News 18 Odia Digital
ଭୁବନେଶ୍ୱର; କୃଷକମାନଙ୍କ ଆୟବୃଦ୍ଧି ଏବଂ ଗ୍ରାମାଞ୍ଚଳର ନିମ୍ନ ଆୟକାରୀ ପରିବାର ଓ କୃଷି ଶ୍ରମିକମାନଙ୍କ ବିକାଶ ନିମନ୍ତେ ଓଡ଼ିଶା ସରକାର ଅନେକ ଗୁଡ଼ିଏ ଅଭିନବ ଓ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହିସବୁ କୃଷକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ସରକାରୀ ବିଭାଗ, ଅଂଶୀଦାର ସଂସ୍ଥା ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ପଲିସି ରାଉଣ୍ଡ ଟେବୁଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଲେ ଯେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଓ ଆନୁଷଙ୍ଗିକ କୃଷି ସହିତ ଜଡ଼ିତ ଥିବାରୁ କୃଷକମାନଙ୍କର ଆୟବୃଦ୍ଧି ଓ ବିକାଶ ନିମନ୍ତେ କୃଷିକ୍ଷେତ୍ରରେ ରୂପାନ୍ତରଣ ଆଣିବା ଆଜିର ଆବଶ୍ୟକତା । କୃଷିରେ ଉତ୍ପାଦନ ହାର ବୃଦ୍ଧି ଏବଂ ଚାଷକାର୍ଯ୍ୟର ଖର୍ଚ୍ଚ କମ କରାଯାଇ କୃଷକମାନଙ୍କ ଆୟବୃଦ୍ଧି କରାଯାଇପାରିବ । ରାଜ୍ୟ ସରକାର ବିହନ, ସାର, କୀଟନାଶକ, ଫସଲ ଋଣ ଯୋଗାଣରେ ବ୍ୟାପକ ରିହାତି ପ୍ରଦାନ କରୁଛନ୍ତି । କୃଷିଜାତ ଦ୍ରବ୍ୟ ଯେପରି ଉଚିତ ଦରରେ ବିକ୍ରୟ ହୋଇପାରିବ ସେଥି ନିମନ୍ତେ କୃଷି ବିପଣନରେ ଉନ୍ନତି ଆଣିଛନ୍ତି । ନିୟମିତ ଫସଲ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ବିଗତ ବର୍ଷଗୁଡ଼ିକରେ ଜଳବାୟୁରେ ପରିବର୍ତ୍ତନ, ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏହା ଦ୍ୱାରା ରାଜ୍ୟର କୃଷକମାନେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାବେଳେ ଜଳବାୟୁ ସହନଶୀଳ କୃଷିକାର୍ଯ୍ୟ ଏବଂ ଫସଲରେ ବିବିଧିକରଣ କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ଉଲ୍ଲେଖନୀୟ ଧାନ ଉତ୍ପାଦନ ହୋଇ ରାଜ୍ୟ ଏକ ବଳକା ରାଜ୍ୟ ହୋଇପାରିଥିବାବେଳେ ଅଧିକ ଅର୍ଥକରୀ ଫସଲ ଉତ୍ପାଦନ କୃଷକମାନଙ୍କ ଆୟବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ରାଜ୍ୟର କୃଷକମାନଙ୍କ ଏହି ବୃହତ ଅଂଶ କ୍ଷୁଦ୍ରଚାଷୀ ହୋଇଥିବାବେଳେ କୃଷି ସହିତ ଆନୁଷଙ୍ଗିକ କୃଷି, ଗୋପାଳନ, କୁକୁଡ଼ା ଚାଷ, ମତ୍ସ୍ୟଚାଷ ଦ୍ୱାରା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର କୃଷକମାନଙ୍କ ବିକାଶ ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟକରୁଥିବା ବିଭିନ୍ନ ସଂସ୍ଥାମାନଙ୍କର ପ୍ରଚେଷ୍ଟାରେ ସମନ୍ୱୟ ଆଣି ରାଜ୍ୟ ସରକାରଙ୍କ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ଦିଗରେ ଏହି ପଲିସି ରାଉଣ୍ଡ ଟେବୁଲ୍ ସମର୍ଥ ହୋଇପାରିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ମତବ୍ୟକ୍ତ କରିଥିଲେ ।
ବୈଠକରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ସହିତ ଉତ୍ପାଦିତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିପାରିଲେ ଚାଷୀମାନଙ୍କ ଆୟରେ ବୃଦ୍ଧି ଆଣିହେବ । କ୍ଲଷ୍ଟର ପଦ୍ଧତିରେ କୃଷିକାର୍ଯ୍ୟ ସହିତ ଜଳବାୟୁ ସହନଶୀଳ କୃଷିକାର୍ଯ୍ୟ ଉପରେ ଶ୍ରୀ ଚୋପ୍ରା ଗୁରୁତ୍ୱାରୋପ କରିଥିଲେ ।ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ କୃଷିରେ ରୂପାନ୍ତରଣ ଦିଗରେ ଜଳର ପ୍ରମୁଖ ଭୂମିକା ରହିଛି । ବର୍ଷାର ଅନିୟମିତତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁନ୍ଦା ଜଳର ସଦୁପଯୋଗ କରିବାକୁ ପଡ଼ିବ । ଉପଲବ୍ଧ ଜଳଉତ୍ସକୁ କୃଷକଙ୍କ ଚାଷଜମିକୁ ପହଞ୍ଚାଇବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ପାଣି ପଞ୍ଚାୟତ ଏବଂ ମେଗା ଉଠା ଜଳସେଚନ ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ଜଳସେଚନର ସୁବିଧା ଯୋଗାଇ ଦିଆଯାଇଛି । ଅଣୁ ଜଳସେଚନ ଓ ରିମୋଟ ସେନ୍ସିଂକୁ ଗୁରୁତ୍ୱ ଦିଆଯାଉଛି ବୋଲି ଅନୁ ଗର୍ଗ କହିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ କହିବାନୁଯାୟୀ, କୃଷକଙ୍କ ଆୟବୃଦ୍ଧି ନିମନ୍ତେ କୃଷି ଓ ଆନୁଷଙ୍ଗିକ ବିଭାଗ ସହିତ ସଂଯୋଜନର ଆବଶ୍ୟକତା ରହିଛି । ଓଡ଼ିଶା ମିଲେଟ୍ ମିଶନର ସଫଳତାକୁ ଆଧାର କରି ଅନ୍ୟ ମିଶନ ଗୁଡ଼ିକୁ କ୍ରିୟାଶୀଳ କରାଯାଇଛି । ଦୀର୍ଘମିଆଦୀ ସହଭାଗିତା ଭିତ୍ତିରେ ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ପରିବାରର ଆର୍ଥିକ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ଅନ୍ତରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥା ସହିତ ଓଡ଼ିଶା ସରକାର ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ବୋଲି ଡ. ପାଢ଼ୀ କହିଥିଲେ । ଅନ୍ତରାଷ୍ଟ୍ରୀୟ ଖାଦ୍ୟନୀତି ଗବେଷଣା ସଂସ୍ଥା ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଡ. ସାହିଦୂର ରସିଦ୍ ତାଙ୍କ ବକ୍ତବ୍ୟରେ କହିଲେ ଯେ ୧୯୬୦ ମସିହା ପରଠାରୁ ଭାରତରେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ୧୯୬୦ ପରଠାରୁ ଓଡ଼ିଶାରେ କୃଷିରେ ଉନ୍ନତି ଘଟିଛି । ମାତ୍ର ୨୦୦୦ ମସିହାରୁ ଓଡ଼ିଶାର କୃଷି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଭାରତ ବର୍ତ୍ତମାନ ଚାଉଳ ରପ୍ତାନୀକାରୀ ଦେଶ ହୋଇପାରିଛି । ଅଧିକ ପୁଞ୍ଜିନିବେଶ କରି କୃଷିକ୍ଷେତ୍ରରେ ରୂପାନ୍ତରଣ ଅଣାଯିବା ଉପରେ ଡ. ରସିଦ୍ ଗୁରୁତ୍ୱାରୋପ କରିଥିଲେ । ଉଦ୍ଘାଟନୀ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପୂର୍ଣ୍ଣାଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା । ଏଠାରେ କୃଷି ଖାଦ୍ୟ ରୂପାନ୍ତରଣ ଏବଂ କୃଷକ ଆୟ ଦ୍ୱିଗୁଣିତ କରିବାର ବିଭିନ୍ନ ଦିଗ ସଂପର୍କରେ ବିଶେଷଜ୍ଞମାନେ ମତ ରଖିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।