News18 Odia Digital
ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ କାହିଁକି ଗୁଳିମାଡ଼ କରି ହତ୍ୟା କରିଛନ୍ତି ଗୋପାଳକୃଷ୍ଣ ଦାସ ସେ ନେଇ କାରଣ ଖୋଜିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଯେଉଁଥିପାଇଁ ଚାରି ଦିନ ହେଲା କ୍ରାଇମବ୍ରାଞ୍ଚର ଚାରିଜଣିଆ ଟିମ ବ୍ରହ୍ମପୁରରେ ଡ଼େରା ପକାଇଛନ୍ତି । ଚାରି ଦିନ ମଧ୍ୟରେ ଗୋପାଳଙ୍କ ପରିବାର, ଗୋପାଳଙ୍କ ବଡ଼ ଭାଇ ଓ ତାଙ୍କ ପରିବାରକୁ ପଚରାଉଚୁରା କରିବା ପରେ ଗତକାଲି ତାଙ୍କ ଦୁଇ ବନ୍ଧୁ ଓ ତାଙ୍କ ପାଇଁ ଯେଉଁ ବସରେ ମେଡ଼ିସିନ୍ ଯାଉଥିଲା ସେହି ଡ଼୍ରାଇଭର ଓ କଣ୍ଡକ୍ଟରକୁ ପଚରାଉଚୁରା କରିଛି କ୍ରାଇମବ୍ରାଞ୍ଚ।
ବ୍ରହ୍ମପୁର ଓ ଜଳେଶ୍ବରର ପୁରରେ ଝାଳ ବୁହାଉଛି କ୍ରାଇମବ୍ରାଞ୍ଚ । ଜଣକ ପରେ ଜଣେ ଏଭଳି ପ୍ରାୟ ୧୫ରୁ ଅଧିକ ଲୋକଙ୍କୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କରିବା ଘଟଣାକୁ ନେଇ ପଚରାଉଚୁରା କରିସାରିଲାଣି କ୍ରାଇମବ୍ରାଞ୍ଚ । କିନ୍ତୁ କେତେ ସଫଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତଥାପି ମଧ୍ୟ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଗତ କାଲି କ୍ରାଇମବ୍ରାଞ୍ଚର ଏକ ଟିମ ବ୍ରହ୍ମପୁର ରାଜସ୍ବ ଡ଼ାକ ବଙ୍ଗଳାରେ ଗୋପାଳଙ୍କ ବନ୍ଧୁ ପ୍ରଦୀପ ବେହେରାଙ୍କୁ ପଚରାଉଚୁରା କରିଥିଲା ।
ସାମ୍ନାକୁ ଆସିବ ସତ! ପାଇଖାନା ଟାଙ୍କିରୁ ଜବତ ୨୨ ଖଣ୍ଡ କାଗଜ ଟୁକୁଡ଼ାକୁ ଚିହ୍ନିଲେ ଗୋପାଳ‘‘ଗୋପାଳଙ୍କ ସହ ତାଙ୍କ କେବେ ଠାରୁ ସମ୍ପର୍କ, ସେହି ସମୟରେ ତାଙ୍କର ମାନସିକ ଅବସ୍ଥା କିଭଳି ଥିଲା, ଲୋକଙ୍କ ସହ କିଭଳି ଆଚାର ବ୍ୟବହାର ଥିଲା ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ କ୍ରାଇମବ୍ରାଞ୍ଚର ଅଧିକାରୀ ମାନେ। ଗୋପାଳ ଜଣେ ଭଲ ଖେଳାଳୀ ରହିଥିବା ବେଳେ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯୁବ ବୟସରୁ ହିଁ ସେ ପୋଲିସ ଅଫିସର ହେବା ପାଇଁ ଆଶାବାଦୀ ଥିଲେ,‘‘ କହିଛନ୍ତି ଗୋପାଳଙ୍କ ବନ୍ଧୁ ପ୍ରଦୀପ ବେହେରା ।
କ୍ରାଇମବ୍ରାଞ୍ଚର ଆଉ ଏକ ଟିମ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ଯାଇ ସେଠାରେ ଥିବା ପୋଲିସ ଫାଣ୍ଡିରେ ୪ ଜଣ ଡ଼୍ରାଇଭର ଓ ୨ ଜଣ କଣ୍ଡକ୍ଟରଙ୍କୁ ମଧ୍ୟ ପଚରାଉଚୁରା କରିଛନ୍ତି । ବ୍ରହ୍ମପୁରରୁ ଝାରସୁଗୁଡ଼ାକୁ କେଉଁ ସବୁ ଔଷଧ ଯିବାର, ନିଜେ ଗୋପାଳ ବସ ଯୋଗେ ଝାରସୁଗୁଡ଼ା ଯାଇଛନ୍ତି କି ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ କ୍ରାଇମବ୍ରାଞ୍ଚ ଟିମ । ବ୍ରହ୍ମପୁରରୁ ପ୍ରତିଦିନ ଦୁଇଟି ବସ ସେହି ରାସ୍ତାରେ ଯାଉଥିବା ବେଳେ ଦୁଇରୁ ତିନି ଥର ଗୋପାଳ ବସ ଯୋଗେ ଝାରସୁଗୁଡ଼ା ଯାଇଥିବା ନେଇ କହିଥିଲେ ବସ ଡ଼୍ରାଇଭର ମାନେ । କିନ୍ତୁ ଗୋପାଳଙ୍କୁ କେଉଁ ପ୍ରକାରର ଔଷଧ ବସ ଦ୍ବାରା ନେଣଦେଣ ହେଉଥିଲେ ସେ ନେଇ କୌଣସି ସୂଚନା ନଥିବା କହିଛନ୍ତି ବସ ଡ଼୍ରାଇଭର ମାନେ ।
ପ୍ରଥମେ ପାଇଖାନା ଟାଙ୍କିରୁ; ଏବେ ଜବତ ଗାଡିରୁ ମିଳିଲା ଲାଲି କାଗଜ!ଗତ ଦୁଇ ଦିନ ଧରି କ୍ରାଇମବ୍ରାଞ୍ଚ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିବା ପରେ ପରିବାର ଲୋକେ ଆଉ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି । ନା ଗୋପାଳଙ୍କ ପରିବାର ନା ତାଙ୍କ ଭାଇ ସତ୍ୟ ନାରାୟଣଙ୍କ ପରିବାର ଲୋକେ କେହି ବି ମୁହଁ ଖୋଲୁନାହାନ୍ତି । ଗତ ୩୧ ଅପରାହ୍ନରୁ ସତ୍ୟ ନାରାୟଣଙ୍କୁ କ୍ରାଇମବ୍ରାଞ୍ଚ ଜେଳେଶ୍ବରପୁର ଗାଁରୁ ଉଠାଇ ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗାଁରେ ଛାଡ଼ିଲା କି ନାହିଁ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଗୋପାଳ କାହିଁକି ଜଣେ ମନ୍ତ୍ରୀଙ୍କୁ ଗୁଳିମାଡ଼ କଲେ ସେ ନେଇ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେପଟେ ଖୁବଶୀଘ୍ର ଏହାର କାରଣ ସ୍ପଷ୍ଟ ହେବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।