• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଉଦଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ; ଅନ୍ତିମ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀଙ୍କ ଜଲୱା

ଉଦଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ; ଅନ୍ତିମ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀଙ୍କ ଜଲୱା

ଉଦ୍‌ଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ । ଅନ୍ତିମ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀଙ୍କ ସୁପରହିଟ୍ ଗୀତରେ ନାଚିଲେ ଦର୍ଶକ ।

ଉଦଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ

ଉଦଯାପିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଉଦ୍‌ଯାପିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨ । ବୁଧବାର ଉଦଯାପନୀ ସନ୍ଧ୍ୟାରେ ନିଜର ଗୀତରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ ବଲିଉଡ଼ର କଣ୍ଠଶିଳ୍ପୀ ଜାଭେଦ୍‌ ଅଲ୍ଲୀ । ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ଗାଇ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ ଜାଭେଦ୍‌ । ପ୍ରଥମ ଥର ନିମନ୍ତେ ଜାଭେଦ୍‌ ଗୋପାଳପୁରକୁ ଆସି ଗୀତ ପରିବେଷଣ କରିଥିବା ବେଳେ ଅନ୍ତିମ ସନ୍ଧ୍ୟାରେ ଜାଭେଦଙ୍କୁ ଦେଖିବା ଓ ତାଙ୍କ ଲାଇଭ ଗୀତ ଶୁଣିବା ନିମନ୍ତେ ଶହ ଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଗୋପାଳପୁରରେ । ସେପଟେ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଶେଷ ଦିନ ହୋଇଥିବା ଯୋଗୁଁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବୃଦ୍ଧି କରାଯିବା ସହିତ କଡ଼ାକଡ଼ି କରାଯାଇଥିଲା  ।



ଶହ ଶହ ଦର୍ଶକମାନଙ୍କୁ ନିଜ ଗୀତରେ ଝୁମାଇଲେ ଓ ନଚାଇଲେ ବଲିଉଡ଼ର କଣ୍ଠଶିଳ୍ପୀ ଜାଭେଦ୍‌ ଅଲ୍ଲୀ । ପୁଷ୍ପା ସିନେମାର ନଜରେ ମିଲତେ ହି, ସମେତ ତୁ ମେରୀ ଅଧୁରୀ ପ୍ୟାସ ପ୍ୟାସ, କେହେନେ କୋ ଜସ୍‌ନେ ବାହାରେ ହେ, ବିନ୍‌ ତେରେ ସନମ ମର ମିଟେଙ୍ଗ ହମ୍‌, ଚାନ୍ଦ ଛୁପା ବାଦଲ୍‌ ମେ, ତୁ ଜୋ ମିଲା ହୋଗୟା ମେ କାବିଲ ଭଳି ଅନେକ ଲୋକପ୍ରିୟ ଗୋଟିଏ ପରେ ଗୋଟିଏ ଗୀତ ଗାଇଥିଲେ । ଯେହେତୁ ଗୋପାଳପୁର ଅଞ୍ଚଳରେ ଅନେକ ତେଲୁଗୁ ସମ୍ପ୍ରଦାୟର ଲୋକେ ରହୁଛନ୍ତି ତେଣୁ ତେଲୁଗୁ ଭାଷାରେ ମଧ୍ୟ ଏକ ଗୀତ ଗାଇଥିଲେ । ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଇ ଗୀତ ପରିବେଷଣ କରିଥିବା ଯୋଗୁଁ ବେଶ ଖୁସୀ ଥିବା କହିଥିଲେ,‘‘ ବଲିଉଡ଼ କଣ୍ଠଶିଳ୍ପୀ ଜାଭେଦ୍‌ ଅଲ୍ଲୀ । ଜାଭେଦ୍‌ଙ୍କ ପୂର୍ବରୁ ସ୍ଥାନୀୟ କଳାକାର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାହାର ରାଜ୍ୟରୁ ମଧ୍ୟ କଳାକାରମାନେ ମଞ୍ଚ ଉପରେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।



ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ‘‘ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ଦିଗରେ ଏହି ମହୋତ୍ସବ ବେଶ ଭଲ କାମ କରୁଛି । ଦୀର୍ଘ ୫ ଦିନ ଧରି ମହୋତ୍ସବ ଚାଲିଥିବା ବେଳେ ସଫଳତାର ସହ ଏହା ଶେଷ ହୋଇଛି । ଏହି ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ସହଯୋଗ ରହିଛି । ତେଣୁ ଏଭଳି ମହୋତ୍ସବ କେବଳ ଯେ କଳା ଓ ସଂସ୍କୃତିର ବିକାଶ ଦିଗରେ କାମ କରୁଛି ତାହା ନୁହେଁ ଅନେକ ଲୋକଙ୍କୁ ରୋଜଗାର ଦେଇଥିବା ବେଳେ ଅନେକଙ୍କୁ ମନୋରଞ୍ଜନ ମଧ୍ୟ ଯୋଗାଇ ଦେଇଛି ବୋଲି କହିଛନ୍ତି,‘‘ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ବାରା ବେଳାଭୂମି ମହୋତ୍ସବର ସ୍ମାରଣିକା ଶାମୁକା ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହାସହିତ ମହୋତ୍ସବର ଶେଷ ସମୟରେ ମଞ୍ଚରେ ପହଞ୍ଚିଥିଲା ବିଶ୍ବକପ ହକିର ଟ୍ରଫି । ଏହି ଟ୍ରଫିକୁ ମଞ୍ଚରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଯେହେତୁ ଓଡ଼ିଶା ଦ୍ବିତୀୟ ଥର ପାଇଁ ବିଶ୍ବକପ ହକି ଆୟୋଜନ କରିବାକୁ ଯାଉଛି ଏହାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତେ ଆଗେଇ ଆସିବା ଉଚିତ । ଏଥିସହ ଆହୁରି କିଭଳି ଭାବେ ଲୋକପ୍ରିୟ ହୋଇପାରିବ ସେ ନେଇ ସମସ୍ତେ ଚେଷ୍ଟିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅତିଥିମାନେ ।

ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ପଲ୍ଲିଶ୍ରୀ ମେଳା ବୁଲିବା ସହିତ ଗୀତ ଓ ନାଚ ଦେଖି ମହୋତ୍ସବର ମଜା ନେଇଥିଲେ ସମସ୍ତେ ।
Published by:Soubhagya Mishra
First published: