ଗୋଷାଣୀ ପୂଜା ଆରମ୍ଭ; ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପୀଠରେ ଚାଲିଛି ଷୋଳପୂଜା

ଶାରଦୀୟ ଦୁର୍ଗାପୂଜାରେ ମାଆଙ୍କୁ ଆବାହନ କରାଯାଉଛି । ଶ୍ରୀକ୍ଷେତ୍ରରେ ତ୍ରିଦିନାତ୍ମକ ଗୋଷାଣୀ ପୂଜାର ପରମ୍ପରା ରହିଛି । ଶ୍ରୀମନ୍ଦିର ନିର୍ମାଣ ବେଳରୁ ଏଠାରେ ଗୋଷାଣୀ ପୁଜାର ପରମ୍ପରା ରହିଆସିଛି ବୋଲି ପୌରାଣିକ ତଥ୍ୟ ରହିଛି ।

ଗୋଷାଣୀ ପୂଜା ଆରମ୍ଭ; ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପୀଠରେ ଚାଲିଛି ଷୋଳପୂଜା

ଗୋଷାଣୀ ପୂଜା ଆରମ୍ଭ; ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପୀଠରେ ଚାଲିଛି ଷୋଳପୂଜା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ; ପାର୍ବଣ ଋତୁରେ ଚାଲିଛି ମାଆଙ୍କ ଆବାହନ। ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପୀଠମାନଙ୍କରେ ପାଳିତ ହେଉଛି ମହାଅଷ୍ଟମୀ । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପୀଠରେ ଚାଲିଛି ଷୋଳପୂଜା । ଆଶ୍ୱିନ ମାସରେ ସବୁଆଡେ ଜଗତଜନନୀ ମାଆ ଦୁର୍ଗାଙ୍କର ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ସପ୍ତମୀ ତିଥିରୁ ଗୋଷାଣୀ ପୂଜା ଆରମ୍ଭ ହୋଇଛି।



ଆଜି ସମସ୍ତ ପୀଠରେ ଶ୍ରୀମନ୍ଦିର ଆଧାରରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ର ଭଳି ଭିନ୍ନ ଏହି ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ । ବିଶେଷକରି ମାଆ ବିମଳାଙ୍କ ସ୍ୱରୁପଭାବେ ଶ୍ରୀମନ୍ଦିରର ଅଗ୍ନିକୋଣଠାରେ ମାଆ କାକୁଡିଖାଇଙ୍କ ପୂଜାର୍ଚ୍ଚନା କରାଯାଉଛି । ସେପଟେ ମହିଳାମାନେ ପୀଠମାନଙ୍କରେ ମାଆଙ୍କୁ ଦର୍ଶନ କରି ଆଜି ଅଷ୍ଟମୀ ବ୍ରତ ରଖିଥାନ୍ତି ।
" ପାର୍ବଣରେ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୀଠରୁ ପୂଜା ମଣ୍ଡପ ସବୁଠି ଚାଲିଛି ମାଆଙ୍କ ଆରାଧନା । ମହାପ୍ରଭୁଙ୍କ ଦର୍ଶନ ସହ ପୀଠରେ ଅଷ୍ଟମୀରେ ଗୋଷାଣୀଙ୍କ ଦର୍ଶନ ପାଇଁ ବେଶ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଆଜି ଶ୍ରୀକ୍ଷେତ୍ରରେ ପୀଠେ ମହାଅଷ୍ଟମୀ ନୀତି କରାଯାଉଥିବା ବେଳେ ମଣ୍ଡପ ମାନଙ୍କରେ ଚାଲିଛି ସପ୍ତମୀ ପୂଜା ।



ସବୁଆଡେ ଜଗତଜନନୀ ମାଆ ଦୁର୍ଗାଙ୍କର ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ସପ୍ତମୀ ତିଥିରୁ ଗୋଷାଣୀ ପୂଜା । ସାଧାରଣତଃ ଆଶ୍ୱିନ ମାସର ସପ୍ତମୀଠାରୁ ଗୋଷାଣୀ ପୂଜାର୍ଚ୍ଚନାର ପରମ୍ପରା ରହିଆସିଥିବା କହିଛନ୍ତି କାକୁଡିଖାଇ ପୂଜା କମିଟିର କର୍ମକର୍ତ୍ତା । ନିର୍ଦିଷ୍ଟ ପରମ୍ପରାର ଅବଲମ୍ବନରେ ମାଆଙ୍କର ପୂଜାର୍ଚ୍ଚନା କରାଯାଏ । ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗିପାଟ ଓ ପ୍ରସାଦ ଆସିବା ପରେ ପୀଠରେ ଦେବୀ ପୂଜା ଆରମ୍ଭ କରାଯାଇଛି । ସପ୍ତମୀରେ ଖଡ୍ଗ ପୂଜା ଓ ଅଷ୍ଟମୀରେ ଉଗ୍ରବଳୀ । ମାଆଙ୍କର ନାମ ଦୃଷ୍ଟିରୁ କାକୁଡି ଓ କୁଷ୍ନାଣ୍ଡ ବଳି ଦେବାର ପରମ୍ପରା ମଧ୍ୟ ରହିଛି । ପରମ୍ପରା ଅନୁଯାୟୀ ମାଆ ବିମଳାଙ୍କୁ ଏହି ଷୋଳପୂଜା ସମୟରେ ନାରାୟଣୀ , ହରଚଣ୍ଡୀ , ବନଦୁର୍ଗା , ବଗଳା , ଭୁବନେଶ୍ୱରୀ , ଉଗ୍ରତାରା , ସିଂହବାହିନୀ , ଓ ଦଶଭୁଜା ପ୍ରଭୃତି ବେଶ କରାଯାଇଥାଏ । ପ୍ରତ୍ୟେକ ବର୍ଷ ମହାସପ୍ତମୀ , ମହାଷ୍ଟମୀ ଓ ମହାନବମୀରେ ନିଷାର୍ଧ ପ୍ରହରରେ ମାଆଙ୍କୁ ମାଜଣା , ବେଶ , ଓ ପଶୁବଳି ଦିଆଯିବାର ପରମ୍ପରା ରହିଛି । ଏହି ସମୟରେ ମାଆ ବିମଳାଙ୍କୁ ଦର୍ଶନ କଲେ ସମସ୍ତ ମନଷ୍କାମନା ପୁରଣ ହୋଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ତେବେ ସପ୍ତମୀ ତିଥିରୁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ଗୁପ୍ତ ପୂଜାର ପରମ୍ପରା ରହିଥିବାରୁ ମାଆଙ୍କର ସ୍ୱରୂପ ଭାବେ ଶ୍ରୀମନ୍ଦିର ବାହାରେ ଥିବା ମାଆ କାକୁଡିଖାଇଙ୍କୁ ଭକ୍ତମାନେ ଦର୍ଶନ କରି ସେହି ପୂଣ୍ୟ ଲାଭ କରିପାରିବେ ବୋଲି କାକୁଡିଖାଇଙ୍କ ପୂଜକ କାଳୀଚରଣ ମିଶ୍ର କହିଛନ୍ତି ।

"ଗବେଷକମାନଙ୍କ ମତରେ ଗୋସ୍ୱାମୀନି ବା ଗୋସାମଣୀ ଶଦ୍ଦରୁ ଗୋଷାଣୀର ସୃଷ୍ଟି । ଦ୍ୱାଦଶ ଶତାଦ୍ଦୀରେ ଗଙ୍ଗ ରାଜାମାନେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିର୍ମାଣ କରିବା ସମୟରେ ଦେଉଳ ସୁରକ୍ଷା ପାଇଁ ଚତୁଃପାର୍ଶ୍ୱରେ ସାତସାହି ଆଖଡା , ଯାଗା, କୋଟ, ଗଡ ଓ ଗୁରୁଜ ଆଦି ପ୍ରତିଷ୍ଠା କରି ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ । ଏହି ଯାଗା ଆଖଡା ମାନଙ୍କରେ ହିଁ ଶାରଦୀୟ ଗୋଷାଣୀ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରର ଦେବୀ ମାଆ ବିମଳାଙ୍କ ସ୍ୱରୁପିଣୀ ଭାବେ ମନ୍ଦିରର ଅଗ୍ନିକୋଣରେ ଥିବା ମାଆ କାକୁଡିଖାଇଙ୍କୁ ମଧ୍ୟ ତ୍ରିଦିନାତ୍ମକ ପୂଜା କରାଯାଉଛି । ମାଆ କାକୁଡିଖାଇଙ୍କୁ ଶ୍ରୀକ୍ଷେତ୍ରରେ ଗୋଷାଣୀ ସମୁହର ମାଆ ଆଖ୍ୟା ଦିଆଯାଇଛି । ବାରବାଟୀଙ୍କୁ ବଡ ଭଉଣୀର ମାନ୍ୟତା ଓ ଜହ୍ନିଖାଇଙ୍କୁ ମଧ୍ୟ ଆଉ ଏକ ଭଉଣୀର ମାନ୍ୟତା ପୂର୍ବରୁ ରହିଆସିଛି । ତେବେ ପ୍ରାୟ ୧୨ ହାତ ଉଚ୍ଚତା ବିଶିଷ୍ଟ ବାରବାଟୀ ଗୋଷାଣୀଙ୍କ ମୃଣୟୀପ୍ରତିମା ସମସ୍ତ ମୁର୍ତ୍ତୀ ମଧ୍ୟରେ ଉଚ୍ଚତମ । ସାଧାରଣତଃ ଆଶ୍ୱିନ ମାସର ସପ୍ତମୀଠାରୁ ଗୋଷାଣୀ ପୁଜାର୍ଚ୍ଚନାର ପରମ୍ପରା ରହିଆସିଛି । ସେପଟେ ଦଶମୀ ତିଥିରେ କାକୁଡିଖାଇଙ୍କର ବିସର୍ଜନର ବିଧି ରହିଥିବା ବେଳେ ଏକାଦଶୀ ଦିନ ଅନ୍ୟ ସମସ୍ତ ଗୋଷାଣୀଙ୍କ ଭସାଣି ଉତ୍ସବ ହେବାର ପରମ୍ପରା ରହିଛି ବୋଲି କହିଛନ୍ତି ଗବେଷକ ତଥା ବରିଷ୍ଠ ସେବାୟତ ଡ଼ଃ ଶରତ ଚନ୍ଦ୍ର ମହାନ୍ତି"।

ସବୁଆଡେ ଜଗଦଜନନୀ ଶକ୍ତି ମାଆ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବଙ୍କ ଉପାସନା କରାଯାଉଛି । ଯାହାକୁ ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା କୁହାଯାଉଛି । ସେପଟେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାରେ ଶକ୍ତି ରୂପରେ ନାଗା , ବୁଢ଼ାବୁଢ଼ୀ , ସଂପାତି ଚଢେଇ ଆଦି ବିଭିନ୍ନ ପ୍ରକାର ଶକ୍ତିଙ୍କୁ ଆବାହନ କରାଯାଉଛି ।
Published by:Soubhagya Mishra
First published: