ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା; ମୃତଦେହ ନେବାକୁ ସମ୍ପର୍କୀୟ ଅରାଜି

ପରିବାର ତଥା ସମ୍ପର୍କୀୟ ଲୋକେ ଗୋବିନ୍ଦଙ୍କ ମୃତ ଶରୀରକୁ ନେବା ପାଇଁ ରାଜି ନାହାନ୍ତି ।

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା; ମୃତଦେହ ନେବାକୁ ସମ୍ପର୍କୀୟ ଅରାଜି

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା; ମୃତଦେହ ନେବାକୁ ସମ୍ପର୍କୀୟ ଅରାଜି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲୁଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ମୃତଦେହକୁ ନେବାପାଇଁ ପରିବାର ଓ ସମ୍ପର୍କୀୟ ଅରାଜି ହେଉଥିବା ସୂଚନା ମିଳିଛି । ବଲାଙ୍ଗିର ସ୍ଥିତ ଭୀମଭୋଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପାଇଁ ଆଲୋଚନା ହୋଇଥିଲା । କିନ୍ତୁ ପରିବାର ତଥା ସମ୍ପର୍କୀୟ ଲୋକେ ଗୋବିନ୍ଦଙ୍କ ମୃତ ଶରୀରକୁ ନେବା ପାଇଁ ରାଜି ନାହାନ୍ତି । ସେମାନଙ୍କ କହିବା କଥା ହେଉଛି ପୋଲିସ ଶବକୁ ମହାଲିଙ୍ଗଠାରେ ପହଞ୍ଚାଇ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ଉଚିତ । ତେବେ ପୋଲିସ ଏବେ କଣ କରିବ ସେନେଇ ଚର୍ଚ୍ଚା ଆଲୋଚନା ହେଉଛି ।

ଗୋବିନ୍ଦ ସାହୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ସମୟରେ ଭିଡିଓ ଉତ୍ତଳନ କରାଯାଇଛି । ସେଠାରେ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ କଣ ଆସିବ ତାହାକୁ ଏବେ ସଭିଙ୍କ ଅପେକ୍ଷା ରହିଛି ।

ସେପଟେ, ତଦନ୍ତ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନା ତଦନ୍ତ ରିପୋର୍ଟକୁ ଜେଲ ଏଡିଜି ଡିପତେଶ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ ଗୋବିନ୍ଦ ସାହୁ ମୃତ୍ୟୁର ବିଭିନ୍ନ ଦିଗ ଦର୍ଶାଯାଇଛି । ବିଶେଷ କରି ୱାର୍ଡର ଅକ୍ଷୟ ସାହୁଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କୁହାଯାଇଛି। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି। ଗୋବିନ୍ଦ ସାହୁ ଗତକାଲି ଦିନ ୧୦ଟା୩୦ରୁ ୧୧ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି ଗୋବିନ୍ଦ ।

ପରିବାର ଲୋକେ କହିଛନ୍ତି ଯେ, ଗୋବିନ୍ଦ ସାହୁଙ୍କ ପକେଟରୁ ଏକ ଏନଭଲପ ମିଳିଛି । ସେଥିରେ ଗୋବିନ୍ଦ କିଛି ଲେଖିଥାଇପାରନ୍ତି । ତେବେ ସେ କଣ ଲେଖିଛନ୍ତି ତା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ସୂଚନାଯୋଗ୍ୟ, ଗତକାଲି ବହୁଚର୍ଚ୍ଚିତ ମମତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଖବର ଆସିଥିଲା । ପରେ ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚା ହେବା ସହ ରାଜନୈତିକ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଗୋବିନ୍ଦ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସିଧାସଳଖ ଅଭିଯୋଗ କରିଥିଲା ଯେ, ଏହା ପ୍ରମାଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର । ଏଥିସହ କଂଗ୍ରେସ ମଧ୍ୟ ସନ୍ଦେହ ରହିଛି ବୋଲି କହିଥିଲା । ଆତ୍ମହତ୍ୟା ଘଟଣା ପରେ ଗୋବିନ୍ଦଙ୍କ ପତ୍ନୀ ମଧ୍ୟ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଗୋବିନ୍ଦ ଆତ୍ମହତ୍ୟା କରିବା ପରି ବ୍ୟକ୍ତି ନୁହଁନ୍ତି । ତେଣୁ ଏହାକୁ ତଦନ୍ତ କରାଯାଉ । ପତ୍ନୀଙ୍କ ଏପରି ଅଭିଯୋଗ ରାଜ୍ୟ ରାଜନୀତିକୁ ଆହୁରୀ ସରଗରମ କରିଥିଲା ।
Published by:Soubhagya Mishra
First published: