News18 Odia Digital
ଭୁବନେଶ୍ୱର: କେନ୍ଦ୍ରରେ ଜିଏସଟି (GST) ସଂଗ୍ରହ କମିଥିବା ବେଳେ ରାଜ୍ୟରେ ବାରମ୍ବାର ସଟଡାଉନ ଓ ଲକଡାଉନ ସତ୍ତ୍ୱେ ଏହା ବଢ଼ିଛି । ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଜିଏସଟି ଆଦାୟରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ରାଜ୍ୟରେ ଜିଏସଟିରେ ପଡ଼ିରହିଥିବା ମାମଲାଗୁଡିକର ତୁରନ୍ତ ଫଇସଲା କରି ଶତପ୍ରତିଶତ ଆଦାୟ ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ମାସରେ ଜିଏସଟି ଆଦାୟ କମିବ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଧିକ ଜିଏସଟି ସଂଗ୍ରହକୁ ପଜିଟିଭ ଗ୍ରୋଥ ବୋଲି କହିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ ଜିଏସଟି ଆୟ ୧୩.୦୪ ପ୍ରତିଶତ ବୃଦ୍ଧି ଘଟିଛି । ଗତ ବର୍ଷ ଜୁଲାଇ ମାସରେ ଜିଏସଟି ବାବଦରେ ୭୦୨.୪୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇରେ ୭୯୪.୦୨ କୋଟି ଟଙ୍କା ଆଦାୟ ହୋଇଛି ।
ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ-ଜିଏସଟି ଆୟ ମଧ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଜୁଲାଇ ମାସରେ ଏହି ସାମଗ୍ରୀରେ ଟିକସ ସଂଗ୍ରହ ରାଶି ୫୦୯.୦୩ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ୫୨୧.୪୭ କୋଟି ଟଙ୍କା ସଂଗ୍ରହ ହୋଇଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
କରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିବା ଜଣା ପଡିଛି । ଲକଡାଉନ ପ୍ରଭାବରେ ୨୦୧୯ ତୁଳନାରେ ଚଳିତ ବର୍ଷ ଏପ୍ରିଲ ମାସରେ ୬୧.୧୫ ପ୍ରତିଶତ କମ୍ ଜିଏସଟି ଆଦାୟ ହୋଇଥିଲା । ମେ ଓ ଜୁନ ମାସରେ ଯଥାକ୍ରମେ ୨୫.୨୨ ଓ ୫.୮୩ ପ୍ରତିଶତ ଜିଏସଟି କମ୍ ଆଦାୟ ହୋଇଥିଲା । ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜୁଲାଇ ମାସରେ ଜିଏସଟି ସଂଗ୍ରହର ଚିତ୍ର ବଦଳିଛି । ଅନଲକ ଲାଗୁ ହେବା ଦ୍ୱାରା ବଜାର ଖୋଲିଛି ଆଉ ତା’ର ପ୍ରଭାବରେ ଜିଏସଟି ଆଦାୟ ବଢିଛି ବୋଲି ଜିଏସଟି କମିସନର କହିଛନ୍ତି ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛିଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା‘‘ମାର୍କେଟ ଖୋଲିଥିଲେବି ଓ ଆଗକୁ ପୁଜା ସିଜିନ ଆସୁଥିଲେ ବି ଜିଏସଟି ଆଦାୟରେ ଆଉ ବୃଦ୍ଧି ଘଟିବ ନାହିଁ । ଏପ୍ରଲ, ମେ ଓ ଜୁନ ମାସରେ ଲୋକେ କିଣିବାକୁ ଚାହୁଁଥିଲେ, କିନ୍ତୁ ଲକଡାଉନ ଓ ସଟଡାଉନ କାରଣରୁ କିଣି ପାରୁ ନ ଥିଲେ । ଏହା ଜୁଲାଇ ମାସରେ ପ୍ରତିଫଳିତ ହୋଇଛି,’’ କହିଛନ୍ତି ଅର୍ଥନିତି ବିଶେଷଜ୍ଞ ତ୍ରୀନାଥ ଲେଙ୍କା ।
ଅର୍ଥନୀତି ସମୀକ୍ଷକ ଦିଲ୍ଲୀପ ବିଶୋୟୀ କହିଛନ୍ତି, ‘‘ଅଟୋମୋବାଇଲ୍ସ, ସିମେଣ୍ଟ ଓ ମ୍ୟାନୁଫ୍ୟକଚରିଂ ଭଳି ଆଠଟି କ୍ଷେତ୍ରରେ ଆଦାୟ କମିଛି । ଆଗକୁ ବି କମିବ।’’
କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସଟି ଆୟ ଏବେ ବି ୨୨ ପ୍ରତିଶତ କମ ରହିଛି । ଓଜିଏସଟି, ଆଇଜିଏସଟି, ଡିଜିଏସଟି ଓ ସେସ ବାବଦକୁ ମାତ୍ର ୭,୫୪୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଗତ ବର୍ଷ ଏହି ସମୟରେ ୯,୬୫୧ କୋଟି ଟଙ୍କା ସଂଗ୍ରହ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।