News18 Odia Digital
ଭୁବନେଶ୍ବର: ରାଜ୍ୟରେ ଇ-ଯାନ ବା ବ୍ୟାଟେରି ଚାଳିତ ଗାଡ଼ିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବ୍ୟାଟେରି ସ୍ୱାପିଂ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେବେ। ବିଶେଷ କରି ବ୍ୟାଟେରି ଚାଳିତ ଗାଡ଼ି ପ୍ରତି ଲୋକଙ୍କୁ ଆଗ୍ରହୀ କରାଇବା ଲକ୍ଷ୍ୟରେ ଏହି ଗାଡ଼ି କ୍ରୟ ଉପରେ ବିଶେଷ ରିହାତି ପ୍ରଦାନ ପାଇଁ ଉଦ୍ୟମ କରାଯିବ। କେନ୍ଦ୍ରୀୟ ବଜେଟରେ ବ୍ୟାଟେରି ସ୍ୱାପିଂ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିବାରୁ ଏହାକୁ ଧୀରେ ଧୀରେ ଲୋକ ଗ୍ରହଣୀୟତା କରିବା ପାଇଁ ଉଦ୍ୟମ କରାଯାଉଥିବା କୁହାଯାଇଛି।
ଜନସଂଖ୍ୟା ବୃଦ୍ଧି ପାଇବା ସହିତ ଲୋକଙ୍କ ଆବଶ୍ୟକତା କାରଣରୁ ଯାନବାହାନ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ବର୍ଷ ତଳୁ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ବ୍ୟାଟେରି ଚାଳିତ ଗାଡ଼ିର ଅଧିକରୁ ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।
ନିକଟରେ ଆଗତ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟରେ ମଧ୍ୟ ଏହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବ୍ୟାଟେରି ଚାଳିତ ଗାଡ଼ିଗୁଡ଼ିକ ପାଇଁ ବ୍ୟାଟେରି ସ୍ୱାପିଂ ବା ରାସ୍ତାକଡ଼ର ବିଭିନ୍ନ ପଏଣ୍ଟରେ ବିକଳ୍ପ ବ୍ୟାଟେରି ହବ୍ ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ‘‘ଏ ମାମଲାରେ ପୂର୍ବରୁ କେନ୍ଦ୍ର ପରିବହନ ବିଭାଗକୁ ରାଜ୍ୟ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହାଦ୍ୱାରା ନିଶ୍ଚିତ ଭାବରେ ପ୍ରଦୂଷଣ କମିବ। ତେବେ ଏଥିପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ତିଆରି କରିବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଏଭଳି ବିକଳ୍ପ ଉତ୍ସଦ୍ୱାରା ପରିଚାଳିତ ଗାଡ଼ି ମୋଟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର।’’
ରାଜ୍ୟ ପରିବହନ ବିଭାଗର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରୋଡ଼ ସେଫଟି ସୋସାଇଟିର ସଦସ୍ୟ। ସୂଚନା ଅନୁସାରେ, ରାଜ୍ୟରେ ଏବେ ପଞ୍ଜିକୃତ ଗାଡ଼ି ସଂଖ୍ୟା ପ୍ରାୟ ଦୁଇ କୋଟିରୁ ଅଧିକ। କେବଳ ଭୁବନେଶ୍ୱରରେ ପଞ୍ଜିକୃତ ଗାଡ଼ି ସଂଖ୍ୟା ୧୫ ଲକ୍ଷ ଟପିବାକୁ ବସିଛି। ଯାନବାହାନ ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଖଣିଖାଦାନ ସହିତ ଯାନବାହନରୁ ନିର୍ଗତ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଆଗକୁ କିଛି ବର୍ଷ ଭିତରେ ଏହି ସ୍ଥିତି ଜଟିଳ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏବେ ବିକଳ୍ପ ଉତ୍ସ ଭାବେ ଇ-ଯାନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯାଉଛି।
ରୋଡ଼ ସେଫଟି ସୋସାଇଟିର ବରିଷ୍ଠ ସଦସ୍ୟ ପ୍ରକାଶ ମହାପାତ୍ର କହିଛନ୍ତି, ‘‘ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଅଧିକ ସମୟ ଦରକାର। ତେଣୁ ଏନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହେବାର ଆବଶ୍ୟକତା ରହିଛି । ଏକ୍ସପର୍ଟଙ୍କ ମତ କହୁଛି ବ୍ୟାଟେରି ଚାଳିତ ଗାଡ଼ି ପାଇଁ ଉଦ୍ୟମ ଆରମ୍ଭ କ୍ଷେତ୍ରରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। କାରଣ ଓଡ଼ିଶାରେ ଇ-ଯାନ ଉପରୁ ପଞ୍ଜିକରଣ ଦେୟ ଛାଡ଼ କରାଯାଇଛି। ତେବେ ଏହାକୁ ଅଧିକ ଲୋକାଭମୁଖୀ କରିବା ପାଇଁ ପ୍ରଥମେ ରାସ୍ତାକଡ଼ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ବିକଳ୍ପ ବ୍ୟାଟରି ହବ୍ ତିଆରି କରାଯିବା ଦରକାର। ଲୋକ ଏଥିରେ ଅଭ୍ୟସ୍ତ ହେବା ପରେ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରତି ଲୋକଙ୍କ ଆଦର ବଢ଼ିବ।
ପ୍ରକାଶ ଥାଉକି ବ୍ୟାଟେରି ସ୍ବାପିଂର ଅର୍ଥ ହେଉଛି ବ୍ୟାଟେରି ବଦଳାଇବା। ଏହି ବ୍ୟବସ୍ଥା ଇ-ଗାଡ଼ିର ଚାର୍ଜ ଶେଷ ହେବାକୁ ଯାଉଥିବା ବ୍ୟାଟେରିକୁ ସ୍ବାପିଂ ଷ୍ଟେସନରେ ବଦଳାଇ ଏକ ପୂର୍ଣ୍ଣ ଚାର୍ଜ ହୋଇଥିବା ବ୍ୟାଟେରି ନିଆଯାଏ। ଏହା ଦ୍ବାରା ଚାର୍ଜିଂ ଷ୍ଟେସନ ସ୍ଥାପନକୁ ନେଇ ରହିଥିବା ଆହ୍ବାନଗୁଡ଼ିକୁ ଦୂର କରାଯାଇପାରିବ। ଇ-ଗାଡ଼ି ମାଲିକମାନଙ୍କୁ ନିଜ ଗାଡ଼ି ଚାର୍ଜ କରିବା ଲାଗି ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଲିଜ୍ ସୂତ୍ରରେ ବ୍ୟାଟେରି ମିଳିଲେ ଗାଡ଼ି ମାଲିକଙ୍କ ନୂଆ ବ୍ୟାଟେରି କିଣିବା ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରିବ। ଚାର୍ଜିଂ ଷ୍ଟେସନ୍ରେ ଗାଡ଼ିକୁ ଘଣ୍ଟା ଘଣ୍ଟା ଚାର୍ଜ କରି ଅପେକ୍ଷା କରିବା ବଦଳରେ ସ୍ବାପିଂ ଷ୍ଟେସନରେ ମାତ୍ର କିଛି ମିନିଟ୍ରେ ଗାଡ଼ିର ବ୍ୟାଟେରିକୁ ବଦଳାଇ ଏକ ପୂର୍ଣ୍ଣ ଚାର୍ଜ ଥିବା ବ୍ୟାଟେରି ନେଇ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।