ହତାଶ ରେମୁଣା ଲଙ୍କା ଚାଷୀ; କେଜି ପ୍ରତି ୧୦ଟଙ୍କାରେ ବିକ୍ରି ହେଉଛି ଲଙ୍କା

ହତାଶ ଲଙ୍କା ଚାଷୀ । କେଜିକୁ ୧୦ ଟଙ୍କା ମୂଲ୍ୟରେ ଅଭାବୀ ବିକ୍ରି ନେଇ ଚିନ୍ତାରେ ଚାଷୀ । ସେପଟେ ତେଲ ଦର ବୃଦ୍ଧି ପାଇଁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଲଙ୍କା ଚାଷୀଙ୍କ ନିକଟରୁ କମ ଦାମ୍ ରେ କିଣା ଯାଉଥିବା କହିଛି ସଂଘ ।

ରେମୁଣାରେ କେଜି ୧୦ଟଙ୍କାରେ ବିକ୍ରି ହେଉଛି (ପ୍ରତୀକାତ୍ମକ ଛବି)

ରେମୁଣାରେ କେଜି ୧୦ଟଙ୍କାରେ ବିକ୍ରି ହେଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ହତାଶ ଲଙ୍କା ଚାଷୀ । ମିଳୁନି ଆବଶ୍ୟକୀୟ ମୂଲ୍ୟ।  କେଜିକୁ ୧୦ ଟଙ୍କା ମୂଲ୍ୟରେ ଅଭାବୀ ବିକ୍ରି ନେଇ ଚିନ୍ତାରେ ଚାଷୀ । ସେପଟେ ତେଲ ଦର ବୃଦ୍ଧି ପାଇଁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଲଙ୍କା ଚାଷୀଙ୍କ ନିକଟରୁ କମ ଦାମ୍ ରେ କିଣା ଯାଉଥିବା କହିଛି ସଂଘ ।

ସବୁଜ କ୍ଷେତରେ ଲଙ୍କା ହସୁଛି ହେଲେ ଚାଷୀର ବଢ଼ିଛି ଦୁଃଖ। ଚଳିତ ଥର ଲଙ୍କା ଚାଷ ଖୁସି ଆଣି ଦେଇଥିଲା ଲଙ୍କା ଚାଷୀଙ୍କୁ। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଲଙ୍କାର ରହିଥାଏ ବେଶ ଚାହିଦା । ସାଧାରଣତଃ ଦୁଇ ପ୍ରକାର ଲଙ୍କା ଏଠାରେ ଚାଷ ହୋଇଥାଏ। ମୋଟା ଲଙ୍କା ଓ ପତଳା ଲଙ୍କା। ଏନେଇ କଳା ଲଙ୍କା , ନାମଧାରୀ , ସଲଜର , ହଳଦିଆ ଖଡ଼ି , ଦୟା ଭଳି କିସମ ଚାଷ କରିଥାନ୍ତି ଚାଷୀ।  ଚଳିତ ଥର ମଧ୍ୟ ରେମୁଣା ଅଞ୍ଚଳରେ ଚାଷ କରିଥିବା ଚାଷୀଙ୍କ ଫସଲ ଭଲ ହୋଇଥିଲା । ପୂର୍ବାପେକ୍ଷା ଚଳିତ ଥର ଅମଳ ପରିମାଣ ବଢ଼ିବା ନେଇ ଆଶା ବାନ୍ଧି ବସିଥିଲେ ଚାଷୀ । ସାଧାରଣତଃ ଜାନୁଆରୀ ମାସରେ ତୃତୀୟ ସପ୍ତାହ ପରେ ଅମଳ ଆରମ୍ଭ ହୋଇ ଜୁଲାଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଏ । ସାଧାରଣତଃ ୨୫ ରୁ ୩୦ ଟଙ୍କାରେ କେଜି ପ୍ରତି ଦରରେ ଚାଷୀମାନେ ନିଜର ଅମଳକୁ ବିଭିନ୍ନ ଗୋଦାମ ମାନଙ୍କୁ ଦେଇଥାନ୍ତି । ହେଲେ ଚଳିତ ଥର ସର୍ବାଧିକ ମୂଲ୍ୟ ରହିଛି ୧୦ ଟଙ୍କା ଏଣୁ ୧୦ ଟଙ୍କାରେ କେଜିପ୍ରତି ଲଙ୍କା ବିକ୍ରି କରି ଲଙ୍କା ତୋଳିବା ଶ୍ରମିକ ଖର୍ଚ୍ଚ ମଧ୍ୟ ଉଠାଇ ପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ।  ଏନେଇ ଅମଳ ଅଧାରୁ ଲଙ୍କାକୁ ବିଲରେ ଛାଡ଼ି ଦେବାକୁ ଚିନ୍ତା କରୁଥିବା ଚାଷୀମାନେ କହିଛନ୍ତି ।

ଜଣେ ଲଙ୍କା ବ୍ୟବସାୟୀ ଉପେନ୍ଦ୍ର ମହାରଣା ଚାଷୀ କହିଛନ୍ତି,"ବର୍ତ୍ତମାନ ଲଙ୍କାର ସବୁଠାରୁ ଅଧିକ ଉତ୍ପାଦନର ସମୟ। ହେଲେ ଏହି ସମୟରେ ଲଙ୍କାର ଦାମ ବହୁତ କମ ରହିଛି ମାତ୍ର ୧୦ ଟଙ୍କା କେଜି ପ୍ରତି କିଣୁଛନ୍ତି ବ୍ୟବସାୟୀ" ।

"ଖର୍ଚ୍ଚ ଠାରୁ ଆୟ କମ ରହିଛି। ଏପରି ସ୍ଥିତିରେ ବିକ୍ରି କଲେ ଆମକୁ କ୍ଷତି ସହିବା ପାଇଁ ପଡ଼ିବ। ଲଙ୍କା ତୋଳିବା ପାଇଁ ଯେଉଁ ଖର୍ଚ୍ଚ ହେଉଛି ତାହାକୁ ଉଠାଇବା ମଧ୍ୟ କଷ୍ଟକର ଦର ନବଢ଼ିଲେ ଆମେ ବିଲରେ ଫସଲ ଛାଡ଼ିଦେବୁ," କହିଛନ୍ତି ଆଉ ଜଣେ ଦୟାନିଧି ମାହାର୍ଣ୍ଣା।

ତେବେ ଏନେଇ ଚାଷୀଙ୍କଠାରୁ କିଣୁଥିବା ଗୋଦାମ ବା ମାଲିକ ମାନଙ୍କର ଅଭିଯୋଗ ହେଉଛି ୧୦ ଟଙ୍କାରୁ ଅଧିକ ଚାଷୀଙ୍କୁ ଦେଲେ ସେମାନଙ୍କୁ କ୍ଷତି ସହିବାକୁ ପଡିବ। ସୂଚନା ଅନୁସାରେ ସାଧାରଣତଃ ଦିଲ୍ଲୀକୁ ଅଧିକ ଲଙ୍କା ଚାଲାଣ କରାଯାଇଥାଏ । ସେଠାରେ କେଜି ପ୍ରତି ୩୦ ଟଙ୍କା ପାଖାପାଖି ଲଙ୍କା ବିକ୍ରି ହୋଇଥାଏ । ହେଲେ ଏବେ ତେଲ ଦର ବଢ଼ିବାରୁ ପୂର୍ବରୁ କମ ଖର୍ଚ୍ଚ ହେଉଥିବା ଟ୍ରାନ୍ସପୋର୍ଟ ଖର୍ଚ୍ଚ ଦୁଇ ଗୁଣ ହୋଇଯାଇଛି। ଏଣୁ ପ୍ରତି ଟ୍ରକରେ ମାଲିକମାନଙ୍କୁ ପ୍ରାୟ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

"ପ୍ରତି କିଲୋ ହିସାବ କଲେ ଚାଷୀଙ୍କ ଠାରୁ ୧୦ ଟଙ୍କାରେ କିଣି ଦିଲ୍ଲୀ ପହଞ୍ଚାଇବା ବେଳକୁ ଏହାର ଦର ୨୦ ଟଙ୍କାରେପହଞ୍ଚି ଯାଉଛି । ସେହିପରି ଏବେ ଦିଲ୍ଲୀରେ ଲଙ୍କା ସ୍ଥାନୀୟ ଉତ୍ପାଦନ ବଢ଼ିଥିବାରୁ ୨୫ ଟଙ୍କାରେ ଲଙ୍କା ମିଳୁଥିବା ବେଳେ ଓଡ଼ିଶା ଲଙ୍କାର ଚାହିଦା କମିଛି । ଏସବୁ ନେଇ ୧୦ ଟଙ୍କାରୁ ଅଧିକ ଦର ଦେଇ ଚାଷୀଙ୍କ ନିକଟରୁ ଲଙ୍କା କିଣିବା ସମ୍ଭବ ନୁହେଁ," କହିଛନ୍ତି ବାଣେଶ୍ୱର କମ୍ୟୁନିଟି ଚିଲି ସୋସାଇଟିର ସମ୍ପାଦକ ଚନ୍ଦନ କୁମାର ଭୂୟାଁ।

ଟ୍ରାନ୍ସପୋର୍ଟ ଖର୍ଚ୍ଚ ପାଇଁ ଏବେ ଚାଷୀ ନିଜର ଅମଳ ବିଲରେ ଛାଡ଼ିବାକୁ ବାଧ୍ୟ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ରେମୁଣାରେ ଲଙ୍କା ଉତ୍ପାଦନ ହ୍ରାସ ପାଇବା ନେଇ ସନ୍ଦେହ ପ୍ରକାଶ ହୋଇଛି ।
Published by:Soumya Das
First published: