News 18 Odia Digital
ବ୍ରହ୍ମପୁର; ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଚଳିତ ବର୍ଷ ଆୟୋଜିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଶନିବାର ସନ୍ଧ୍ୟାରେ ଗୋପାଳପୁର ମହୋତ୍ସବକୁ ଭିଡ଼ିଓ କନଫିରେନ୍ସ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ମହୋତ୍ସବକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ‘‘୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ । ଶାନ୍ତ ସମୁଦ୍ର ବେଳାଭୂମି ପାଇଁ ଇକୋ ଟୁରିଜମ୍ କ୍ଷେତ୍ରରେ ଗୋପାଳପୁରର ସ୍ବତନ୍ତ୍ର ସ୍ଥାନ ରହିଛି । ଏଭଳି ଉତ୍ସବ ଆୟୋଜନ ହେବା ଦ୍ୱାରା କେବଳ ଯେ ପର୍ଯ୍ୟଟକ ମାନେ ଗୋପାଳପୁରକୁ ଆସୁଛନ୍ତି ତାହା ନୁହେଁ ବରଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇପାରୁଛି ବୋଲି କହିଛନ୍ତି,‘‘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ବେଳାଭୂମି ମହୋତ୍ସବ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରରୁ ମଧ୍ୟ ଅନେକ ଲୋକେ ଏଠାକୁ ଆସିଛନ୍ତି । କଳା ସଂସ୍କୃତିର ମାଟିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ଏହି ମହୋତ୍ସବ ବେଶ ସହାୟକ ହୋଇପାରିବ ବୋଲି ଅତିଥିମାନେ କହିଥିଲେ ।

ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ସନ୍ଧ୍ୟା ବେଶ ଆକର୍ଷଣୀୟ ରହିଥିଲା । ମହୋତ୍ସବର ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟ, ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଯୋଡ଼ି ଶଙ୍ଖ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ନୃତ୍ୟ ଢ଼େମସା, ପୁରୀର ବନାତୀ ମେଢ଼ ନାଚ ସହ କୋଲିକତାର କଥକଲ୍ଲି ନୃତ୍ୟ ପରିବେଷଣ ହୋଇଥିଲା । ସୁଦୂର କଲିକତାରୁ ଆସି ଗୋପାଳପୁର ବେଳାଭୂମିରେ ମହୋତ୍ସବରେ କଥକଲ୍ଲି ନୃତ୍ୟ ପରିବେଷଣ କରିବା ସହିତ ଦର୍ଶକ ମାନଙ୍କ ଗ୍ରହଣୀୟ ଅତ୍ୟନ୍ତ ଉଚ୍ଚକୋଟିର ରହିଥିଲା । ଯାହାଫଳରେ ନୃତ୍ୟ ପରିବେଶଣ କରି ଖୁସି ପ୍ରକାଶ କରିଛନ୍ତି କଲିକତାରୁ ଆସିଥିବା କଳାକାର ।
ସେହିଭଳି ଦୁଇ ବର୍ଷ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ ହୋଇପାରୁନଥିବା ଯୋଗୁଁ କଳାକାର ମାନେ ନିଜର ଅନ୍ତନିହିତ କଳାକୁ ପ୍ରଦର୍ଶନ କରିବା ନିମନ୍ତେ ମଞ୍ଚ ପାଉନଥିଲେ । ଦୁଇ ବର୍ଷର ବ୍ୟବଧାନ ପରେ ମଞ୍ଚରେ ପରିବେଷଣ କରି କଳା ସଂସ୍କୃତିକୁ ଆଗକୁ ନେବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ସ୍ଥାନୀୟ କଳାକାର । ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ମଜା ମଜା କଥାରେ ମଜ୍ଜି ଯାଇଥିଲେ ଦର୍ଶକ । ପ୍ରଥମ ସନ୍ଧ୍ୟାର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲେ ସମ୍ବଲପୁର କଣ୍ଠଶିଳ୍ପୀ ମଣ୍ଟୁ ଛୁରୀୟା, କଣ୍ଠଶିଳ୍ପୀ ଦୀପ୍ତିରେଖା, କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଓ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ । ମଣ୍ଟ ଛୁରୀୟା ନିଜର ପ୍ରସିଦ୍ଧ ଲାଭ କରିଥିବା ଗୀତ ସମ୍ବଲପୁରୀୟା ବାବୁ, ଲାଲଗୁଲାବି ଲାଲଗୁଲାବି ମସ୍ତ ଦିଶୁଛୁ ଭଳି ଅନେକ ସୁପରହିଟ୍ ଗୀତ ଗାଇଥିଲେ । ସେହିପରି କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଅନନ୍ୟା ଶ୍ରୀତମ ନନ୍ଦ ମଧ୍ୟ ବହୁ ସୁନ୍ଦର ସୁନ୍ଦର ଗୀତ ଗାଇ ଦର୍ଶକ ମାନଙ୍କୁ ଝୁମାଇଥିଲେ ।
ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପିଡ଼ି ଡ଼ିଆରଡ଼ିଏ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଏସପି ଡ଼ା.ଶ୍ରବଣା ବିବେକ ଏମ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଗୋପାଳପୁର ଏନଏସି ଚେୟାରମ୍ୟାନ, ରଙ୍ଗେଲୁଣ୍ଡା ଏନଏସି ଚେୟାରମ୍ୟାନ ମଞ୍ଚ ଉପରେ ଉପସ୍ଥିତ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।