News18 Odia Digital
ବ୍ରହ୍ମପୁର: ମନ ମୋହୁଛି ବିଜୁ ଆଡ଼ଭେନଚର ପାର୍କ । ଗୋପାଳପୁରରେ ପ୍ରଥମ ଥର ନିମନ୍ତେ ଖୋଲିଛି ଏହି ଆଡ଼ଭେନଚର ପାର୍କ । ଯାହାକି ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି । ଏହି ପାର୍କରେ ରହିଛି ଅନେକ ଦୁସାହାସିକ ଖେଳ ସାମଗ୍ରୀ । ଗତ ୧୨ ତାରିଖରେ ଏହି ପାର୍କଟି ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଥିବା ବେଳେ ବର୍ତ୍ତମାନ ସକାଳ ଓ ସନ୍ଧ୍ୟା ସମୟରେ ଜମୁଛି ଭିଡ଼ । ସମୁଦ୍ର ବେଳାଭୂମି ବୁଲିବା ସହିତ ପାର୍କରେ ପହଞ୍ଚି ବିଭିନ୍ନ ଦୁଃସାହାସିକ ଖେଳରେ ଭାଗ ନେଇ ମଜା ଉଠାଉଛନ୍ତି ପର୍ଯ୍ୟଟକ ।
ଓଡ଼ିଶାରେ ପ୍ରଥମ ଥର ନିମନ୍ତେ ଗୋପାଳପୁରରେ ଆରମ୍ଭ ହୋଇଛି ବିଜୁ ଆଡ଼ଭନଚର ପାର୍କ । ଏହି ପାର୍କରେ ଅନ୍ୟ ରାଜ୍ୟରେ ରହିଥିବା ଆଡ଼ଭନଚର ପାର୍କ ଭଳି ରହିଛି ଅନେକ ଦୁଃସାହାସିକ ଖେଳ ସାମଗ୍ରୀ । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍ଘାଟନ କରିଥିଲେ । ଏହି ପାର୍କରେ ରହିଛି ଜିପ୍ ଲାଇନ, କ୍ରିକେଟ, ଏୟାରଗନ୍, ବୋଫାଲୋ ରାଇଡ଼ିଂ, ଡ଼ନ୍ଲପ୍ ଜମ୍ପି, ଜଏଣ୍ଟ ସୁଇଙ୍ଗ । ମହରାଷ୍ଟ୍ରର ଏକ ସଂସ୍ଥା ଏହି ପାର୍କର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଗୋପାଳପୁର ଏନଏସି ଓ ଉକ୍ତ ସଂସ୍ଥାର ମିଳିତ ପ୍ରୟାସରେ ଏହି ପାର୍କ ପରିଚାଳିତ ହେଉଛି ।

‘‘ଗତ କିଛି ଦିନ ପୂର୍ବରୁ ଏହି ପାର୍କର ଉଦ୍ଘାଟନ ହୋଇଥିବା ବେଳେ ବର୍ତ୍ତମାନ ପାର୍କରେ ପର୍ଯ୍ୟଟକ ମାନଙ୍କର ଭିଡ଼ ଜମୁଛି । ପର୍ଯ୍ଯଟକମାନେ କିଭଳି ଭାବେ ପାର୍କରେ ବୁଲିବା ସହିତ ସବୁ ଦୁଃସାହାସିକ ଖେଳ ସାମଗ୍ରୀ ମଜା ଉଠାଇପାରିବେ ସେ ନେଇ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପାର୍କରେ ଆହୁରି ଅଧିକ ଦୁଃସାହାସିକ ଖେଳ ସାମଗ୍ରୀକୁ ମଧ୍ୟ ସ୍ଥାନିତ କରାଯିବା ନେଇ ଯୋଜନା ରହିଛି । ତେଣୁ ଏହି ପାର୍କ ଆଗାମୀ ଦିନରେ ଗୋପାଳପୁରକୁ ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ମାନ ବୃଦ୍ଧି ନିମନ୍ତେ ସହାୟକ ହୋଇପାରିବ," କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ।
‘‘ପୂର୍ବରୁ କେବଳ ଗୋପାଳପୁରକୁ ଆସି ସମୁଦ୍ର ବେଳାଭୂମିରେ କିଛି ସମୟ ଅତିବାହିତ କରି ଚାଲିଯାଉଥିଲୁ। କିନ୍ତୁ ଏହି ଆଡ଼ଭେନଚର ପାର୍କ ହେବା ଫଳରେ ଏଠାରେ ଅଧିକ ସମୟ ବିତାଇବାକୁ ଭଲ ଲାଗୁଛି,‘‘ କହିଛନ୍ତି ପର୍ଯ୍ୟଟକ ଇତିଶ୍ରୀ ହୋତା ।

‘‘ବିଶେଷ କରି ପାର୍କରେ ରହିଥିବା ନଦୀ ଉପରେ ଯାଉଥିବା ଜିପ୍ ଲାଇନ ଓ ସମୁଦ୍ର ପାର୍ଶ୍ବରେ ରହିଥିବା ୪୦ ଫୁଟ ଉଚ୍ଚତାର ଏକ ଜଏଣ୍ଟ ସୁଇଙ୍ଗ ଅଧିକ ଆକର୍ଷଣୀୟ ରହିଛି । ଯାହାକି ସବୁଠାରୁ ମଜା ଲାଗିବା ସହିତ ଦୁଃସାହାସିକ ରହିଛି । ଗୋପାଳପୁରରେ ଏହି ପାର୍କରେ ବୁଲିବା ସହିତ ବିଭିନ୍ନ ଦୁଃସାହାସିକ ଖେଳରେ ସାମିଲ ହୋଇ ବେଶ ମଜା ଉଠାଇଛୁ,"କହିଛନ୍ତି ପର୍ଯ୍ୟଟକ ସାନଭି ।
ବିଜୁ ଆଡ଼ଭେନଚର ପାର୍କ ହେବା ପରେ ଗୋପାଳପୁରରେ ଏବେ ପ୍ରତିଦିନ ପୂର୍ବ ଅପେକ୍ଷା ପର୍ଯ୍ୟଟକଙ୍କ ଅଧିକ ଭିଡ଼ ଜମୁଛି । ଯାହାଫଳରେ ଗୋପାଳପୁରକୁ ଆହୁରି ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।