏସ୍.ଟି. ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅଧିକାଂଶ ବ୍ୟବସାୟୀ ଜି.ଏସ୍.ଟି. ଅଧିକାରୀଙ୍କ ସମ୍ମୁଖରେ ସେମାନଙ୍କ କ୍ରୟ, ବିକ୍ରୟ ଓ ଷ୍ଟକ୍ ରେଜିଷ୍ଟର୍ ଭଳି ଆକାଉଣ୍ଟଗୁଡ଼ିକର ନିୟମିତ ବହିକୁ ଦେଖାଇ ପାରିନାହାଁନ୍ତି । ଯାହା ଦ୍ବାରା ଏହି ବ୍ୟବାସାୟୀମାନେ ନିଜ ଇଚ୍ଛାରେ ବିଭିନ୍ନ ସାମଗ୍ରୀଗୁଡ଼ିକର ଭିନ୍ନ ଭିନ୍ନ ଦାମ ଦର୍ଶାଇ ଟିକସ ଫାଙ୍କି କରିଥିବା ସନ୍ଦେହ କରୁଛି ବିଭାଗ । ତେବେ ବେଆଇନ ଭାବେ ଓ ଟିକସ୍ ଫାଙ୍କି ଉଦ୍ଦେଶ୍ୟରେ ଗଚ୍ଛିତ ଥିବା ସାମଗ୍ରୀ ଗୁଡ଼ିକୁ ଜବତ କରିବା ପାଇଁ ନିଜ ଅଧିକାରୀମାନଙ୍କ ରାଜ୍ୟ ଜି.ଏସ.ଟି. ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ୧୧ଟି ପ୍ରମୁଖ ସହର GST ବିଭାହର ଚଢ଼ାଉ
ରାଜ୍ୟ ଜି.ଏସ୍.ଟି. ବିଭାଗର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ୧୮ ଡିଜିଟାଲକୁ ପ୍ରତିକ୍ରିୟା ଦେବାକୁ ଯାଇ କୁହିଛନ୍ତି, "ବିଭିନ୍ନ ପ୍ରକାରର ଆସବାପତ୍ରର ବିକ୍ରିବଟା ଉପରେ ଯଥାକ୍ରମେ ୧୨%, ୧୮% ଓ ୨୮ % ଜି.ଏସ୍.ଟି. ଧାର୍ଯ୍ୟ କରାଯାଇଛି । କିନ୍ତୁ ରାଜ୍ୟରେ ଏହି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ସେହି ସାମଗ୍ରୀଗୁଡ଼ିକ ବିକ୍ରି କରୁଛନ୍ତି ସତ ହେଲେ ସେଥି ପାଇଁ ଧାର୍ଯ୍ୟ ହୋଇଥିବା ଜି.ଏସ୍.ଟି. ଦାଖଲ କରୁନାହାଁନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଛି । ଅନେକ କ୍ଷେତ୍ରରେ ଦେଖାଯାଇଛି କି ତିନି ଲକ୍ଷ ଟଙ୍କାର ଆସଭାବପତ୍ରକୁ ମାତ୍ର ୫୦ ହଜାର ଟଙ୍କାର ବୋଲି ଦର୍ଶାଯାଇ ବିକ୍ରି କରାଯାଇଛି । କିଛି କିଛି କ୍ଷେତ୍ରରେ ଗ୍ରାହକମାନଙ୍କୁ କେବଳ ଏକ ହାତ ଲେଖା ଦେଇ ବ୍ୟବସାୟୀମାନେ ସମ୍ପୂର୍ଣ୍ଣ ଟିକସକୁ ଫାଙ୍କିଥିବା କଥା ମଧ୍ୟ ତଦନ୍ତରୁ ସାମନାକୁ ଆସିଛି।’’
ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ପ୍ରମୁଖ ସହରଗୁଡ଼ିକରେ ଥିବା ବଡ଼ ବଡ଼ ଆସବାପତ୍ର ନିର୍ମାଣକାରୀମାନେ ନିୟମିତ ଭାବେ ଟିକସ ଠକେଇ କରୁଥିବା ନେଇ ଜି.ଏସ୍.ଟି. ପାଖରେ ସୂଚନା ପହଁଞ୍ଚିଥିଲା । ସେହି ସୂଚନା ଆଧାରରେ ବିଭାଗ ଏକ ବଡ଼ ଧରଣରେ ଚଢ଼ାଉ କରିଛି ।
୧୩୬ ଜଣ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ୩୨ଟି ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ବୁଧବାର ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଚଢ଼ାଉ ହୋଇଥିବା ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକରେ ବିପୁଳ ପରିମାଣ ସାମଗ୍ରୀ ରହିଥିବାରୁ ସେଗୁଡ଼ିକୁ ସଠିକ୍ ଯାଞ୍ଚ କରିବା ପରେ ବାସ୍ତାବିକ କେତେ ଟଙ୍କାର ଟିକସ୍ ଫାଙ୍କି ହୋଇଛି ତାହା କୁହାଯାଇ ପାରିବ ବୋଲି ରାଜ୍ୟ ଜି.ଏସ୍.ଟି. ବିଭାଗ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।