ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା; ଅଗଷ୍ଟ ୫ ସୁଦ୍ଧା ବଣ୍ଟନ ନିର୍ଦ୍ଦେଶ
News 18 Odia Digital
ଭୁବନେଶ୍ୱର; ଅଗଷ୍ଟ ୫ ସୁଦ୍ଧା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା । ପ୍ରାଥମିକ, ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍ସି ଓ ଏସ୍ଟି ବିଭାଗ ଅଧୀନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟାନ କରାଯିବ । ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ୍ ଓ ଧଳା ସାଲୱାର ଦିଆଯିବ । ଚଳିତବର୍ଷ ପୋଷାକର ରଙ୍ଗ ଓ ପରିପାଟୀରେ କୌଣସି ପରିବର୍ତ୍ତନ ହେବନାହିଁ ।
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଅଗଷ୍ଟ ୫ ସୁଦ୍ଧା ପୋଷାକ ଏବଂ ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ନିର୍ଦେଶ ଦେଇଛନ୍ତି ।
ପୋଷାକ ଓ ଜୋତା ଲାଗି ୫ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ରାଶି ଜମା ହୋଇଥିବା ବିଦ୍ୟାଳୟ ଲାଗି ସ୍କୁଲ ପରିଚାଳନା କମିଟି(ଏସ୍ଏମ୍ସି)ର ସଦସ୍ୟମାନେ ନିକଟସ୍ଥ ବଜାରକୁ ଯାଇ ନିର୍ଦ୍ଧାରିତ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ/ବିତରକଙ୍କୁ ଚିହ୍ନଟ କରିବେ । ଏସ୍ଏମ୍ସି ଅଧିବେଶନରେ ଦୋକାନୀ/ବିତରକଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଦସ୍ୟଙ୍କ ଅନୁମୋଦନକ୍ରମେ ସଠିକ୍ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ବରାଦ ଦିଆଯିବ । ୫ ହଜାର ଟଙ୍କାରୁ ଅଧିକ ପୋଷାକ/ଜୋତା ଲାଗି ଏସ୍ଏମ୍ସି ଖୋଲା ବଜାରରୁ ପୋଷାକ/ଜୋତା କିଣିବା ସକାଶେ ୩ଟି ଭିନ୍ନ ଭିନ୍ନ ଦ୍ରବ୍ୟ ଓ ସେବାକର ପଞ୍ଜୀକୃତ ବିତରକଙ୍କଠାରୁ କୋଟେସନ୍ ସଂଗ୍ରହ କରିବେ । ଏସ୍ଏମ୍ସି ଅଧିବେଶନରେ ତାହାକୁ ଯାଞ୍ଚ କରାଯିବ । ସବୁଠାରୁ କମ୍ ମୂଲ୍ୟର କୋଟେସନ୍କୁ ବୈଠକରେ ଅନୁମୋଦନ କରାଯିବ । ଏସ୍ଏମ୍ସି କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ୱ ବହନ କରିବେ । କିଣିବା ବା ତିଆରି ଠାରୁ ବିତରଣ ପର୍ଯ୍ୟନ୍ତ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ, ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ନଜର ରଖିବେ । ନିମ୍ନମାନର ସାମଗ୍ରୀ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ନଜରକୁ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।